'ପଞ୍ଚାୟତ-୩'କୁ ମିଳିଛି ଦର୍ଶକୀୟ ଆଦୃତି, ଜାଣନ୍ତୁ ଷ୍ଟାରକାଷ୍ଟଙ୍କ ଫି'

Published By : Prameya-News7 Bureau | June 10, 2024 IST

ମୁମ୍ଵାଇ ୧୦।୦୬; ପଞ୍ଚାୟତ’ର ପ୍ରଥମ ସିଜନ୍‌ ଓଟିଟି ପ୍ଲାଟଫର୍ମରେ  ମୁକ୍ତି ପାଇଥିଲା ୨୦୨୦ ମସିହାରେ । ପରବର୍ତ୍ତୀ ସିଜନ୍‌  ଅପେକ୍ଷାରେ ଦିନ ଗଣୁଥିଲେ ଦର୍ଶକ । ପ୍ରାୟ ଦୁଇ ବର୍ଷ  ପରେ ଦ୍ୱିତୀୟ ସିଜନ୍‌ ନେଇ ଓଟିଟି ପରଦାରେ ହାଜର  ହୋଇଥିଲେ ଏହାର ନିର୍ମାତାମାନେ । ତାହା ପରଠାରୁ ତୃତୀୟ ସିରିଜ୍‌କୁ ନେଇ ଦର୍ଶକଙ୍କ ମନରେ ଉତ୍କଣ୍ଠା  ଥିଲା । ଅବଶେଷରେ ୨୦୨୪ ମେ ମାସରେ ମୁକ୍ତି  ପାଇଲା ଏହାର ତୃତୀୟ ସିଜନ୍‌ । ପ୍ରଥମ ଦୁଇଟି ସିଜନ୍‌ର  ସାଫଲ୍ୟ ପରେ ‘ପଞ୍ଚାୟତ ୩’ ନେଇ ଦର୍ଶକମାନେ  ବେଶ୍‌ ଆଶାବାଦୀ ଥିଲେ । ଏହି ସିରିଜ୍‌ରେ ଏକା ଜିତେନ୍ଦ୍ର କୁମାର ନୁହନ୍ତି, ରଘୁବୀର ଯାଦବଙ୍କଠାରୁ ନୀନା ଗୁପ୍ତା,  ଚନ୍ଦନ ରାୟଙ୍କ ଭଳି ଅଭିନେତାମାନେ ନିଜସ୍ୱ ଜାଗା ସୃଷ୍ଟି କରିପାରିଛନ୍ତି । ଦର୍ଶକମାନେ ତୃତୀୟ ପାର୍ଟକୁ ସେତିକି  ଭଲପାଇବା ଦେଇଛନ୍ତି ଯେତିକି ଏହାର ପୂର୍ବବର୍ତ୍ତୀ ୨ଟି  ପର୍ବକୁ ଦେଇଥିଲେ । ସମୀକ୍ଷକମାନଙ୍କ ଅନୁସାରେ ତୃତୀୟ ପାର୍ଟ ଏହାର ପୂର୍ବର ୨ଟି ପାର୍ଟକୁ ଟପିଯାଇଛି ।  

ତେବେ ଜାଣନ୍ତି କି ଏହି ସିଜନ୍‌ରେ କେତେ ଟଙ୍କା ଉପାର୍ଜନ  କରିଛନ୍ତି ଏଥିରେ ଅଭିନୟ କରିଥିବା ଅଭିନେତା,  ଅଭିନେତ୍ରୀମାନେ?  ଚଳିତ ବର୍ଷ ଏହି ସିରିଜ୍‌ର ବଜେଟ୍‌ ଥିଲା ପ୍ରାୟ ୫୦ରୁ  ୮୦ କୋଟି ଟଙ୍କା । ଉପାର୍ଜନ ଦୃଷ୍ଟିରୁ ଅନ୍ୟାନ୍ୟ ଅଭିନେତା,  ଅଭିନେତ୍ରୀଙ୍କୁ ପଛରେ ପକାଇ ଦେଇଛନ୍ତି ଜିତେନ୍ଦ୍ର କୁମାର ।  ଶୁଣିବାକୁ ମିଳିଛି ‘ପଞ୍ଚାୟତ ୩’ରେ ଅଭିନୟ କରି ମୋଟ  ୫ ଲକ୍ଷ ୬୦ ହଜାର ଟଙ୍କା ପାଇଛନ୍ତି ଜିତେନ୍ଦ୍ର । ଏହି  ସିରିଜର ପ୍ରଧାନଜି ଚରିତ୍ର ପାଇଁ ପ୍ରତି ଅଧ୍ୟାୟରେ ନୀନା  ପାଇଛନ୍ତି ୫୦ ହଜାର ଟଙ୍କା । ମୋଟ୍‌ ୪ ଲକ୍ଷ ଟଙ୍କା  ପାରିଶ୍ରମିକ  ପାଇଛନ୍ତି ନୀନା । 

ଏହି ସିରିଜରେ ଗ୍ରାମ ମୁଖିଆଙ୍କ ସ୍ୱାମୀ  ଚରିତ୍ରରେ ଅଭିନୟ କରିଛନ୍ତି ରଘୁବୀର ଯାଦବ ।  ସେ ପାଇଛନ୍ତି ମୋଟ୍‌ ୩ ଲକ୍ଷ ୨୦ ହଜାର ଟଙ୍କା। ଏହି ୱେବ ସିରିଜ୍‌ ଜରିଆରେ ଅଭିନୟ ଜଗତରେ  ପାଦ ରଖିଥିଲେ ଅଭିନେତା ଚନ୍ଦନ ରାୟ । ତାଙ୍କ  ସାରଲ୍ୟରେ ଭରା ଅଭିନୟ ଦର୍ଶକଙ୍କ ମନ  ଜିଣିପାରିଛି, ଯିଏକି ପ୍ରତି ଅଧ୍ୟାୟ ପାଇଁ ୨୦  ହଜାର ଟଙ୍କା ନେଇଥିବାର କୁହାଯାଉଛି ।  ଏହା ବ୍ୟତୀତ ଏହି ସିରିଜରେ ଅଭିନୟ କରିଛନ୍ତି ଦୁର୍ଗେଶ କୁମାର, ସୁନୀତା  ରାଜାୱାର, ସମ୍ବିକାଙ୍କ ଭଳି  ଆହୁରି ଅନେକ ଅଭିନେତା ।

 

 

 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.