ସହି ହେଲାନି ଅତ୍ୟାଚାର, ଏକ ମାତ୍ର ପୁଅକୁ ସୁପାରୀ ଦେଇ ହତ୍ୟା କଲେ ବାପା-ମାଆ

Published By : Prameya-News7 Bureau | November 02, 2022 IST

ହାଇଦ୍ରାବାଦ: ପ୍ରତିଦିନ ମଦ ଘରେ ବିଶୃଙ୍ଖଳା ସୃଷ୍ଟି କରୁଥିଲା ପୁଅ। ବାପା-ମାଆଙ୍କୁ ମାରପିଟ୍ କରୁଥିଲା। ମଦୁଆ ପୁଅର ଏମିତି ବ୍ୟବହାରରେ ଅତିଷ୍ଠ ହୋଇ ପଡିଥିଲେ ବାପା-ମାଆ। ଆଉ ଶେଷରେ ୨୬ ବର୍ଷୀୟ ପୁଅକୁ ସୁପାରୀ ଦେଇ ହତ୍ୟା କରିଛନ୍ତି ସରକାର ବିଦ୍ୟାଳୟର ହେଡମାଷ୍ଟର ବାପା ଏବଂ ତାଙ୍କ ପତ୍ନୀ। ଏକ ମାତ୍ର ପୁଅ ସାଇରାମର ହତ୍ୟା ପାଇଁ ବାପା ଆଠ ଲକ୍ଷ ଟଙ୍କାର ସୁପାରୀ ଦେଇଥିଲେ। ହାଇଦ୍ରାବାଦ ପୋଲିସ ମାମଲାର ଖୁଲାସା କରିବାରେ ସଫଳ ହୋଇଛି। ପୋଲିସ ହତ୍ୟା ଅଭିଯୋଗରେ ଚାରି ଆକ୍ରମଣକାରୀଙ୍କ ସହ ବାପା ରାମ ସିଂହ ଏବଂ ତାଙ୍କ ପତ୍ନୀ ରାଣୀ ବାଈଙ୍କୁ ଗିରଫ କରିଛି।

କଣ ଥିଲା ମାମଲା ?

ପୋଲିସ୍‌ ଅନୁଯାୟୀ, ରାମ ସିଂହ ମାରିପେଡା ବାଂଲା ଗାଁରେ ଏକ ସରକାରୀ ବିଦ୍ୟାଳୟର ପ୍ରଧାନ ଶିକ୍ଷକ। ତାଙ୍କର ଏକ ମାତ୍ର ଝିଅ ଆମେରିକାରେ ରୁହନ୍ତି। ଆଉ ଏକ ମାତ୍ର ପୁଅ ସାଇରାମ ମଦ ପିଇବାକୁ ଟଙ୍କା ନଦେଲେ ପ୍ରତିଦିନ ଗାଳି ଗୁଲଜ କରିବା ସହ ମାରପିଟ୍ କରୁଥିଲା। ଏପରିକି ପୁଅକୁ  ହାଇଦ୍ରାବାଦର ଏକ ପୁନର୍ବାସ କେନ୍ଦ୍ରକୁ ପଠାଯାଇଥିଲା। କିନ୍ତୁ ସାଇରାମଙ୍କଠାରେ କୌଣସି ସୁଧାର ଦେଖିବାକୁ ମିଳିନଥିଲା।

ହୁଜୁରାବାଗ ସର୍କଲ ଇନ୍ସପେକ୍ଟର ରାମ ଲିଙ୍ଗ ରେଡ୍ଡି କହିଛନ୍ତି, ଦମ୍ପତ୍ତି ରାଣୀ ବାଈ ନିଜ ପୁଅକୁ ମାରିବା ପାଇଁ ଭାଇ ସତ୍ୟନାରାୟଣକଙ୍କ ସହାୟତା ଲୋଡିଥିଲେ। ପୋଲିସ ଯେବେ ମାମଲାର ତଦନ୍ତ କଲା ଏବଂ ସିସିଟିଭି ଯାଞ୍ଚ କରିବାରୁ ହତ୍ୟାରେ ବ୍ୟବହୃତ କାରର ସନ୍ଧାନ ମିଳିଥିଲା। ପୋଲିସର ସନ୍ଦେହ ଏଥିପାଇଁ ବଢିଥିଲା କାରଣ ପରିବାର ଲୋକେ ପୁଅର ନିଖୋଜ ନେଇ ଏତଲା ଦେଇଥିଲେ। କିନ୍ତୁ କାର ବିଷୟରେ କିଛି ଜଣାଇନଥିଲେ। ପରେ ଜଣା ପଡିଲା ଯେ,ବାପା-ମାଆ ଅକ୍ଟୋବର ୨୫ରେ ଯେବେ ପୁଅର ମୃତଦେହ ଚିହ୍ନଟ ପାଇଁ ଶବ ବ୍ୟବଚ୍ଛେଦ ଗୃହକୁ ପହଞ୍ଚିଲେ ତେବେ ଉକ୍ତ କାରରେ ଆସିଥିଲେ।

ପୋଲିସ ଅନୁସାରେ, ସତ୍ୟ ନାରାୟଣ ପୁଅର ହତ୍ୟା ପାଇଁ ଆର ରବି, ଡି ଧର୍ମା, ପି ନାଗାରାଜୁ, ଡି ସାଇ ଏବଂ ବି ରାମବାବୁଙ୍କୁ ସାମିଲ୍ କରାଇଥିଲେ। ଦମ୍ପତ୍ତି ସୁପାରୀ ପାଇଁ ଅଗ୍ରୀମ ଏକ ଲକ୍ଷ ୫୦ ହଜାର ଟଙ୍କା ଦେଇଥିଲେ। ବାକି ୬ ଲକ୍ଷ ୫୦ ହଜାର ଟଙ୍କା ଦେବା ବାକି ଥିଲା। ଅକ୍ଟୋବର ୧୮ରେ ସତ୍ୟ ନାରାୟଣ ଏବଂ ରବି ସାଇ ରାମଙ୍କୁ ପରିବାରଙ୍କ କାରରେ କଲ୍ଲେପଲ୍ଲୀ ସ୍ଥିତ ଏକ ମନ୍ଦିର ଯାଇଥିଲେ। ସମସ୍ତେ ସେଠାରେ ମଦ ପିଇଥିଲେ। ଆଉ ନିଶା ଅବସ୍ଥାରେ ସାଇ ରାମର ବେକ ଚିପି ହତ୍ୟା କରିଥିଲେ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.