ପୁରୀ ୨୫।୦୬ : ମଙ୍ଗଳବାର ବସିବ ଶ୍ରୀମନ୍ଦିର ପରିଚାଳନା କମିଟି ବୈଠକ । ପୁରୀ ବଡ଼ଦାଣ୍ଡ ସ୍ଥିତ ନିଳାଦ୍ରୀ ଭକ୍ତ ନିବାସ ଠାରେ ଶ୍ରୀମନ୍ଦିର ପରିଚାଳନା କମିଟିର ଗୁରୁତ୍ବପୂର୍ଣ୍ଣ ବୈଠକ ବସିବ। ଗଜପତି ମହାରାଜା ଦିବ୍ୟସିଂହ ଦେବଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହେବାକୁ ଥିବା ଏହି ବୈଠକରେ ମୁଖ୍ୟ ପ୍ରଶାସକ, ଜିଲ୍ଲାପାଳ, ଏସପି, ପରିଚାଳନା କମିଟି ସଦସ୍ୟ, ଏ.ଏସ.ଆଇ ଅଧିକାରୀଙ୍କ ସହ ଶ୍ରୀମନ୍ଦିର ପ୍ରଶାସନର ବରିଷ୍ଠ ଅଧିକାରୀ ମାନେ ଉପସ୍ଥିତ ରହିବେ।
ତେବେ ବିଶ୍ବ ପ୍ରସିଦ୍ଧ ରଥଯାତ୍ରା ଠାରୁ ନିଳାଦ୍ରୀ ବିଜେ ପର୍ଯ୍ୟନ୍ତ ଛତିଶା ନିଯୋଗ ବୈଠକରେ ଅନୁମୋଦିତ ହୋଇଥିବା ନୀତି ନିର୍ଘଣ୍ଟକୁ ମୋହର ମାରିବ ପରିଚାଳନା କମିଟି। ଚଳିତ ବର୍ଷ ନେତ୍ରୋତ୍ସବ, ନବଯୌବନ ଦର୍ଶନ ଓ ରଥଯାତ୍ରା ଗୋଟିଏ ଦିନରେ ପଡୁଥିବାରୁ ୧୯୭୧ ମସିହାରେ ଅନୁଷ୍ଠିତ ହୋଇଥିବା ନୀତି କାନ୍ତି ଅନୁଯାୟୀ ଚଳିତ ବର୍ଷ ରଥଯାତ୍ରା ନୀତି କାନ୍ତି ଅନୁଷ୍ଠିତ ହେବ।
ଆସନ୍ତା ଜୁଲାଇ ୭ରେ ବିଶ୍ବ ପ୍ରସିଦ୍ଧ ରଥଯାତ୍ରା। ଏହାର ପୂର୍ବଦିନ ଅର୍ଥାତ୍ ଜୁଲାଇ ୬ ତାରିଖରେ ପଟି ଦିଅଁଙ୍କ ଠାରୁ ଆଜ୍ଞାମାଳ ବିଜେ ହୋଇ ରଥଖଳାକୁ ଆସିବ। ପରେ ତିନି ରଥକୁ ସିଂହଦ୍ଵାର ସମ୍ମୁଖକୁ ଅଣାଯିବ। ୬ ତାରିଖରେ ମହାପ୍ରଭୁଙ୍କ ସକାଳ ଧୂପ ପରେ ରଥଖଳାକୁ ଆଜ୍ଞା ମାଳ ବିଜେ କରିବ। ସକାଳ ୭ଟା ରୁ ୮ଟା ୩୦ ମଧ୍ୟରେ ସକାଳ ଧୂପ ନୀତି ସହ ୮ଟା ୪୫ ରେ ରଥ ଆଜ୍ଞାମାଳ ବିଜେ ଅନୁଷ୍ଠିତ ହେବ। ସେହିପରି ସେହି ଦିନ ସନ୍ଧ୍ୟା ଧୂପ ପରେ ଅପରାହ୍ନ ୫ ଟାରେ ଧ୍ବଜା ଆଜ୍ଞାମାଳ ବିଜେ ହେବ। ଜୁଲାଇ ୭ ରେ ରାତ୍ର ୨ଟା ରେ ମଙ୍ଗଳ ଆଳତୀ ପରେ ବିଭିନ୍ନ ନୀତି କାନ୍ତି ବଢ଼ି ସକାଳ ୭ଟା ୩୦ ରୁ ୧୨ଟା ୩୦ ମଧ୍ୟରେ ସେନାପଟା ଲାଗି ହେବ। ଦିନ ୧୧ଟା ରେ ରଥ ପ୍ରତିଷ୍ଠା, ୧ଟା ୧୦ ରେ ପହଣ୍ଡି ଆରମ୍ଭ ହୋଇ ୨ଟା ୩୦ରେ ପହଣ୍ଡି ଶେଷ ହେବ। ଏହାପରେ ଅପରାହ୍ନ ୪ଟାରେ ଗଜପତିଙ୍କ ଦ୍ବାରା ଛେରାପହଁରା ନୀତି ଅନୁଷ୍ଠିତ ହେବାପରେ ଅପରାହ୍ନ ୫ଟାରେ ରଥଟଣା ଆରମ୍ଭ ହେବ।