କିଏ କହୁଛି ସତ ? ପୋଲିସ କହିଲା ଖାଲରେ ପଡି ପନ୍ଥଙ୍କ ଗାଡି ଦୁର୍ଘଟଣା, ରାତାରାତି ହେଲା ରାସ୍ତା ମରାମତି

Published By : Prameya-News7 Bureau | January 02, 2023 IST

ନୂଆଦିଲ୍ଲୀ ୦୨।୦୧ : ସଡକ ଦୁର୍ଘଟଣାରେ ଗୁରୁତର ଆହତ ହୋଇଥିବା ଟିମ୍‌ ଇଣ୍ଡିଆ ୱିକେଟ୍‌ କିପର ରିଷଭ ପନ୍ତ ଡେରାଡୁନ ସ୍ଥିତ ମାକ୍ସ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି । ଅନ୍ୟ ପଟରେ ଉତ୍ତରାଖଣ୍ଡ ପୋଲିସ୍‌ ଦୁର୍ଘଟଣା ଘଟଣାର ତଦନ୍ତ ଆରମ୍ଭ କରିଛି । ଘଟଣାରେ ଏବେ ଆସିଛି ନୂଆ ଟ୍ୱିଷ୍ଟ ।

ସୂଚନାଯୋଗ୍ୟ, ଶୁକ୍ରବାର ସକାଳେ ଦିଲ୍ଲୀରୁ କାର ଚଳାଇ ପନ୍ତ ଉତ୍ତରାଖଣ୍ଡ ସ୍ଥିତ ନିଜ ଘରକୁ ଫେରୁଥିବା ବେଳେ ଦୁର୍ଘଟଣାଗ୍ରସ୍ତ ହୋଇଥିଲେ। ଦିଲ୍ଲୀ-ଡେରାଡୁନ ଜାତୀୟ ରାଜପଥରେ ରୁର୍‌କୀ ନିକଟସ୍ଥ ଏକ ସ୍ଥାନରେ ପନ୍ତଙ୍କ କାର୍‌ ଡିଭାଇଡରରେ ଧକ୍କା ଖାଇ ପଲଟି ଯାଇଥିଲା । କାର୍‌ରେ ନିଆଁ ଲାଗି ଯାଇଥିଲା । ପନ୍ତ ଗୁରୁତର ଆହତ ହୋଇଥିଲେ ।

ରୁର୍‌କୀ ସ୍ଥିତି ଡାକ୍ତରଖାନାରେ ପ୍ରାଥମିକ ଚିକିତ୍ସା ପରେ ପନ୍ତଙ୍କୁ ଡେରାଡୁନ ସ୍ଥିତ ମାକ୍ସ ଡସ୍ପିଟାଲକୁ ସ୍ଥାନାନ୍ତର କରାଯାଇଥିଲା । ସେଠାରେ ତାଙ୍କ ମୁଣ୍ଡରେ ଲାଗିଥିବା ଆଘାତ ସ୍ଥାନର ପ୍ଲାଷ୍ଟିକ ସର୍ଜରୀ କରାଯାଇଥିଲା । ପନ୍ତଙ୍କ ସ୍ୱାସ୍ଥ୍ୟାବସ୍ଥାରେ ଧିରେ ଧିରେ ଉନ୍ନତି ହେଉଛି । ବିସିସିଆଇ ଡାକ୍ତରମାନେ ପନ୍ତଙ୍କ ଆହତ ସମସ୍ୟା ବିଷୟରେ ଡାକ୍ତରଖାନା କର୍ତ୍ତୃପକ୍ଷଙ୍କ ସହ ଆଲୋଚନା କରୁଛନ୍ତି ।

ପନ୍ତ ନିଶାଶକ୍ତ ନଥିଲେ କି ଦ୍ରୁତ ବେଗରେ ଗାଡ଼ ଚଳାଉ ନଥିଲେ ବୋଲି ତଦନ୍ତ କରୁଥିବା ଉତ୍ତରାଖଣ୍ଡ ପୋଲିସ୍‌ ଡିଜି ଅଶୋକ କୁମାର ପ୍ରକାଶ କରିଛନ୍ତି । ରାସ୍ତାରେ ଥିବା ଏକ ଖାଲରେ ଗାଡି ଚକ ପଡ଼ିଯିବା ଫଳରେ ପନ୍ତ ନିୟନ୍ତ୍ରଣ ହରାଇ ଡିଭାଇଡର୍‌ରେ ପିଟି ହୋଇଯାଇଥିବା ପୋଲିସ୍‌ ନିକଟରେ ପ୍ରକାଶ କରିଥିଲେ । ସତ୍ୟାସତ୍ୟ ଜାଣିବା ପାଇଁ ଉତ୍ତର ପ୍ରଦେଶ ସୀମା ସ୍ଥିତ ଜାତୀୟ ରାଜପଥରେ ଲାଗିଥିବା ସିସିଟିଭି କ୍ୟାମେରାର ଭିଡିଓ ଫୁଟେଜ୍‌ ପରୀକ୍ଷା କରାଯାଇଥିଲା ।

ପନ୍ତଙ୍କ କାର୍‌ ଘଣ୍ଟା ପ୍ରତି ୮୦କିଲୋ ମିଟର ବେଗରେ ରହିଥିବା ସ୍ପଷ୍ଟ ହୋଇଛି । ଏପଟେ ହରିଦ୍ୱାର ପୋଲିସ୍‌ ଦୁର୍ଘଟଣା ସ୍ଥଳର ତଦନ୍ତ କରିଛି । ଖାଲରେ ପଡ଼ିବା ପରେ କାର୍‌ର ବେଗ ବଢିଥିବା ଅନୁମାନ କରାଯାଉଛି । ଦୁର୍ଘଟଣା ହେବାର ଦିନକ ମଧ୍ୟରେ ରାସ୍ତାରେ ଥିବା ଖାଲ ଗୁଡ଼ିକୁ ପୋତି ଦିଆଯାଇଛି । ପନ୍ତ କୌଣସି ନିଶା ସେବନ କରିନଥିବା ରୁର୍‌କୀ ସ୍ଥିତ ଡାକ୍ତରଖାନା ପୂର୍ବରୁ ଘୋଷଣା କରିଥିଲା ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.