ଇତିହାସ ରଚିଲେ ଅବିନାଶ ସାଓ୍ୱଲେ, ୩୦୦୦ ମିଟର ଷ୍ଟିପଲଚେଜ୍ ଫାଇନାଲରେ ଏଣ୍ଟ୍ରି କରିଥିବା ପ୍ରଥମ ଭାରତୀୟ

Published By : Prameya-News7 Bureau | August 06, 2024 IST

ନୂଆଦିଲ୍ଲୀ ୦୬/୦୮: ପ୍ୟାରିସରେ ଚାଲିଥିବା ଅଲିମ୍ପିକ୍ସ ୨୦୨୪ । ଏପର୍ଯ୍ୟନ୍ତ ଭାରତୀୟ ଆଥଲେଟ୍‌ମାନେ ଜାରି ରଖିଛନ୍ତି ସେମାନଙ୍କ ପ୍ରଦର୍ଶନ । ଅନେକ ଐତିହାସିକ ସଫଳତା ଦେଖିବାକୁ ମିଳିଛି । ବର୍ତ୍ତମାନ ପୁରୁଷ ୩୦୦୦ ମିଟର ଷ୍ଟିପଲଚେଜ୍‌ରେ ମଧ୍ୟ ଏକ ଐତିହାସିକ କୀର୍ତ୍ତିମାନ ଦେଖିବାକୁ ମିଳିଛି । ଭାରତର ଅବିନାଶ ସାଓ୍ୱଲେ ଇଭେଣ୍ଟ ଫାଇନାଲରେ ଏଣ୍ଟ୍ରି କରିଛନ୍ତି । 

ଅଲିମ୍ପିକ୍ସରେ ୩୦୦୦ ମିଟର ପୁରୁଷ ଷ୍ଟିପଲଚେଜ୍ ଫାଇନାଲରେ ଯୋଗ୍ୟତା ଅର୍ଜନ କରିଥିବା ଅବିନାଶ ପ୍ରଥମ ଭାରତୀୟ ହୋଇଛନ୍ତି । ଅବିନାଶ ପଞ୍ଚମ ସ୍ଥାନ ହାସଲ କରି ଏହି ଯୋଗ୍ୟତା ଅର୍ଜନ କରିଥିଲେ । ସାଓ୍ୱଲେ ଦ୍ୱିତୀୟ ହିଟ୍‌ରେ ୮ ମିନିଟ୍ ଏବଂ ୧୫.୪୩ ସେକେଣ୍ଡର ସମୟ ନେଇ ନିଜକୁ ୫ ନମ୍ବର ସୁରକ୍ଷିତ ରଖିଥିଲେ । ଏହି ହିଟ୍‌ରେ, ମରୋକ୍କୋର ମହମ୍ମଦ ଟିଣ୍ଡୋଫାଟ ୮ ମିନିଟ ଏବଂ ୧୦.୬୨ ସେକେଣ୍ଡର ସର୍ବୋତ୍ତମ ପ୍ରଦର୍ଶନ ସହିତ ଏକ ନମ୍ବର ସ୍ଥାନ ହାସଲ କରିଥିଲେ । 

ଇଭେଣ୍ଟରେ ସମୁଦାୟ ତିନୋଟି ହିଟ୍ ହୋଇଥିଲା ଏବଂ ସମସ୍ତ ତିନୋଟି ହିଟ୍ ରେ ଶ୍ରେଷ୍ଠ ୫ରେ ସ୍ଥାନ ପାଇଥିବା ଆଥଲେଟ୍‌ମାନେ ଫାଇନାଲ୍ ପାଇଁ ଯୋଗ୍ୟ ବିବେଚିତ ହୋଇଥିଲେ । ଏହିପରି, ସମୁଦାୟ ୧୫ ଆଥଲେଟ୍ ତିନିଟି ହିଟ୍ ରୁ ଯୋଗ୍ୟତା ଅର୍ଜନ କରିଥିଲେ । ସୂଚନା ଥାଉକି, ଅବିନାଶ ସାଓ୍ୱଲେ ପ୍ରଥମରୁ ବହୁତ ଭଲ ଷ୍ଟାର୍ଟ କରିଥିଲେ । ସେ ପ୍ରଥମ ୧୦୦୦ ମିଟର ପାଇଁ ଟପ୍‌ରେ ଥିଲେ । ତେବେ ୨୦୦୦ମିଟର ପୂରଣ କରିବା ପରେ ସେ ତୃତୀୟ ସ୍ଥାନକୁ ଆସିଥିଲେ । ୫ ମିନିଟ୍ ଏବଂ ୨୮.୭ ସେକେଣ୍ଡରେ ୨୦୦୦ ମିଟର ସମାପ୍ତ କରିଥିଲେ । ଏହା ପରେ ସେ ଦୌଡ଼ ଶେଷ କରିବା ବେଳକୁ ପଞ୍ଚମ ସ୍ଥାନକୁ ଖସି ଆସିଥିଲେ । 

ଏହି ଉପାୟରେ ସେ ପଞ୍ଚମ ସ୍ଥାନରେ ରହି ଫାଇନାଲରେ ଏଣ୍ଟ୍ରି କରିଥିଲେ । ୮ମିନିଟ୍ ଏବଂ ୧୫.୪୩ ସେକେଣ୍ଡ ଅବିନାଶ ସାବଲଙ୍କ ସର୍ବୋତ୍ତମ ନୁହେଁ । ସେ ଗତ ମାସରେ ଅନୁଷ୍ଠିତ ପ୍ୟାରିସ ଡାଇମଣ୍ଡ ଲିଗରେ ୮ ମିନିଟ ଏବଂ ୦୯.୯୧ ସେକେଣ୍ଡରେ ଦୌଡ଼କୁ ସମାପ୍ତ କରିଥିଲେ । ଯାହା ଥିଲା ତାଙ୍କର ଶ୍ରେଷ୍ଠ ପ୍ରଦର୍ଶନ । ଅଲିମ୍ପିକ୍ସରେ ଫାଇନାଲ ପାଇଁ ଯୋଗ୍ୟତା ଅର୍ଜନ କରିବା ପାଇଁ ସେ ନିଜର ଶ୍ରେଷ୍ଠ ସ୍କୋରରେ ପହଞ୍ଚି ପାରିନଥିଲେ । 

  • Paris Olympics 2024
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.