ନୂଆଦିଲ୍ଲୀ: ଅନେକ ସମୟରେ ଭାରତୀୟ ଔଷଧର ମାନ ନେଇ ବିଭିନ୍ନ ଦେଶରୁ ପ୍ରଶ୍ନ ଉଠୁଥିଲା। ଏମିତିକି କିଛି ଦେଶର ଭାରତରୁ ରପ୍ତାନୀ ହେଉଥିବା କିଛି ଔଷଧ ଉପରେ ମଧ୍ୟ ବ୍ୟାନ୍ ଲଗାଯାଇଛି। ହେଲେ ଏବେ ନିଜ ଦେଶରେ ହିଁ କମ୍ପାନୀମାନେ ଖରାପମାନର ଔଷଧ ବିକ୍ରି କରି ଜନତାଙ୍କ ଜୀବନ ବିପଦରେ ପକାଉଥିବା ଅଭିଯୋଗ ହୋଇଛି। କମ୍ପାନୀମାନଙ୍କୁ ଲାଭଖୋର ମାନସିକତା ଏମିତି ଘାରିଛି ଯେ ସେମାନେ ଲକ୍ଷ ଲକ୍ଷ ଜୀବନ ସହ ଖେଳୁଛନ୍ତି ବୋଲି କୁହାଯାଉଛି।
ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ ଯେ ଏବେ ୫୦ରୁ ଅଧିକ ଔଷଧ କ୍ୱାଲିଟି ଟେଷ୍ଟରେ ଫେଲ୍ ମାରିଛନ୍ତି। ଏହି ଔଷଧଗୁଡ଼ିକ ମଧ୍ୟରେ କ୍ୟାଲ୍ସିୟମ, ଭିଟାମିନ ଡି ସପ୍ଲିମେଣ୍ଟ, ଆଣ୍ଟି ଡାଇବେଟିସ ପିଲ୍ସ ଓ ହାଇ ବ୍ଲଡ ପ୍ରେସର ମେଡିସିନ ଭଳି ଔଷଧ ରହିଛି। ଭାରତୀୟ ଔଷଧ ନିୟନ୍ତ୍ରକ ବୋର୍ଡ ଏହିସବୁ ଔଷଧର ମାନ ପରୀକ୍ଷା କରିଥିଲା। ପରୀକ୍ଷାରେ ୫୦ରୁ ଅଧିକ ଔଷଧ ଖରାପ କ୍ୱାଲିଟିର ବୋଲି ଜଣାପଡ଼ିଛି।
କେନ୍ଦ୍ର ଔଷଧ ମାନ ନିୟନ୍ତ୍ରକ ସଂଗଠନ(ସିଡିଏସିଓ) ସଦ୍ୟତମ ମାସିକ ଔଷଧ ସଚେତକ ତାଲିକାରେ ୫୩ଟି ଔଷଧକୁ ନଟ୍ ଅଫ୍ ଷ୍ଟାଣ୍ଡାର୍ଡ କ୍ୱାଲିଟି(ଏନଏସକ୍ୟୁ) ଆଲର୍ଟ ଘୋଷଣା କରିଛି। ରାଜ୍ୟ ଅଧିକାରୀଙ୍କ ଦ୍ୱାରା ନିୟମିତ ମାସିକ ନମୁନା ପରୀକ୍ଷଣ ଆଧାରରେ ଏହି ଏନ୍ଏସକ୍ୟୁ ଆଲର୍ଟ କରାଯାଇଛି।
ଭିଟାମିନ ସି ଏବଂ ଡି ୩ ଟେବ୍ଲେଟ ସେଲକାଲ, ଭିଟାମିନ ବି କମ୍ପ୍ଲେକ୍ସ ଏବଂ ଭିଟାମିନ ସି ସଫ୍ଟଜେଲ, ଆଣ୍ଟାସିଡ୍ ପାନ ଡି, ପାରାସିଟାମଲ ଟାବ୍ଲେଟ୍ IP 500 MG, ଆଣ୍ଟି ଡାଇବେଟିକ ଔଷଧ ଗ୍ଲାଇମପିରାଇଡ(Glimepiride), ଉଚ୍ଚ ରକ୍ତଚାପ ଔଷଧ ଟେଲମିସାର୍ଟାନ୍ ଭଳି ୫୩ଟି ମୁଖ୍ୟ ଔଷଧ ଖରାପ ମାନର ବୋଲି ଭାରତୀୟ ଔଷଧ ନିୟନ୍ତ୍ରକ କହିଛନ୍ତି।
ଏହିସବୁ ଔଷଧ, ହେଟେରୋ ଡ୍ରଗ୍ସ, ଆଲକେମ ଲାବୋରୋଟରି ର୍ ହିନ୍ଦୁସ୍ତାନ ଆଣ୍ଟିବାୟୋଟିକ ଲିମିଟି ର୍ କର୍ଣ୍ଣାଟକ ଆଣ୍ଟିବାୟୋଟିକ ଆଣ୍ଡ ଫାର୍ମସୁଟିକଲ ଲିମିଟେଡ, ମେଗ ଲାଇଫସାଇନ୍ସ, ପ୍ୟୁରୋ ଓ କ୍ୟୁର ହେଲ୍ଥକେୟାର ଆଦି କମ୍ପାନୀମାନେ ତିଆରି କରୁଛନ୍ତି।
ଷ୍ଟୋମାକ ଇନ୍ଫେକ୍ସନ ପାଇଁ ହିନ୍ଦୁସ୍ତାନ ଆଣ୍ଟିବାୟୋଟିକ ଲିମିଟେଡ୍ ପ୍ରସ୍ତୁତ କରୁଥିବା ମେଟ୍ରୋନାଇଡାଜୋଲ ମଧ୍ୟ ଖରାପ ମାନର ବୋଲି ଜଣାପଡ଼ିଛି। ଟରେଣ୍ଟ ଫାର୍ମାସୁଟିକଲ ଡିଷ୍ଟ୍ରିବ୍ୟୁଟ କରୁଥିବା ଉତ୍ତରାଖଣ୍ଡର ପ୍ୟୁର ଆଣ୍ଡ କ୍ୟୋର ହେଲ୍ଥକେୟାର ଦ୍ୱାରା ନିର୍ମିତ ସେଲକାଲ ମଧ୍ୟ ଏହି ପରୀକ୍ଷାରେ ସଫଳ ହୋଇ ପାରିନାହିଁ। ସେହିପରି ଆଲକେ ହେଲ୍ଥ ସାଇନ୍ସ ଆଣ୍ଟିବାୟୋଟିକ ଦ୍ୱାରା ନିର୍ମିତ କ୍ଲାଭାମ ୬୨୫ ପାନ ଡିକୁ ନକଲି ଔଷଧ ବୋଲି କହିଛି କୋଲକାତାର ଔଷଧ ପରୀକ୍ଷଣ କରୁଥିବା ଲ୍ୟାବ୍। ସେହିପରି ଛୋଟ ଶିଶୁଙ୍କ ଠାରେ ଦେଖା ଦେଉଥିବା ବ୍ୟାକ୍ଟେରିଆ ଜନିତ ସଂକ୍ରମଣ ପାଇଁ ଦିଆଯାଉଥିବା ହାଇଦ୍ରାବାଦସ୍ଥି ହେଟେରୋ କମ୍ପାନୀର ଔଷଧ ‘ସେପୋଡେମ ଏକ୍ସପି ୫୦ ଡ୍ରାଏ ସସପେସନ’କୁ ଖରାପ ମାନର ବୋଲି କୋଲକାତା ସ୍ଥିତ ଲ୍ୟାବ୍ କହିଛି।
କର୍ଣ୍ଣାଟକ ଆଣ୍ଟିବାୟୋଟିକ୍ସ ଆଣ୍ଡ ଫାର୍ମାସ୍ୟୁଟିକାଲ୍ସ ଲିମିଟେଡ ତିଆରି କରୁଥିବା ପାରାସିଟାମୋଲ ଟାବଲେଟଗୁଡିକ ଖରାପ କ୍ୱାଲିଟିର ବୋଲି ଜଣାପଡ଼ିଛି। ଔଷଧ ନିୟନ୍ତ୍ରକ ପକ୍ଷରୁ କ୍ୱାଲିଟି ଟେଷ୍ଟରେ ଫେଲ୍ ମାରିଥିବା ଦୁଇଟି ଔଷଧ ତାଲିକା ଜାରି କରାଯାଇଛି। ଗୋଟିଏର ୪୫ଟି ବହୁଳ ବ୍ୟବହୃତ ଔଷଧ ରହିଥିବା ବେଳେ ଅନ୍ୟଟିରେ ୫ଟି ଔଷଧ ନାଁ ରହିବା ସହ କମ୍ପାନୀମାନଙ୍କର ଉତ୍ତର ମଧ୍ୟ ଜାରି କରାଯାଇଛି।
ହେଲେ କମ୍ପାନୀମାନେ କିନ୍ତୁ ଏହି ରିପୋର୍ଟକୁ ଖାରଜ କରିଛନ୍ତି। ଟେଷ୍ଟ କରାଯାଇଥିବା ଔଷଧଗୁଡିକ ତାଙ୍କ ଦ୍ୱାରା ତିଆରି କରାଯାଇ ନାହିଁ। ସେସବୁ ନକଲି ଔଷଧ ଥିଲା ବୋଲି ଔଷଧ କମ୍ପାନୀ କହିଛନ୍ତି। ଏଥିସହିତ ଏହାର ତଦଦନ୍ତ କରାଯିବା ଉଚିତ ବୋଲି ସେମାନେ ଅଭିଯୋଗ କରିଛନ୍ତି।
ଏହା ପୂର୍ବରୁ ଅଗଷ୍ଟ ମାସରେ ସିଡିଏସସିଓ ୧୫୬ରୁ ଅଧିକ ଫିକ୍ସ ଡୋଜ୍ ଔଷଧ କମ୍ବିନେସନ ଉପରେ ବ୍ୟାନ ଲଗାଇଥିଲେ। ଏଗୁଡିକ ମଣିଷ ଶରୀର ପାଇଁ ବିପଦ ସୃଷ୍ଟି କରିବ। ତେଣୁ ଭାରତୀୟ ମାର୍କେଟ୍ରେ ବିକ୍ରି କରାଯାଇପାରିବ ନାହିଁ ବୋଲି CDSCO କହିଥିଲେ। ଏହି ଔଷଧଗୁଡ଼ିକରେ ବହୁଳ ବ୍ୟବହୃତ ଜ୍ୱର ଔଷଧ, ପେନ୍କିଲର୍ସ ଏବଂ ଆଲର୍ଜି ଟାବ୍ଲେଟ୍ ରହିଥିଲା।