ଜାନୁଆରୀ ୩୧ରୁ ସଂସଦର ବଜେଟ୍ ଅଧିବେଶନ ! ଫେବ୍ରୁଆରୀ ୧ରେ ଆଗତ ହୋଇପାରେ ସରକାରଙ୍କ ଶେଷ ପୂର୍ଣ୍ଣାଙ୍ଗ ବଜେଟ୍

Published By : Prameya-News7 Bureau | January 02, 2023 IST

ନୂଆଦିଲ୍ଲୀ: ସଂସଦର ବଜେଟ୍ ଅଧିବେଶନ ଜାନୁଆରୀ ୩୧ରୁ ଆରମ୍ଭ ହୋଇପାରେ । ସମ୍ୱାଦ ସରବରାହ ସଂସ୍ଥା ଏଏନଆଇ ଅନୁସାରେ, ସଂସଦର ବଜେଟ୍ ଅଧିବେଶନ ଏପ୍ରିଲ ୬ ଯାଏ ଚାଲିପାରେ । ଲୋକସଭା ଏବଂ ରାଜ୍ୟସଭାର ମିଳିତ ଅଧିବେଶନରୁ ବଜେଟ୍ ଅଧିବେଶନ ଆରମ୍ଭ ହେବ । ଏହି ଅବସରରେ ରାଷ୍ଟ୍ରପତି ଦ୍ରୋପଦୀ ମୁର୍ମୁ ଉଭୟ ଗୃହକୁ ସମ୍ୱୋଧିତ କରିବେ । ଏହା ତାଙ୍କର ସଂସଦର ଉଭୟ ଗୃହକୁ ପ୍ରଥମ ସମ୍ୱୋଧନ ହେବ ।

ବଜେଟ୍ ଅଧିବେଶନର ପ୍ରଥମ ଦିନରେ ସଂସଦରେ ଇକୋନମିକ ସର୍ଭେ ଉପସ୍ଥାପିତ କରାଯିବ । ଏହାପରେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ସଂସଦରେ ବଜେଟ୍ ଉପସ୍ଥାପନ କରିବେ । ଫେବ୍ରୁଆରୀ ୧ରେ ବଜେଟ୍ ଉପସ୍ଥାପିତ ହୋଇପାରେ । ଉଲ୍ଲେଖଯୋଗ୍ୟ ଯେ ଏହା ବର୍ତ୍ତମାନର ମୋଦୀ ସରକାରଙ୍କ ଶେଷ ପୂର୍ଣ୍ଣ ବଜେଟ୍ ହେବ । ଆସନ୍ତା ବର୍ଷ ୨୦୨୪ରେ ଲୋକସଭା ନିର୍ବାଚନ ହେବ, ଏହା ପୂର୍ବରୁ ସରକାର ଯେତେବେଳେ ୨୦୨୪ ଫେବ୍ରୁଆରୀରେ ବଜେଟ୍ ଆଗତ କରିବେ ତାହା ପୂର୍ଣ୍ଣାଙ୍ଗ ନୁହେଁ ବରଂ ଅନ୍ତରୀଣ ବଜେଟ୍ ହେବ ।

ଅଧିବେଶନର ପ୍ରଥମ ଭାଗ ଫେବ୍ରୁଆରୀ ୧୦ ଯାଏଁ ଚାଲିବ । ଏହାପରେ ବଜେଟ୍ ଅଧିବେଶନର ଦ୍ୱିତୀୟ ଭାଗ ମାର୍ଚ୍ଚ ୬ରେ ଆରମ୍ଭ ହେବ ଏବଂ ଏପ୍ରିଲ ୬ ଯାଏ ଚାଲିବ । ନୂଆ ସଂସଦ ଭବନର କାମ ଜାରି ରହିଛି । ସଂସଦର ନିର୍ମାଣରେ ସାମିଲ ଲୋକଙ୍କ ବିଶ୍ୱାସ ବଜେଟ୍ ଅଧିବେଶନର ଦ୍ୱିତୀୟ ଭାଗ ନୂଆ ସଂସଦ ଭବନରେ ଆୟୋଜିତ ହୋଇପାରେ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.