ଭେଦଭାବ କରୁଥିଲେ ବାପା-ମା, ଖାଇବାରେ ବିଷ ମିଶାଇଦେଲା ଝିଅ, ଚାଲିଗଲା ଚାରି ଜୀବନ

Published By : Prameya-News7 Bureau | October 19, 2021 IST

କର୍ଣ୍ଣାଟକ ୧୯/୧୦: କର୍ଣ୍ଣାଟକର ଡାଭନଗରେରେ ଜଣେ ଝିଅ, ତାର ପୁରା ପରିବାରକୁ ବିଷ ଦେଇ ହତ୍ୟା କରିଛି। ଭେଦଭାବରେ ଚିନ୍ତିତ ହୋଇ ନିଜ ବାପା-ମା, ସାନ ଭଉଣୀ ଏବଂ ଜେଜେମା’ଙ୍କୁ ଖାଇବାରେ ବିଷ ଦେଇ ହତ୍ୟା କରିଛି। ତେବେ ଏହି ଘଟଣାରେ ତାର ବଡ଼ ଭାଇର ଜୀବନ ବଞ୍ଚି ଯାଇଛି। ଏହି ମାମଲା ଜୁଲାଇ ମାସର, କିନ୍ତୁ ବର୍ତ୍ତମାନ ଫରେନସିକ୍ ରିପୋର୍ଟରୁ ଜଣାପଡିଛି ଯେ ପରିବାରର ମୃତ୍ୟୁ ରାତ୍ରୀ ଭୋଜନରେ ମିଶିଥିବା ବିଷରେ ହୋଇଛି, ଯାହାକୁ ୧୭ ବର୍ଷ ବୟସ୍କା ଯୁବତୀ ପ୍ରସ୍ତୁତ କରିଥିଲା। ପୋଲିସ କହିଛି, ଝିଅଟି ପାଠ ପଢୁ ନଥିବାରୁ ତାକୁ ମାଡ ଦିଆଯାଉଥିଲା ଏବଂ କାମ କରିବାକୁ କ୍ଷେତକୁ ପଠାଯାଉଥିଲା। ସେ ଅନୁଭବ କରୁଥିଲା ଯେ ତାର ପରିବାର ସଦସ୍ୟ ତା ସହ ଦୁର୍ବ୍ୟବହାର କରୁଛନ୍ତି।

ସୂଚନା ଅନୁଯାୟୀ, ରାଧିକା ନାମକ ୧୭ ବର୍ଷର ଝିଅ ତାର ଅଜା-ଆଈଙ୍କ ଘରେ ବଢିଥିଲା। ତିନି ବର୍ଷ ପୂର୍ବେ, ସେ ତାର ବାପା-ମାଙ୍କ ସହିତ ସ୍ଥାନାନ୍ତର ହୋଇଥିଲା। ଉଭୟ ପରିବାର ଗୋଟିଏ ଗାଁରେ ରହୁଥିଲେ। ଝିଅଟି ଅନୁଭବ କରୁଥିଲା ଯେ ତାକୁ ଆଜା-ଆଈ ଘରେ ଅଧିକ ପ୍ରେମ କରୁଥିଲେ ଏବଂ ବାପା-ମା ତାର ଭାଇଭଉଣୀଙ୍କୁ ଅଧିକ ଭଲ ପାଉଥିଲେ। ଯେତେବେଳେ ସେ ନିଜ ଘରକୁ ଆସିଥିଲା, ତାଙ୍କୁ ଅଷ୍ଟମ ଶ୍ରେଣୀରେ ଭର୍ତ୍ତି କରାଯାଇଥିଲା, କିନ୍ତୁ ସେ ଭଲ ପାଠ ପଢୁନଥିଲା, ଯେଉଁଥିପାଇଁ ପ୍ରତିଦିନ ଝଗଡା ହେଉଥିଲା।  ତାକୁ ପ୍ରତିଦିନ ଗାଳିଗୁଲଜ କରୁଥିଲେ ଏବଂ କାମ କରିବାକୁ କ୍ଷେତକୁ ପଠାଉଥିଲେ। ବାପା-ମାଙ୍କ ବ୍ୟବହାରରେ ଚିନ୍ତିତ ହୋଇ ଶେଷରେ ସେମାନଙ୍କୁ ହତ୍ୟା କରିବାକୁ ନିଷ୍ପତ୍ତି ନେଇଥିଲା।

ଫରେନସିକ୍ ରିପୋର୍ଟରେ କୁହାଯାଇଛି, ଝିଅଟି ଜୁଲାଇ ୧୨ ତାରିଖ ରାତିରେ ଖାଇବାରେ ବିଷ ମିଶାଇ ପରିବାର ସଦସ୍ୟଙ୍କୁ ଖାଇବାକୁ ଦେଇଥିଲା। ଏହା ପରେ ୮୦ ବର୍ଷ ବୟସ୍କା ଜେଜେମା, ୪୫ ବର୍ଷ ବୟସ୍କ ପିତା ଏବଂ ୪୦ ବର୍ଷ ବୟସ୍କା ମା ଏବଂ ୧୬ ବର୍ଷର ଭଉଣୀକୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ଯେଉଁଠାରେ ତାଙ୍କର ମୃତ୍ୟୁ ଘଟିଥିଲା। ତେବେ ଭାଇର ଜୀବନ ବଞ୍ଚି ଯାଇଥିଲା।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.