ନୟାଗଡ଼୪/୧୨: ଭଲ କରି ଦୁନିଁଆ ଦେଖିବା ପୂର୍ବରୁ ଆଖି ବୁଜି ଦେଲା ୫ ବର୍ଷର ଶିଶୁକନ୍ୟା ପରୀ। ପରୀ ଅଙ୍ଗନବାଡିରେ ପାଠ ପଢୁଥିଲା, ପୁଣି ଟ୍ୟୁସନ ମଧ୍ୟ ଯାଉଥିଲା। ପାଠ ପଢ଼ା ପରେ ଗାଁ ସାଙ୍ଗସାଥୀଙ୍କ ମେଳରେ ଚାଲୁଥିଲା ଖେଳ। ଏବେ କିନ୍ତୁ ଗାଁ ଦାଣ୍ଡ ଖାଁ ଖାଁ ଲାଗୁଛି। ଘର ନିକଟରେ ଠାକୁରଙ୍କ କାମନା ଘର। ସେହି ବାରଣ୍ଡା ସେମାନଙ୍କ ଖେଳ ପଡ଼ିଆ।
କେତେବେଳେ ବୋହୂବୋହୂକା ଖେଳ ତ ଆଉ କେତେବେଳେ ମିଛିମିଛିକା ଭାତ ତରକାରୀ ରାନ୍ଧୁ ଥିଲେ। ଟିଉସନ୍ ସାଥୀ ୧୦ ଜଣ ଆଉ ପାଖପଡିଶାର ୪ଜଣ ପିଲା ତାର ଅତି ଘନିଷ୍ଠ ସାଙ୍ଗ । ସେମାନଙ୍କ ମଧ୍ୟରୁ କିଏ କେତେବେଳେ ଆସେ ତ ଆଉ କିଏ ଆସେ ନାହିଁ। ଯେତିକି ସାଙ୍ଗ ଆସନ୍ତି ସେମାନଙ୍କ ସହିତ ଖେଳରେ ମଜି ଯାଉଥିଲା ପରୀ ପରୀର ଘନିଷ୍ଠ ସାଙ୍ଗସାଥୀମାନେ ଏବେ ପରୀକୁ ଝୁରୁଛନ୍ତି । ପରୀ କୁଆଡ଼େ ଗଲା ବୋଲି ସେମାନଙ୍କ ବାପା, ମା’ଙ୍କୁ ପଚାରୁଛନ୍ତି । ହେଲେ ବାପା, ମା’ମାନେ ଛୁଆଙ୍କ ଏଭଳି ପ୍ରଶ୍ନର ଉତ୍ତର ଦେଇ ପାରୁ ନାହାନ୍ତି ।
ପରୀ ଭଲ ପାଠ ପଢୁଥିଲା ବୋଲି କଥା ଅଶୋକ ଓ ସୌଦାମିନୀ କହିଛନ୍ତି । ଅଙ୍ଗନବାଡିକୁ ଯାଉଥିବା ଝିଅଟି ତାଙ୍କର ପଣିକିଆ, ଓଡ଼ିଆ ଅକ୍ଷର ଏବଂ ଇଂରାଜୀରେ ସମସ୍ତଙ୍କ ନାମ ଲେଖି ପାରୁଥିଲା । ଭବିଷ୍ୟତରେ ଝିଅ ଭଲ ପାଠ ପଢି ବଡ଼ ଚାକିରୀ କରିବ ବୋଲି ଉଭୟ ବାପା, ମାଆ ଆଶା ବାନ୍ଧିଥିଲେ । କିନ୍ତୁ ଏତେ ଶୀଘ୍ର ସେମାନଙ୍କୁ ଛାଡି ପରୀ ଚାଲିଯିବ ବୋଲି ସେମାନେ କଳ୍ପନା କରି ନଥିଲେ
ଗତ ଜୁଲାଇ ୧୪ ତାରିଖରେ ଗାଁ ଦାଣ୍ଡରେ ଦୁଇ ଜଣ ସାଥୀଙ୍କ ସହିତ ଖେଳୁଥିବାବେଳେ ଦୁର୍ବୃତ୍ତମାନେ ତାକୁ ଅପହରଣ କରି ନେଇଗଲେ । ଯାହାକୁ ନେଇ ସମଗ୍ର ଗ୍ରାମରେ ଚହଳ ପଡିଯାଇଥିଲା । ୧୦ ଦିନ ପରେ ଜୁଲାଇ ୨୪ରେ ପରୀର ଶବ ଘର ପଛପଟ କିଛି ଦୂରରେ ଦୁର୍ବୃତ୍ତମାନେ ପକାଇ ଦେଇଥିଲେ । ପରୀ ସିନା ସବୁଦିନ ପାଇଁ ଚାଲିଗଲା କିନ୍ତୁ ସାଙ୍ଗସାଥୀମାନେ ତାକୁ ଭୁଲି ପାରି ନାହାନ୍ତି । ଖେଳିବା ସମୟ ଆସିଲେ ପରୀ କଥା ମନେ ପକାଇ କିଏ କେତେ କଥା କହୁଛନ୍ତି । ପରୀକୁ ହତ୍ୟା କରାଯିବା ପରେ ଗ୍ରାମବାସୀ ଗାଁ ଦାଣ୍ଡକୁ ସେମାନଙ୍କ ସନ୍ତାନମାନଙ୍କୁ ଖେଳିବାକୁ ଛାଡ଼ିବା ଲାଗି ଭୟ କରୁଛନ୍ତି। ଗାଁ ଦାଣ୍ଡରେ ଆଉ ଛୋଟ ପିଲାଙ୍କ ଖେଳକୁଦ ଦେଖିବାକୁ ମିଳୁନି।