ନୂଆଦିଲ୍ଲୀ: ପ୍ୟାରିସ୍ ଅଲିମ୍ପିକ୍ସରେ ସମସ୍ତ ଖେଳ ପ୍ରତିଯୋଗିତା ଶେଷ ହୋଇଛି । ତେବେ ଉଦଯାପନୀ ସମାରୋହ ରାତି ୧୨ଟାରେ ଆୟୋଜନ ହେବ । ଏହାପରେ ଆନୁଷ୍ଠାନିକ ଭାବେ ଏହି ଖେଳ ମହାକୁମ୍ଭର ସମାପନ ହେବ । ଏହି ମହାକୁମ୍ଭର ଶେଷ ଖେଳ ମହିଳା ବାସ୍କେଟ୍ ବଲ୍ ଫାଇନାଲ୍ ମ୍ୟାଚ୍ ଥିଲା । ଏହି ମ୍ୟାଚ୍ରେ ଆମେରିକା ବାଜି ମାରି ଲଗାତାର ଚତୁର୍ଥ ଥର ପାଇଁ ପଦକ ତାଲିକାର ଶୀର୍ଷରେ ରହିଛି । ଆମେରିକା ମୋଟ ୪୦ ସ୍ୱର୍ଣ୍ଣ ପଦକ ଜିତିଛି । ଚୀନ ମଧ୍ୟ ସମାନ ସଂଖ୍ୟକ ସ୍ୱର୍ଣ୍ଣ ପଦକ ଜିତିଛି, କିନ୍ତୁ ଚୀନଠାରୁ ଅଧିକ ରୌପ୍ୟ ପଦକ ଆମେରିକା ପାଖରେ ରହିଛି । ଏହି କାରଣରୁ ଆମେରିକା ମେଡାଲ୍ ତାଲିକାର ଟପ୍ରେ ରହିଛି । ଏହା ବ୍ୟତୀତ ଆମେରିକା ଏକମାତ୍ର ଦେଶ ଯିଏ ଚଳିତ ଥର ଅଲିମ୍ପିକ୍ସରେ ୧୦୦ରୁ ଅଧିକ ପଦକ ଜିତିଛି । ଭାରତ ଚଳିତ ଥର ପଦକ ତାଲିକାର ୭୧ତମ ସ୍ଥାନରେ ରହିଛି ।
ପ୍ୟାରିସ୍ ଅଲିମ୍ପିକ୍ସ ୨୦୨୪ ପଦକ ତାଲିକାରେ ଆମରିକା ୪୦ ସ୍ୱର୍ଣ୍ଣ, ୪୪ ରୌପ୍ୟ ଏବଂ ୪୨ ବ୍ରୋଞ୍ଜ ପଦକ ସହ ଶୀର୍ଷରେ ରହିଛି । ଆମେରିକା ମୋଟ ୧୨୬ ପଦକ ଜିତିଛି । ସେହିପରି ଚୀନ ୪୦ ସ୍ୱର୍ଣ୍ଣ, ୨୭ ରୌପ୍ୟ ଏବଂ ୨୪ କାଂସ୍ୟ ପଦକ ଜିତିଛି । ୯୧ ପଦକ ସହ ଚୀନ ଦ୍ୱୀତୟ ସ୍ଥାନରେ ରହିଛି । ତୃତୀୟ ସ୍ଥାନରେ ୨୦ ସ୍ୱର୍ଣ୍ଣ, ୧୨ ରୌପ୍ୟ ଏବଂ ୧୩ କାଂସ୍ୟ ପଦକ ସହ ଜାପାନ ରହିଛି । ଅଷ୍ଟ୍ରେଲିଆ ୧୮ ସ୍ୱର୍ଣ୍ଣ, ୧୯ ରୌପ୍ୟ ଏବଂ ୧୬ ବ୍ରୋଞ୍ଜ ସହ ଚତୁର୍ଥ ସ୍ଥାନରେ ରହିଛି । ସେହିପରି ପଞ୍ଚମ ସ୍ଥାନରେ ଥିବା ଫ୍ରାନ୍ସ ୧୬ ସ୍ୱର୍ଣ୍ଣ,୨୬ ରୌପ୍ୟ ଏବଂ ୨୨ ବ୍ରୋଞ୍ଜ ପଦକ ଜିତିଛି ।
ପ୍ୟାରିସ୍ ଅଲିମ୍ପିକ୍ସରେ ୧୦ କିମ୍ୱା ୧୦ରୁ ଅଧିକ ସ୍ୱର୍ଣ୍ଣ କେବଳ ୧୧ ଦେଶ ପାଖରେ ରହିଛି । ଶୀର୍ଷ ୧୦ ଦେଶଙ୍କ ମଧ୍ୟରେ ୧୫ ସ୍ୱର୍ଣ୍ଣ ସହ ନେଦରଲାଣ୍ଡ ଷଷ୍ଠ, ୧୪ ଗୋଲ୍ଡ ସହ ବ୍ରିଟେନ ସପ୍ତମ, ଅଷ୍ଟମ ସ୍ଥାନରେ ୧୩ ସ୍ୱର୍ଣ୍ଣ ପଦକ ସହ ଦକ୍ଷିଣ କୋରିଆ, ୧୨ ସ୍ୱର୍ଣ୍ଣ ସହ ନବମ ସ୍ଥାନରେ ଇଟାଲୀ ଏବଂ ନ୍ୟୁଜିଲାଣ୍ଡ ପରି ଛୋଟିଆ ଦେଶ ୧୦ ସ୍ୱର୍ଣ୍ଣ ପଦକ ସହ ୧୦ମ ସ୍ଥାନରେ ରହି ନିଜ ଅଲିମ୍ପିକ୍ସ ଯାତ୍ରା ଶେଷ କରିଛନ୍ତି ।