ଆସନ୍ତାକାଲିଠୁ ବଦଳିଯିବ ସଂସଦ ଭବନ, ଅତୀତ ପାଲଟିବ ୭୫ ବର୍ଷର ଗୌରବମୟ ଇତିହାସ
18/09/2023 at 10:32 PM

ଭୁବନେଶ୍ଵର: ଆସନ୍ତାକାଲିଠୁ ବଦଳିଯିବ ସଂସଦ ଭବନ। ଇତିହାସ ପାଲଟିଯିବ ଦେଶର ପୁରୁଣା ସଂସଦ ଭବନ । ଯେଉଁ ସଂସଦ ଭବନରେ ୭୫ ବର୍ଷର ଗୌରବମୟ ଇତିହାସ ଲେଖା ହୋଇଥିଲା ତାହା ଅତୀତ ହୋଇଯିବ । ଦେଶର ୭୫ ବର୍ଷର ସଂସଦୀୟ ଯାତ୍ରାର ସ୍ମୃତି ଏହି ଭବନ ସହିତ ଯୋଡ଼ି ହୋଇଛି।
ମୁଁ ଇଟା ସିମେଣ୍ଟର ଏକ ସାଧାରଣ ଘର ନୁହେଁ । ମୁଁ ଏକ ରାଷ୍ଟ୍ରର ଆତ୍ମା। ଏବେ ମୋର ଶରୀର ପରିବର୍ତ୍ତନ ହେଉଛି ସତ କିନ୍ତୁ ଗଣତନ୍ତ୍ରର ଆତ୍ମା ପୂର୍ବବତ ରହିଛି । ସେତେବେଳେ ବ୍ରିଟିଶ ସମୟରେ ଏହି ଭବନର ନିର୍ମାଣ ଆରମ୍ଭ ହୋଇଥିଲା। ୧୯୨୧ରୁ ନିର୍ମାଣ ଆରମ୍ଭ ହୋଇ ଶେଷ ହୋଇଥିଲା ୧୯୨୭ରେ ।ଏଡୱିନ୍ ଲୁଟିଏନସ୍ ଏବଂ ହବର୍ଟ ବେକର୍ ଏହାର ଡିଜାଇନ୍ କରିଥିଲେ । ୧୪୪ ଖମ୍ବରେ ଛିଡା ହୋଇଛି ମୁଁ। ମୁଁ ଦେଖିଛି ବ୍ରିଟିଶ ସମୟ। ମୋର ଏହି ଗୃହରେ ମୁଁ ଦେଖିଛି ସଂଗ୍ରାମୀ ଭଗତ ସିଂହଙ୍କ ବିପ୍ଳବ । ମୁଁ ଦେଖିଛି ବ୍ରିଟିଶଙ୍କ ବିଦାୟ ଆଉ ସେହି ପବିତ୍ର ସମୟରେ ପଣ୍ଡିତ ନେହେରୁଙ୍କ ସମ୍ବର୍ଦ୍ଧନା। ଏଇଠି ଅର୍ଦ୍ଧ ରାତ୍ରୀରେ ନେହେରୁ ଐତିହାସିକ ଟ୍ରିଷ୍ଟ ଉଇଦ୍ ଡେଷ୍ଟିନି ଅଭିଭାଷଣ ଦେଇଥିଲେ। ଦେଶବାସୀଙ୍କୁ ଦେଶ ସ୍ବାଧୀନତାର ଖୁସି ଖବର ଶୁଣାଇଥିଲେ।
)
ଏହି ଠାରୁ ଦିନେ ଶାସ୍ତ୍ରୀଜୀ ଦେଶବାସୀଙ୍କୁ ଗୋଟିଏ ଓଳି ଖାଇବା ଛାଡିବା ପାଇଁ ଆହ୍ବାନ ଦେଇଥିଲେ। ଏହିଠାରୁ ଇନ୍ଦିରା ଗାନ୍ଧି ପାକିସ୍ତାନୀ ସେନାର ଆତ୍ମସମର୍ପଣ ବାବଦରେ ଦେଶବାସୀଙ୍କୁ ଖବର ଦେଇଥିଲେ। ସରକାର ବଦଳିଛି, ନୂଆ ପ୍ରଧାନମନ୍ତ୍ରୀ ଆସିଛନ୍ତି ନୂଆ ସାଂସଦ ଆସିଛନ୍ତି କିନ୍ତୁ ଗଣତନ୍ତ୍ରଣ ମନ୍ତ୍ର ଏହିଠାରୁ ଉଚ୍ଚାରିତ ହୋଇଛି। ଦେଶକୁ ଏକାଠି କରିଛି ଦେଶବାସୀଙ୍କୁ ଏକାଠି କରିଛି।

ଗୃହ ଭିତରେ ସଦସ୍ୟମାନଙ୍କର ହୋହଲ୍ଲା ଦେଖିଛି। ଗୃହ ବାହାରେ ଗାନ୍ଧିଙ୍କ ପ୍ରତିମୂର୍ତ୍ତି ତଳେ ସଦସ୍ୟମାନଙ୍କ ଧାରଣା ଦେଖିଛି। ମୁଁ ସେ ଦିନକୁ ନା କେବେ ଭୁଲିପାରିବି ନା ଦେଶବାସୀ କେବେ ଭୁଲିପାରିବେ। ଯେତେବେଳେ ୨୦୦୧ ମସିହା ଡିସେମ୍ବର ୧୩ ତାରିଖରେ ପାର୍ଲାମେଣ୍ଟରେ କାର୍ଯ୍ୟ ଚାଲିଥିବା ବେଳେ ଆତଙ୍କବାଦୀ ଆକ୍ରମଣ କରିଥିଲେ। ମୁଁ ସେହି ସମୟର ସଂଘର୍ଷ ଦେଖିଛି, ରକ୍ତପାତ ଦେଖିଛି। ଏହିଠାରୁ ଦିନେ ଅଟଳ ବିହାରୀ ବାଜପେୟୀ ରଖିଥିଲେ ତାଙ୍କର ଐତିହାସିକ ଅଭିଭାଷଣ । କହିଥିଲେ ସରକାର ଆସିବେ ଯିବ, ଦଳ ଆସିବ ଯିବ କିନ୍ତୁ ଦେଶ ରହିବା ଦରକାର।

ଏ ବିଶ୍ବାସ ମୋର ଅଛି। କେବଳ ଇଟାକାନ୍ଥର ଗୃହରେ ପରିବର୍ତ୍ତନ ହେଉଛି କିନ୍ତୁ ଗଣତନ୍ତ୍ରର ଆତ୍ମା ସେମିତି ରହିବି। ମୁଁ ଏ ଭବନରେ ଯେମିତି ରହିଛି ସେ ଭବନରେ ସେମିତି ରହିବି। ଇତିହାସ ସହିତ ମୁଁ ଯୋଡ଼ି ହୋଇ ରହିଛି। ଦେଶର କାହାଣୀ ସହିତ ମୁଁ ଯୋଡି ହୋଇ ରହିଛି ରହିବି।