ଜୁଲାଇ ୧୮ରୁ ଆରମ୍ଭ ହୋଇପାରେ ସଂସଦର ମୌସୁମୀ ଅଧିବେଶନ

Published By : Prameya-News7 Bureau | June 14, 2022 IST

ନୂଆଦିଲ୍ଲୀ ୧୪।୬: ସଂସଦର ମୌସୁମୀ ଅଧିବେଶ ଜୁଲାଇ ତୃତୀୟ ସପ୍ତାହରୁ ଆରମ୍ଭ ହୋଇ ଅଗଷ୍ଟ ଦ୍ୱିତୀୟ ସପ୍ତାହ ପର୍ଯ୍ୟନ୍ତ ଚାଲିବ ବୋଲି ଅନୁମାନ କରାଯାଉଛି। ତେବେ ଅଧିବେଶନ ନେଇ ଅନ୍ତିମ ନିଷ୍ପତ୍ତି ଆଉ କିଛି ବିଳମ୍ବରେ ହୋଇପାରେ ବୋଲି ମଙ୍ଗଳବାର ସୂତ୍ରରୁ ଜଣାପଡିଛି। ସୂତ୍ରାନୁସାରେ ମୌସୁମୀ ଅଧିବେଶନ ଜୁଲାଇ ୧୮ରୁ ଆରମ୍ଭ ହୋଇ ଅଗଷ୍ଟ ୧୨ ତାରିଖ ପର୍ଯ୍ୟନ୍ତ ଚାଲିପାରେ। ରାଷ୍ଟ୍ରପତି ନିର୍ବାଚନ ଜୁଲାଇ ୧୮ ତାରିଖ ଦିନ ହେବ। ଏଣୁ ରାଷ୍ଟ୍ରପତି ନିର୍ବାଚନ ସହ ଅଧିବେଶନ ଆରମ୍ଭ ହୋଇପାରେ ବୋଲି ଅନୁମାନ କରାଯାଉଛି।

ଜୁଲାଇ ତୃତୀୟ ସପ୍ତାହରୁ ଅଧିବେଶନ ଆରମ୍ଭ ହୋଇ ଅଗଷ୍ଟ ଦ୍ୱିତୀୟ ସପ୍ତାହ ସୁଦ୍ଧା ସରିବ ବୋଲି ଆକଳନ କରାଯାଉଛି । ତେବେ ସଂସଦ ସଚିବ ଏ ପର୍ଯ୍ୟନ୍ତ ଅଧିବେଶନ ଲାଗି ପତ୍ର ଲେଖି ନାହାନ୍ତି। ସଂସଦୀୟ ବ୍ୟାପାର ମନ୍ତ୍ରୀମଣ୍ଡଳ କମିଟିକୁ ଏଥି ପାଇଁ ସୁପାରିଶ କରାଯିବା ପରେ ଅଧିବେଶନ ଲାଗି ତିଥି ଚୂଡ଼ାନ୍ତ ହେବ। ହୁଏତ ଏଥିପାଇଁ ଆଉ କିଛି ସମୟ ଲାଗିପାରେ।

ଅଗଷ୍ଟ ମାସରେ ଜାତୀୟ ଦିବସ କାର୍ଯ୍ୟକ୍ରମ ରହିଛି। ଏଣୁ ସ୍ୱାଧୀନତା ଦିବସ କାର୍ଯ୍ୟକ୍ରମକୁ ଦୃଷ୍ଟିରେ ରଖି ଅନ୍ୟ କାର୍ଯ୍ୟକ୍ରମ ସ୍ଥିରକୃତ ହେବ। ସେହି ଅନୁସାରେ ସ୍ୱାଧୀନତା ଦିବସ ପୂର୍ବରୁ ସଂସଦର ମୌସୁମୀ ଅଧିବେଶ ଶେଷ କରିବାକୁ ପଦକ୍ଷେପ ନିଆଯିବ। ଏଣୁ ଅଗଷ୍ଟ ୧୨ ସୁଦ୍ଧା ମୌସୁମୀ ଅଧିବେଶ ଶେଷ କରିବା ଲାଗି କାର୍ଯ୍ୟସୂଚୀ ଚୂଡ଼ାନ୍ତ ହୋଇପାରେ ବୋଲି ଅନୁମାନ କରାଯାଉଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.