ନୂଆଦିଲ୍ଲୀ: ଅଲିମ୍ପିକ୍ସ ୨୦୨୪ର ଆୟୋଜନ ଚଳିତ ଥର ପ୍ୟାରିସରେ ଜୁଲାଇ ୨୬ରୁ ଆରମ୍ଭ ହେବ । ଅଲିମ୍ପିକ୍ସରେ ମୋଟ ୨୦୬ ଦେଶ ଅଂଶଗ୍ରହଣ କରିବେ । ଏହି ସବୁ ଦେଶର ପ୍ରାୟ ୧୦,୫୦୦ ଖେଳାଳିଙ୍କ ନଜର ପଦକ ଉପରେ ରହିବ । ଅଲିମ୍ପିକ୍ସ ପାଇଁ ଭାରତର ମୋଟ ୧୧୭ ଜଣ ଖେଳାଳି ପ୍ୟାରିସ ପହଞ୍ଚିଛନ୍ତି । ଫ୍ରାନ୍ସର ରାଜଧାନୀରେ ଅଲିମ୍ପିକ୍ସ ପାଇଁ ସମସ୍ତ ପ୍ରସ୍ତୁତି ଶେଷ ହୋଇସାରିଛି । ଅଲିମ୍ପିକ୍ସର ଇତିହାସ କଥା ଯଦି କହିବା ତେବେ ଏହା ବହୁ ପୁରୁଣା । ୧୮୯୬ ମସିହାରୁ ଆଧୁନିକ ଅଲିମ୍ପିକ୍ସ ଆୟୋଜନ ହେଇ ଆସୁଛି । ତେବେ ଅଲିମ୍ପିକ୍ସ ଇତିହାସରେ କେଉଁ ଦେଶ ସର୍ବାଧିକ ପଦକ ଜିତିଛି, ଆପଣ ଜାଣିଛନ୍ତି କି ?
ଅଲିମ୍ପିକ୍ସ ଇତିହାସର ସବୁଠୁ ସଫଳ ଦେଶ ହେଉଛି ଆମେରିକା । ଆମେରିକା ଅଲିମ୍ପିକ୍ସରେ ମୋଟ ୧୦୬୧ଟି ସ୍ୱର୍ଣ୍ଣ, ୮୩୦ଟି ରୌପ୍ୟ ଏବଂ ୭୩୮ଟି ବ୍ରୋଞ୍ଜ ପଦକ ନିଜ ନାଁରେ କରିଛି । ଆମେରିକା ନାଁରେ ମୋଟ ୨୬୨୯ଟି ପଦକ ରହିଛି । ଏହି କ୍ରୀଡ଼ା ମହାକୁମ୍ଭ ଆରମ୍ଭରୁ ହିଁ ଆମେରିକା ନିଜର ଦବଦବା ବଜାୟ ରଖିଛି । ଏହି ସୂଚୀର ଦ୍ୱିତୀୟ ସ୍ଥାନରେ କୌଣସି ଦେଶର ନାଁ ନାହିଁ ବରଂ ଗୋଟିଏ ସଂଘ ରହିଛି । ସୋଭିଏତ୍ ୟୁନିୟନ୍ ବର୍ତ୍ତମାନ ସମୟରେ ଅସ୍ତିତ୍ୱରେ ନାହିଁ । ୧୯୯୧ ମସିହାରେ ଏହାର ବିଘଟନ ହୋଇଥିଲା । ୟୁଏସଏସଆର ଅଲିମ୍ପିକ୍ସରେ ମୋଟ ୧୦୧୦ ପଦକ ନିଜ ନାଁରେ କରିଛି । ଏଥିରେ ୩୯୫ ସ୍ୱର୍ଣ୍ଣ, ୩୧୯ ରୌପ୍ୟ ଏବଂ ୨୯୬ ବ୍ରୌଜ ପଦକ ରହିଛି । ଆମେରିକା ଏବଂ ୟୁଏସଏସଆର ବ୍ୟତୀତ ଅନ୍ୟ କୌଣସି ଦେଶ ଅଲିମ୍ପିକ୍ସ ଇତିହାସରେ ୧୦୦୦ରୁ ଅଧିକ ପଦକ ଜିତି ନାହାନ୍ତି ।
ଅଲିମ୍ପିକ୍ସରେ ଭାରତର ଆଜି ଯାଏଁ ପ୍ରଦର୍ଶନ ଉପରେ ନଜର ପକାଇବା ତେବେ ଦେଶ ପାଖରେ ମୋଟ ୩୫ଟି ପଦକ ରହିଛି । ଏହି ସୂଚୀରେ ଭାରତ ୫୮ତମ ସ୍ଥାନରେ ରହିଛି । ଭାରତ ନାଁରେ ଅଲିମ୍ପିକ୍ସରେ ମୋଟ ୧୦ଟି ସ୍ୱର୍ଣ୍ଣ, ୯ଟି ରୌପ୍ୟ ଏବଂ ୧୬ଟି ବ୍ରୋଞ୍ଜ ପଦକ ରହିଛି । ଗତ ଟୋକିଓ ଅଲିମ୍ପିକ୍ସରେ ଭାରତ ମୋଟ ୭ ପଦକ ଜିତିଥିଲା ଏବଂ ଏହା ହିଁ ଭାରତ ପାଇଁ ସବୁଠୁ ଭଲ ସଂସ୍କରଣ ହୋଇଥିଲା । ଚଳିତ ଥର ଅଲିମ୍ପିକ୍ସରେ ଭାଗ ନେଉଥିବା ଖେଳାଳିଙ୍କଠାରୁ ଦେଶବାସୀଙ୍କ ଅଧିକ ଆଶା ରହିଛି ।