ଈଶ୍ୱରପୁରରେ ଅଧିକ ମାର୍କ ରଖି ମାଟ୍ରିକ୍‌ରେ ସଫଳତା ପାଇଲେ ପଙ୍କଜିନୀ; ଜାଣନ୍ତୁ ତାଙ୍କ ସଂଘର୍ଷ କାହାଣୀ

Published By : Prameya-News7 Bureau | July 06, 2022 IST

ନୀଳଗିରି ୦୬/୦୭: ଦୃଢ଼ ମନୋବଳ ଓ ଇଚ୍ଛା ଶକ୍ତି ଆଗରେ ସମସ୍ତ ପ୍ରତିବନ୍ଧକ ହାର ମାନିଥାଏ। ତାର ଏକ ଜ୍ୱଳନ୍ତ ଉଦାହରଣ ଦେଖିବାକୁ ମିଳିଛି ବାଲେଶ୍ୱର ଜିଲ୍ଲା ଔପଦା ବ୍ଲକ ଅନ୍ତର୍ଗତ ଈଶ୍ୱରପୁର ପଞ୍ଚାୟତ ଅଧୀନ ବାଙ୍କିପଦା ଗାଁରେ। ବୁଧବାର ସାରା ଓଡ଼ିଶାରେ ମାଟ୍ରିକ୍ ପରୀକ୍ଷା ଫଳ ପ୍ରକାଶ ପାଇଛି। ଏହି କ୍ରମରେ ଈଶ୍ୱରପୁର ଉଚ୍ଚ ବିଦ୍ୟାଳୟର ଦଶମ ଶ୍ରେଣୀର ଛାତ୍ରୀ ପଙ୍କଜିନୀ ମହାନ୍ତି ମେଟ୍ରିକ୍‌ ପରୀକ୍ଷାରେ ୫୭୮ ମାର୍କ ସହ ୯୬.୦୫ ପ୍ରତିଶତ ରଖି ତାଙ୍କ ଅଞ୍ଚଳ ସହ ତାଙ୍କ ବିଦ୍ୟାଳୟ ପାଇଁ ଗର୍ବ ଗୌରବ ଆଣିଛନ୍ତି।

ପିଲାଟି ବେଳୁ ପଙ୍କଜିନୀଙ୍କ ମାଆ ଆରପାରିକୁ ଚାଲିଯାଇଥିଲେ। ମାଆ ଚାଲିଗଲା ପରେ ବାପା ଆଉ ପଙ୍କଜିନୀଙ୍କ କଥା ବୁଝିନଥିଲେ। ଅଜା ଦିବାକର ବିଶ୍ୱାଳ ତାଙ୍କୁ ଔପଦା ବ୍ଲକ ଈଶ୍ୱରପୁର ପଞ୍ଚାୟତ ବାଙ୍କିପଦା ଗାଁକୁ ଆଣି ଲାଳନ ପାଳନ କରିବା ସହ ପାଠପଢ଼ାଇ ଥିଲେ। ପିଲାଟିଦିନରୁ ସେ ତୁଳସୀ ଦୁଇ ପତ୍ରରୁ ବାସିଲା ପରି ପାଠ ପଢି ଜଣେ ମେଧାବୀ ଛାତ୍ରୀ ହେବେ ବୋଲି ଜଣା ପଡ଼ିଥିଲା। ତାଙ୍କ ମାଉସୀ ମଞ୍ଜୁଲତା ବିଶ୍ୱାଳ, ଶିକ୍ଷକ ରମାକାନ୍ତ ମଲ୍ଲିକ ଓ ମନ୍ମଥ ବିଶ୍ବାଳ ତାଙ୍କୁ ପଢ଼଼ାରେ ଅଧିକ ସାହାଯ୍ୟ କରୁଥିଲେ। ସେ ଦିନକୁ ପ୍ରାୟ ୧୦ରୁ ୧୨ ଘଣ୍ଟା ପରିଶ୍ରମ କରି ଏଭଳି ସଫଳତା ପାଇଥିବା କହିଛନ୍ତି।ସେ ଉଚ୍ଚଶିକ୍ଷା ପରେ ଭାରତୀୟ ପ୍ରଶାସନିକ ସେବା ପାଇଁ ପ୍ରସ୍ତୁତ ହେବେ ବୋଲି ଲକ୍ଷ୍ୟ ରଖିଛନ୍ତି ବୋଲି କହିଛନ୍ତି। ଏହି ସଫଳତା ପାଇଁ ବିଦ୍ୟାଳୟର ଶିକ୍ଷକ ଶିକ୍ଷୟିତ୍ରୀ, ଅଜା, ଆଈ, ମାଉସୀ, ମାମୁଁଙ୍କୁ ସେ ସମସ୍ତ ଶ୍ରେୟ ଦେଇଛନ୍ତି।  

ପରୀକ୍ଷାରେ ସଫଳ ହେବା ଖବର ପାଇ ଅଜା, ଆଈଙ୍କ ସହିତ ମାମୁଁ ଘରେ ପଙ୍କଜିନୀ ସମସ୍ତଙ୍କ ଆଶୀର୍ବାଦ ନେଇଥିଲେ। ଅଜାଙ୍କ ଆନନ୍ଦାଶୃ ଝରି ପଡିବା ବେଳେ ପଙ୍କଜିନି ତାଙ୍କର ଲୁହ ପୋଛିଦେବା ସହ ତାଙ୍କର ମାଙ୍କୁ ମନେ ପକାଇଥିଲେ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.