ଡ୍ରାଇଭର୍‌କୁ ନଦୀକୁ ଠେଲି ଦେଇ ଟ୍ରକ୍‌ ଚୋରି କରିଥିଲେ ଅଭିଯୁକ୍ତ, ୪ ଜଣଙ୍କୁ ବାନ୍ଧିଲା ପୋଲିସ୍‌

Published By : Prameya-News7 Bureau | September 28, 2022 IST

ପାରାଦୀପ, ୨୮/୦୯: ଟ୍ରକ୍‌ ଚୋର ଗିରିଫ । ଅଗଷ୍ଟ ୨୧ ତାରିଖରେ ବିହାରର ଚାନ୍ଦ ବାବୁ ନାମକ ଜଣେ ଟ୍ରକ୍ ଡ୍ରାଇଭର ଗୁଜୁରାଟରୁ ଟ୍ରକ୍ ଯୋଗେ ମାଲ୍  ଆଣି ପାରାଦୀପ୍ ଆଇଓସିଏଲ ଆସିଥିଲେ । ଟାଟାରୁ ଟ୍ରକ ଆଣି ଆଇଓସିଏଲ ଆସିଥିବା ଅନ୍ୟ ଦୁଇ ଜଣ ବ୍ୟକ୍ତି ହୁକୁମ ସିଂ ଓ ହରପାଲ୍ ସିଂଙ୍କ ସହ ଚାନ୍ଦ ବାବୁଙ୍କ ବନ୍ଧୁତା ବଢିଥିଲା। ଚାନ୍ଦର ଗାଡିରେ କେହି ହେଲପର୍ ନଥିବାରୁ ଏହି ଦୁଇଜଣ ଚାନ୍ଦର ଟ୍ରକଟିକୁ ବିକ୍ରି କରିବାକୁ ଯୋଜନା କରି ତାକୁ ପ୍ରଚୁର ମଦ ପିଆଇ ଭୂତମୁଣ୍ଡାଇ ପୋଲ ଉପରୁ ନଦୀକୁ ଠେଲି ଦେଇ ଟ୍ରକକୁ ଚୋରିକରି ଥିଲେ ।

ଏହାକୁ ନେଇ ବଇସିଂଗାର ଏକ ଢାବା ମାଲିକ ରାଜା ସହ ଯୋଗାଯୋଗ କରିଥିଲେ । ଢାବା ମାଲିକ ଟ୍ରକଟିକୁ କାଟି ବିକ୍ରି କରିବା ପାଇଁ ତାର ଏକ ସହଯୋଗୀ ଯୋଗେଶ୍ବର ବାରିକ ମାଧ୍ୟମରେ ବାରିପଦାର ଶେକ୍ ବଲ୍ଲାଲ ଉଦିନକୁ ବିକ୍ରି କରିଥିଲେ । ତେବେ ଟ୍ରକଟିକୁ ମୟୂରଭଞ୍ଜ ଚାନ୍ଦୁଆ ଥାନା ଆଉଟ୍ ପୋଷ୍ଟ ଜାନଙ୍ଘିରା ଜଙ୍ଗଲରେ ଲୁଚାଇ ରଖିଥିବା ବେଳେ ଚାନ୍ଦୁଆ ପୋଲିସ ଟ୍ରକଟିକୁ ଜବତ କରିବା ସହ ତଦନ୍ତ ଆରମ୍ଭ କରିଥିଲା।

ଏନେଇ ଗତ ଅଗଷ୍ଟ ୨୬ ତାରିଖରେ ଚାନ୍ଦର ବାପା ପାରାଦୀପ ଅଭୟଚାନ୍ଦପୁର ଥାନାରେ ଏକ ମିଶିଙ୍ଗ୍ କେଶ୍ କରିଥିଲେ। ତେବେ ଅଭୟଚାନ୍ଦପୁର୍ ପୋଲିସ ଘଟଣାର ତଦନ୍ତ କରି ଚୋରି ହୋଇଥିବା ଟ୍ରକ ଜବତ କରିବା ସହ ହୁକୁମ୍ ସିଂ, ହରପାଲ ସିଂ, ଅମଜାଦ ଖାଁ(ରାଜା), ଯୋଗେଶ୍ଵର ବାରିକ ଓ ଏସ୍କେ ବୁଲାଉଦିନକୁ ଗିରଫ କରିଛି । ଟ୍ରକ୍ ଚୋରି କରି ବିକ୍ରି କରିବା ଉଦ୍ଦେଶ୍ୟରେ ଏଭଳି ହୋଇଥିବା ପୋଲିସ କହିଥିବା ବେଳେ ଏପର୍ଯ୍ୟନ୍ତ ଟ୍ରକ ଡ୍ରାଇଭର ଚାନ୍ଦର କୈଣସି ପତା ମିଳିପାରିନାହିଁ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.