କୋଇଲା ଚୋରି ପାଇଁ ଆକ୍ସନ ମୋଡ୍ରେ ପୋଲିସ; ଷ୍ଟିଭେଡୋର ସଂସ୍ଥା ମାଲିକଙ୍କୁ ୧ ଘଣ୍ଟା ଜେରା
29/12/2022 at 6:42 PM

ପାରାଦୀପ ୨୯/୧୨: ପାରାଦ୍ଵୀପ ବନ୍ଦର ନିଷିଦ୍ଧାଞ୍ଚଳରେ ଲୁଟ୍ ହେଉଛି ମୁଲ୍ୟବାନ କୋଇଲା। ବହୁ ଦିନ ହେଲା ହେଉଥିବା ଏହି ଚୋରିକୁ ନେଇ ଏବେ ଆକ୍ସନ ମୋଡ୍ରେ ପାରାଦ୍ଵୀପ ଆଦର୍ଶ ଥାନା। ଏହି ଘଟଣାରେ ପାରାଦ୍ଵୀପ ଜଣାଶୁଣା ସ୍ଵସ୍ତିକ ଷ୍ଟିଭେଡୋର ସଂସ୍ଥାର ମାଲିକ ହରିହର ମିଶ୍ରଙ୍କୁ ପୋଲିସ ଜେରା କରିଛି। ଚଳିତ ଡିସେମ୍ୱର ୧୮ରେ ଇଣ୍ଡିଆ କୋକ୍ ଆଣ୍ଡ ପାଓ୍ବାର ଲିମିଟେଡ୍ ପ୍ଲଟରୁ କୋଇଲା ଚୋରି ହେବା ବେଳେ ବନ୍ଦର ସିଆଇଏସଏଫ ଏକ ଟ୍ରକ୍କୁ ଧରିଥିଲେ। ଟ୍ରକର ମାଲିକଙ୍କ ସହିତ ୨ ଜଣଙ୍କୁ ପୋଲିସ କୋର୍ଟ ଚାଲାଣ କରିଛି।
ଗିରଫ ଅଭିଯୁକ୍ତଙ୍କ ବୟାନ ଅନୁସାରେ ସ୍ଵସ୍ତିକ ଷ୍ଟିଭେଡୋର ସଂସ୍ଥାର ମାଲିକ ହରିହର ମିଶ୍ର ଟ୍ରକ୍ ମାଲିକଙ୍କୁ ୨ ଗୁଣା ଭଡ଼ା ଦେବାକୁ ପ୍ରତିଶୃତି ଦେଇ ତାଙ୍କ ନିଜ ପ୍ଲଟରୁ କୋଇଲା ନେବା ପାଇଁ କହିଛନ୍ତି। ମାତ୍ର ଏହି କୋଇଲା ପ୍ଲଟଟି ହରିହର ମିଶ୍ରଙ୍କ ସ୍ଵସ୍ତିକ ଷ୍ଟିଭେଡୋର ସଂସ୍ଥାର ନଥିଲା ବୋଲି ସେ ଜାଣିନଥିବା ପୋଲିସକୁ କହିଛନ୍ତି। ଏଥିରେ ହରିହର ମିଶ୍ରଙ୍କୁ ପୋଲିସ ନୋଟିସ ଦେବା ସହ ତାଙ୍କୁ ୧ ଘଣ୍ଟା ଜେରା କରିଛି। ପରବର୍ତ୍ତୀ ସମୟରେ ପୁଣି ଜେରା ହେବା ସହ କୋଇଲା ଚୋରି ଘଟଣାରେ ସମ୍ପୃକ୍ତ ଅନ୍ୟମାନଙ୍କୁ ଖୁବ୍ ଶୀଘ୍ର ଧରାହେବ ବୋଲି ଥାନା ପକ୍ଷରୁ କୁହାଯାଇଛି।