ବାପା ମାରିଲା ଚାପୁଡା, ସାବତ ମାଆ ଚଢିଗଲା ବେକ ଉପରେ : ୧୪ବର୍ଷ ଝିଅର ମୃତ୍ୟୁ

Published By : Prameya-News7 Bureau | October 11, 2018 IST

ଭଦ୍ରକ ୧୧|୧୦:  ଭଦ୍ରକ ଜିଲ୍ଲା ତିହିଡି ଥାନା ଅନ୍ତର୍ଗତ ଭଉଁରିଆବାଙ୍କ ଗାଁରେ ଘଟିଛି ଅଭାବନୀୟ ଘଟଣା। ୧୪ବର୍ଷ ବୟସ୍କା ଝିଅର ବେକରେ ଗୋଡ ପକାଇ ହତ୍ୟା କରିଛି ସାବତ ମାଆ ଓ ବାପା । ଏନେଇ ତିହିଡି ଥାନାରେ ମୃତ ଝିଅ ପେରି ବାରିକଙ୍କ କକା ପ୍ରଭାକର ବାରିକ ଅଭିଯୋଗ କରିଛନ୍ତି । ଅଭିଯୋଗକ୍ରମେ ସାବତ ମାଆ ବାସନ୍ତୀ ବାରିକ ଓ ବାପା ବାବଜୀ ବାରିକକୁ ପୋଲିସ ଗିରଫ କରି ଅଧିକ ପଚରାଉଚରା କରୁଛି । ସୂଚନାଯୋଗ୍ୟ ଯେ, ଗୋରୁଙ୍କୁ ତୋରାଣି ଦେବା ଘଟଣାକୁ ନେଇ ମୃତ ପେରି ବାରିକଙ୍କୁ ଉଭୟ ବାପା ଓ ସାବତ ମାଆ ଗାଳିଗୁଲଜ କରିଥିଲେ । ପରେ ଉତ୍ତ୍ୟକ୍ତ ହୋଇ ବାପା ପେରିକୁ ଶକ୍ତ ଚାପୁଡା ମାରିଥିଲେ । ଏଥିରେ ପେରି ତଳେ ପଡିଯାଇଥିଲେ । ତଳେ ପଡିଯାଇଥିବା ପେରିର ବେକ ଉପରେ ସାବତ ମାଆ ବାସନ୍ତୀ ଠିଆହୋଇପଡିଥିଲେ । ଫଳରେ ଘଟଣାସ୍ଥଳରେ ଝିଅ ପେରି ଅଚେତ ହୋଇପଡିଥିଲେ । ପ୍ରଥମେ ତାଙ୍କୁ ତିହିଡି ହସ୍‌ପିଟାଲ ଓ ପରେ ଭଦ୍ରକ ହସ୍‌ପିଟାଲକୁ ନିଆଯାଇଥିଲା । ତେବେ ଭଦ୍ରକ ହସପିଟାଲରେ ତାଙ୍କର ମୃତ୍ୟୁ ହୋଇଯାଇଥିଲା । ପୋଲିସ ମୃତ ପେରିଙ୍କ ଶବ ଜବତ କରିବା ସହ ବ୍ୟବଚ୍ଛେଦ ପାଇଁ ପଠାଇଛି । ଖବର ନେବାରୁ ଜଣାପଡିଛି ଯେ, ସାବତ ମାଆ ବାସନ୍ତୀ ଦୀର୍ଘଦିନ ହେଲା ପେରିକୁ ନିର୍ଯ୍ୟତନା ଦେଇଆସୁଥିଲେ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.