କଂଗ୍ରେସର 'ଭାରତ ଜୋଡ଼ ଯାତ୍ରା' ପୋଷ୍ଟରରେ ରବର୍ଟ ଭଦ୍ରାଙ୍କ ଫଟୋ: ବିଜେପି କହିଲା ପରିବାର ଜୋଡ଼ କରୁଛି ଦଳ

Published By : Prameya-News7 Bureau | September 07, 2022 IST

ନୂଆଦିଲ୍ଲୀ: ପରିବାରବାଦକୁ ନେଇ ବିଜେପି କଂଗ୍ରେସକୁ ବାରମ୍ବାର ଟାର୍ଗେଟ୍ କରୁଥିବା ବେଳେ କଂଗ୍ରେସ କିନ୍ତୁ ଏହି ମୋହରୁ ବାହାରିପାରୁନି। ସୋନିଆ ରାହୁଲଙ୍କ ପରେ ରାଜନୀତିରେ ପ୍ରିୟଙ୍କା ଗାନ୍ଧୀଙ୍କର ଏଣ୍ଟ୍ରି ହୋଇଥିଲା। ଏବେ ଜ୍ୱାଇଁ ରବର୍ଟ ଭଦ୍ରାଙ୍କୁ ବି ଦଳରେ ସାମିଲ୍ କରିବାକୁ ପ୍ରସ୍ତୁତି ଆରମ୍ଭ କରିଦେଇଛି କଂଗ୍ରେସ। ବିଜେପି ବିରୋଧରେ କଂଗ୍ରେସ ‘ଭାରତ ଯୋଡ଼ ଯାତ୍ରା’ ଆରମ୍ଭ କରିଥିବା ବେଳେ ଏହି ପୋଷ୍ଟରରେ ଜ୍ୱାଇଁ ରବର୍ଟ ଭଦ୍ରାଙ୍କ ଫଟୋ ଦେଖିବାକୁ ମିଳିଛି। ରବର୍ଟ ଭଦ୍ରା ମଧ୍ୟ ନିଜେ ଟ୍ୱିଟ୍ କରି ପୋଷ୍ଟର ଶେୟାର କରିଛନ୍ତି। ଆଉ ଏହାକୁ ନେଇ କଂଗ୍ରେସକୁ ଟାର୍ଗେଟ୍ କରିଛି ବିଜେପି।

କଂଗ୍ରେସର ଭାରତ ଜୋଡ଼ ଯାତ୍ରା ପୋଷ୍ଟରରେ ସୋନିଆ, ରାଜୀବ, ରାହୁଲ ଓ ପ୍ରିୟଙ୍କା ଗାନ୍ଧୀ ଭଦ୍ରାଙ୍କ ସହ ଜ୍ୱାଇଁ ରବର୍ଟ ଭଦ୍ରାଙ୍କର ଫଟୋ ବି ରହିଛି। ବୁଧବାର ଠାରୁ ଦଳ ଏହି ଯାତ୍ରା ଆରମ୍ଭ କରିଥିବା ବେଳେ ପୂରା କାଶ୍ମୀର ଠାରୁ କନ୍ୟାକୁମାରୀ ପର୍ଯ୍ୟନ୍ତ ଏହି ଯାତ୍ରା ଚାଲିବ ବୋଲି ଦଳ ପୋଷ୍ଟରରେ ସୂଚନା ଦେଇଛି। ଆଉ ପୋଷ୍ଟର ସାମ୍ନାକୁ ଆସିବା ପରେ ପୁଣିଥରେ ପରିବାରବାଦକୁ ନେଇ କଂଗ୍ରେସକୁ ଟାର୍ଗେଟ୍ କରିଛି ବିଜେପି। କଂଗ୍ରେସର ଭାରତ ଯୋଡ଼ ଯାତ୍ରା ପ୍ରକୃତରେ ପରିବାର ଯୋଡ଼ ବୋଲି ବିଜେପି କହିଛି।

ରବର୍ଟ ଭଦ୍ରାଙ୍କ ଟ୍ୱିଟ୍‌ର ସ୍କ୍ରିନଶଟ୍ ଶେୟାର କରିବା ସହ ବିଜେପି ନେତା ଶେହେଜାଦ ପୁନାୱାଲ ଟ୍ୱିଟ୍ କରି ଲେଖିଛନ୍ତି “ କଂଗ୍ରେସର ଭାରତ ଜୋଡ଼ ଯାତ୍ରା ପ୍ରକୃତରେ ପରିବାର ଜୋଡ଼ ଓ ଦୁର୍ନୀତି ଜୋଡ଼। ଯଦି ଏଥିରେ ଆପଣଙ୍କର ସନ୍ଦେହ ହେଉଛି ତେବେ ଦେଖନ୍ତୁ।”

wp:html /wp:html


ପୂର୍ବରୁ ଜୁନ ମାସରେ ରାଜନୀତିରେ ପ୍ରବେଶ କରିବା ନେଇ ରବର୍ଟ ଭଦ୍ରା ଆଗୁଆ ସୂଚନା ଦେଇଥିଲେ। ନ୍ୟାସ୍‌ନାଲ୍ ହେରାଲ୍ଡ ମାମଲାରେ ଇଡି ସୋନିଆ ଗାନ୍ଧୀଙ୍କୁ ଜେରା କରିବା ପରେ ଭଦ୍ରା ପ୍ରତିକ୍ରିୟା ଦେଇ ରାଜନୀତିରେ ପ୍ରବେଶ କରିବା ନେଇ ଇଚ୍ଛା ଜାହିର କରିଥିଲେ। ଜାତୀୟ ଗଣମାଧ୍ୟମକୁ ସୂଚନା ଦେଇ ସେ କହିଥିଲେ “ ଦେଶରେ ପରିବର୍ତ୍ତନର ଆବଶ୍ୟକତା ଅଛି। ଯଦି ଲୋକ ଭାବନ୍ତି ଯେ ଦେଶ ପାଇଁ ମୁଁ କିଛି ପରିବର୍ତ୍ତନ ଆଣିପାରିବି। ତେବେ ମୁଁ ରାଜନୀତିରେ ପ୍ରବେଶ କରିବି।” ସେତେବେଳେ ମଧ୍ୟ ବିଜେପି ଉଭୟ ଭଦ୍ରା ଓ ଗାନ୍ଧୀ ପରିବାରକୁ ପରିବାରବାଦା ଅଭିଯୋଗରେ ସମାଲୋଚନା କରିଥିଲା।

ସୂଚନା ଥାଉକି କଂଗ୍ରେସ ବୁଧବାର ଠାରୁ ଭାରତ ଯୋଡ଼ ଯାତ୍ରା ଆରମ୍ଭ କରିଛି। କନ୍ୟାକୁମାରୀ ଠାରୁ ଏହି ଯାତ୍ରା ଆରମ୍ଭ ହୋଇଥିବା ବେଳେ ୩୫୭୦ କିମି ଯିବ। ପୂରା ୧୨ ରାଜ୍ୟକୁ କଭର କରିବ ବୋଲି କଂଗ୍ରେସ ସୂଚନା ଦେଇଛି।  

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.