ଗଜପତି: ଟଙ୍କା ଛପା ମେସିନ ଦେବାକୁ କହି ଅପହରଣ ଆଉ ଠକେଇ । ପୁଣି ପରିବାର ଲୋକଙ୍କୁ ଧମକ ଦେଖାଇ ୬ ଲକ୍ଷ ଟଙ୍କା ଲୁଟ୍।ଘଟଣାରେ ଏବେ ପୋଲିସ ଚାରି ଜଣକୁ ଗିରଫ କରିଛି। ଚାରି ଅଭିଯୁକ୍ତଙ୍କ ମଧ୍ୟରୁ ଜଣେ ଗଞ୍ଜାମ ଜିଲ୍ଲାର ହୋଇଥିବା ବେଳେ ଅନ୍ୟ ତିନି ଜଣ ଗଜପତି ଜିଲ୍ଲାର।
ସୂଚନା ଅନୁଯାୟୀ, ଗଜପତି ଜିଲ୍ଲା ଗୁମ୍ମା ବ୍ଲକ୍ ଅନ୍ତର୍ଗତ କେକେ ସିଂ ଗ୍ରାମର ପ୍ରଚୁର ଲିମାଙ୍କୁ ଟଙ୍କା ଛପା ମେସିନ ଦେବାକୁ କହି ଘରୁ ଡାକି ନେଇ ଅପହରଣ କରିଥିଲେ ଚାରି ଅଭିଯୁକ୍ତ। ଆଉ ତାଙ୍କୁ ଗଞ୍ଜାମ ଜିଲ୍ଲା ବରକୁଳ ନିକଟସ୍ଥ ଚିଲିକା ଗ୍ରାମର ଏକ ଲଜରେ ଦୀର୍ଘ ଏକ ମାସରୁ ଉର୍ଦ୍ଧ୍ବ ସମୟ ଧରି ରଖିଥିଲେ।
ଏହି ସମୟରେ ଅଭିଯୁକ୍ତମାନେ ପ୍ରଚୁରଙ୍କ ପରିବାର ବର୍ଗଙ୍କୁ ୩୦ ଲକ୍ଷ ଟଙ୍କା ମାଗିବା ସହ ତାଙ୍କ ସ୍ତ୍ରୀଙ୍କୁ ଫୋନ ଯୋଗେ ଧମକ ମଧ୍ୟ ଦେଉଥିଲେ। ଏମିତିରେ ଭୟରେ ପ୍ରଚୁରଙ୍କ ପତ୍ନୀ ମିନି ଲିମା ଅଭିଯୁକ୍ତଙ୍କ ଆକାଉଣ୍ଟକୁ ୬ଲକ୍ଷ ଟଙ୍କା ମଧ୍ୟ ପଠାଇଥିଲେ। ହେଲେବି ଅଭିଯୁକ୍ତ ପ୍ରଚୁରଙ୍କୁ ନଛାଡ଼ିବା ସହ ଧମକ ଦେଇଚାଲିଥିଲେ।
ଶେଷରେ ଗତ ମାସ ୨୪ ତାରିଖରେ ପାରଳାଖେମୁଣ୍ଡି ଥାନାର ଦ୍ବାରସ୍ଥ ହୋଇଥିଲେ ଲିମା। ଅଭିଯୋଗ ଆଧାରରେ ପୋଲିସ ତଦନ୍ତ ଆରମ୍ଭ କରିଥିଲା। ଅପହରଣକାରୀଙ୍କ ଫୋନ୍ କଲ୍ ଏବଂ ଫୋନପେ ଯୋଗେ ପଠାଯାଇଥିବା ଟଙ୍କା ଓ ବ୍ୟାଙ୍କ ଆକାଉଣ୍ଟକୁ ପୋଲିସ ତଦନ୍ତ ପରିସରକୁ ନେଇଥିଲା।
ତଦନ୍ତ ସମୟରେ ଘଟଣାର ମୁଖ୍ୟ ଅଭିଯୁକ୍ତ ଗଞ୍ଜାମ ଜିଲ୍ଲାର ଦୀପକ ବେହେରା ନାମକ ଜଣେ ବ୍ୟକ୍ତିଙ୍କୁ ଗିରଫ କରିଥିଲା। ତା’ଠାରୁ ଅନ୍ୟ ତିନି ଅଭିଯୁକ୍ତଙ୍କ ଠିକଣା ମିଳିଥିଲା। ଅନ୍ୟ ତିନିଜଣ ଅଭିଯୁକ୍ତ ହେଲେ କବିରାଜ ମାଳି, ଚୈତନ୍ୟ ମାଳି, ଶିବାଜୀ ମାଳି। ସମସ୍ତ ଅଭିଯୁକ୍ତ ଗଜପତି ଜିଲ୍ଲା କାଶୀନଗର ବ୍ଲକ ବଡ ଖିଙ୍ଗା ଗ୍ରାମର ।
ତେବେ ପାରଳାଖେମୁଣ୍ଡି ଥାନା ଅଧିକାରୀଙ୍କ ସୂଚନା ଅନୁଯାୟୀ, ପୋଲିସ ପ୍ରଚୁରଙ୍କୁ ଲଜ୍ ଉଦ୍ଧାର କରିଛି। ଅଭିଯୁକ୍ତଙ୍କ ନାମରେ ଠକାମୀ ଓ ଅପହରଣ ମାମଲା ମଧ୍ୟ ରୁଜୁ ହୋଇଛି। ଏହି ଅଭିଯୁକ୍ତଙ୍କ ଠାରୁ ୫ଟି ମୋବାଇଲ ଫୋନ, ଗୋଟିଏ ନକଲି ଟଙ୍କା ଛପା ମେସିନ୍ ଜବତ ସହ ଗିରଫ ପରେ ୪ ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ କରାଯାଇଥିବା ସୂଚନା ଦେଇଛନ୍ତି ଥାନା ଅଧିକାରୀ।