ଜିଲ୍ଲାପାଳଙ୍କ କ୍ଷମତା ପ୍ରୟୋଗ କଲେ ସରପଞ୍ଚ, କରୋନା ସଂକ୍ରମଣ ଆଶଙ୍କାରେ ପଞ୍ଚାୟତକୁ କଲେ ସଟଡାଉନ୍

Published By : Prameya-News7 Bureau | August 28, 2020 IST

ବାଲିପାଟଣା, ୨୮।୦୮: ଖୋର୍ଦ୍ଧା ଜିଲ୍ଲା ବାଲିପାଟଣା ବ୍ଲକ ତୁରିନ୍ତିରା ଗ୍ରାମ ପଞ୍ଚାୟତକୁ ସାତ ଦିନ ପାଇଁ ସଟ୍‌ଡାଉନ୍ ଘୋଷଣା କରାଯାଇଛି । ସ୍ଥାନୀୟ ସରପଞ୍ଚ ସୁଲୋଚନା ଦେଇ କରୋନା ସଂକ୍ରମଣ ଆଶଙ୍କାରେ ପଞ୍ଚାୟତକୁ ସଟଡାଉନ୍ ଘୋଷଣା କରିଛନ୍ତି ।

ଅଗଷ୍ଟ ୨୮ ତାରିଖ ସଂଧ୍ୟା ୭ ଟା ଠାରୁ ସେପ୍ଟେମ୍ବର ୩ ତାରିଖ ସକାଳ ୭ଟା ପର୍ଯ୍ୟନ୍ତ ପଂଚାୟତର ସମସ୍ତ ଗ୍ରାମକୁ ସଟ୍‌ଡାଉନ୍ କରାଯାଇଛି । ଏହି ସମୟରେ ଅତ୍ୟାବଶ୍ୟକୀୟ ସେବା ବ୍ୟତୀତ ଅନ୍ୟ କୌଣସି ଦୋକାନ, ବଜାର, ସେବା ଚାଲିପାରିବ ନାହିଁ । ପଞ୍ଚାୟତର କୌଣସି ବ୍ୟକ୍ତି ବାହାରକୁ ବାହାରିବେ ନାହିଁ କିମ୍ବା ଅଯଥାରେ ଯାନବାହାନ ଚଳାଚଳ କରିପାରିବ ନାହିଁ ।

ଦିନକୁ ଦିନ କରୋନା କାୟା ବିସ୍ତାର କରିଚାଲିଛି । ବିଶେଷକରି ରାଜଧାନୀ ଏବଂ ଏହାର ଉପକଣ୍ଠ ଅଂଚଳରେ କରୋନା ଅଣାୟତ ହେଉଛି । ବାଲିପାଟଣା ବ୍ଲକ ତୁରିନ୍ତିରା ଗ୍ରାମ ପଞ୍ଚାୟତରେ ଦିନକୁ ଦିନ କରୋନା ସଂକ୍ରମିତଙ୍କ ସଂଖ୍ୟା ବଢିବଢି ଚାଲିଛି । ପଞ୍ଚାୟତରେ ୨୭ ଜଣ କରୋନାରେ ଆକ୍ରାନ୍ତ ହେଲେଣି । ଏହି ଗ୍ରାମପଞ୍ଚାୟତ ଅଧିନ ଆଇତଳଙ୍ଗ ଗ୍ରାମରେ ମୋଟ ୧୯ ଜଣ ସଂକ୍ରମିତ ହେବା ସହ ଜଣଙ୍କର କରୋନାରେ ମୃତ୍ୟୁ ଘଟିଛି । ଭୁବନେଶ୍ୱରରେ କାର୍ଯ୍ୟ କରୁଥିବା ଦୁଇଜଣ ଯୁବକ ସଂକ୍ରମିତ ହେବା ପରେ ଗ୍ରାମରେ ସଂକ୍ରମିତଙ୍କ ସଂଖ୍ୟା ବଢି ବଢି ଚାଲିଛି । ସଂକ୍ରମିତଙ୍କୁ ନିଜ ଘରେ ଆଇସୋଲେସନ୍ ରେ ରହିବାକୁ ପରାମାର୍ଶ ଦିଆଯାଇଛି । ମାତ୍ର କିଛି ସଂକ୍ରମିତ ବାହାରେ ବୁଲୁଥିବା ମଧ୍ୟ ଦେଖାଯାଉଛି । ଯାହା ସମସ୍ତଙ୍କ ପାଇଁ ବିପଦ ସୃଷ୍ଟି କରିପାରେ ।

ଏହାକୁ ଦୃଷ୍ଟିରେ ରଖି ସରପଞ୍ଚ ଜିଲ୍ଲାପାଳ କ୍ଷମତା ପ୍ରୟୋଗ କରି ଏଭଳି ନିଷ୍ପତି ନେଇଛନ୍ତି । ଅମାନିଆ ହେଲେ ଆଇନ୍‌ ଅନୁଯାୟୀ ଦୃଢ କାଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ସରପଞ୍ଚ ସୂଚାଇ ଦେଇଛନ୍ତି । ସଟଡାଉନ୍ ବାବଦରେ ମାଇକ୍‌ ଯୋଗେ ପ୍ରଚାର କରାଯାଇଛି । ପଂଚାୟତର ସମସ୍ତ ଅଧିବାସୀ ଏହି ସଟ୍‌ଡାଉନ୍ କଟକଣା ମାନିବାକୁ ନିବେଦନ କରାଯାଇଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.