କରୋନାକାଳରେ ଅନୁଷ୍ଠିତ ହେବ ସଂସଦର ମୌସୁମୀ ଅଧିବେଶନ, ଲୋକସଭା ବାଚସ୍ପତି କହିଲେ ସବୁ ସାଂସଦଙ୍କ ସରିଛି ଟିକାକରଣ

Published By : Prameya-News7 Bureau | June 18, 2021 IST

ନୂଆଦିଲ୍ଲୀ ୧୮।୬:  ଦେଶରେ କରୋନା ଦ୍ୱିତୀୟ ଲହର ଥମିବା ପରେ ସଂସଦର ମୌସୁମୀ ଅଧିବେଶନ ଆୟୋଜନ ନେଇ ଏବେ ଆଶା କରାଯାଉଛି। ତେବେ ଏଥିପାଇଁ ସଂସଦ ପ୍ରସ୍ତୁତ ଥିବା କହିଛନ୍ତି ଲୋକସଭା ବାଚସ୍ପତି ଓମ ବିରଳା। ଏଥିପାଇଁ ସମସ୍ତ ପ୍ରସ୍ତୁତି ସରିଛି ଓ ମନ୍ତ୍ରୀମଣ୍ଡଳ ଉପସମିତି ଯେବେ ଚାହିଁବେ ମୌସୁମୀ ଅଧିବେଶନ ଲାଗି ତିଥି ଘୋଷଣା ହେବ ବୋଲି ସେ କହିଛନ୍ତି।

ସଂସଦରେ କୋଭିଡ ଗାଇଡଲାଇନର ପାଳନ ହେବ। ଏଥିପାଇଁ ଆମର ପ୍ରସ୍ତୁତି ଚୂଡ଼ାନ୍ତ ହୋଇସାରିଛି। ସଂସଦ ଅଧିବେଶନରେ ଅଂଶଗ୍ରହଣ କରିବାକୁ ଥିବା ୪୪୫ ଜଣ ସାଂସଦଙ୍କ ଟିକାକରଣ ହୋଇସାରିଛି। ସେହିପରି ସଂସଦ ସଚିବାଳୟର ସମସ୍ତ କର୍ମଚାରୀ ମଧ୍ୟ ଟିକାକରଣ କରାଇସାରିଛନ୍ତି। ଏହା ବାଦେ ଯେଉଁ ସାଂସଦ ଓ ସଂସଦ କର୍ମଚାରୀଙ୍କ ଟିକାକରଣ ନ ହୋଇଛି ଜୁନ ୨୧ରୁ ସେମାନଙ୍କର ଟିକାକରଣ କରାଯିବ ବୋଲି ବାଚସ୍ପତି କହିଛନ୍ତି।

ଦେଶରେ କରୋନା ଦ୍ୱିତୀୟ ଲହରର ପ୍ରକୋପ କାରଣରୁ ଏଥର ମୌସୁମୀ ଅଧିବେଶନ ହୋଇ ପାରିବ କିନା ସେ ନେଇ ପ୍ରଥମରୁ ସନ୍ଦେହ ଲାଗି ରହିଥିଲା। ପରିସ୍ଥିତି ଜାରି ରହିଲେ ହୁଏତ ଭର୍ଚୁଆଲ ସଂସଦ ଆୟୋଜନ ନେଇ ମଧ୍ୟ ଆକଳନ କରାଯାଉଥିଲା। ହେଲେ ସଂକ୍ରମଣ ଥମିବା ଓ ଟିକାକରଣ ଯୋଗୁ ସାଧାରଣ ଅଧିବେଶନର ଏବେ ପରିକଳ୍ପନା କରାଯାଇପାରୁଛି। ତେବେ ଏଥିପାଇଁ ବାକି ଥିବା ଟିକାକରଣ ଶେଷ କରିବାକୁ ବାଚସ୍ପତି ଗୁରୁତ୍ୱ ଦେଇଛନ୍ତି।

ସେପଟେ ସରକାର ମଧ୍ୟ ସଂସଦର ମୌସୁମୀ ଅଧିବେଶନ ଲାଗି ନିଜର ପ୍ରସ୍ତୁତି ଆରମ୍ଭ କରିଛନ୍ତି। ଏହି ଅଧିବେଶନରେ ଉପସ୍ଥାପିତ ହେବାକୁ ଥିବା ବିଧେୟକ ପ୍ରସ୍ତୁତିରେ ଏବେ ସରକାର ଲାଗିପଡିଛନ୍ତି। ତେବେ କରୋନା ଲହର ଯୋଗୁ ସଂସଦରେ ଏବେବି ୪୦ରୁ ଅଧିକ ବିଧେୟକ ଓ ୫ରୁ ଅଧିକ ଅଧ୍ୟାଦେଶ ଗୃହୀତ ହୋଇ ନପାରି ଲମ୍ବିତ ରହିଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.