ଆରମ୍ଭ ହେବାକୁ ଯାଉଛି ରାଜ ପଞ୍ଚକ, ଜାଣନ୍ତୁ କେଉଁ କାମରେ ମିଳିବ ଲାଭ?
19/11/2023 at 7:43 PM

ହିନ୍ଦୁ ଧର୍ମରେ ଶୁଭ ଓ ମାଙ୍ଗଳିକ କାର୍ଯ୍ୟରେ ଶୁଭ ମୂହୂର୍ତ୍ତ ବାହାର କରାଯାଇଥାଏ। ଏଇଭଳି କିଛି କାଳ ଓ ସମୟ ସମ୍ପର୍କରେ କୁହାଯାଇଛି। ଯେଉଁଥିରେ ଶୁଭ କାମ କଲେ ବି ଅଶୁଭ ଫଳ ମିଳିଥାଏ। ପଞ୍ଚକ କାଳ ମଧ୍ୟ ଏହି ଭଳି ଏକ ସମୟ ଯାହାକୁ ଜଗି ରଖି ଚଳିବାକୁ ପଡେ। ଏହି ସମୟରେ ଶୁଭ ଓ ମାଙ୍ଗଳିକ କାମ କରାଯାଏନି। ନଭେମ୍ବର ମାସ ୨୦ ତାରିଖ ସୋମବାର ରାଜ ପଞ୍ଚକ ଆରମ୍ଭ ହେବାକୁ ଯାଉଛି। ପଞ୍ଚକ ପାଞ୍ଚ ଦିନ ପର୍ଯ୍ୟନ୍ତ ଚାଲିବ ଓ ଏହି ସମୟରେ କିଛି କାମ ବର୍ଜିତ ରହିବ।

ପଞ୍ଚକ ଅନେକ ପ୍ରକାରର ରହିଛି, ଯେପରିକି ଚୋର ପଞ୍ଚକ, ଅଗ୍ନି ପଞ୍ଚ, ମୃତ୍ୟୁ ପଞ୍ଚକ ଓ ରାଜ ପଞ୍ଚକ। ସପ୍ତାହର କେଉଁ ବାରରେ ପଞ୍ଚକ ଆରମ୍ଭ ହେଉଛି ସେହି ଦିନ ଅନୁସାରେ ଏହାର ପ୍ରକାର ନିର୍ଣ୍ଣୟ କରାଯାଇଥାଏ। ସୋମବାର ଆରମ୍ଭ ହେଉଥିବା ପଞ୍ଚକକୁ ରାଜ ପଞ୍ଚକ କୁହାଯାଏ। ଏହି ପଞ୍ଚକକୁ ସରକାରୀ କାର୍ଯ୍ୟ ନିମନ୍ତେ ଶୁଭ ମନେ କରାଯାଏ। ଲୋକମାନ୍ୟତା ରହିଛି ରାଜ ପଞ୍ଚକ କାଳରେ ସରକାରୀ ସମ୍ପର୍କିତ କାମ ଓ ଜମିଜମା କାମ କଲେ ଏଥିରୁ ଶୁଭଫଳ ମିଳିଥାଏ।

ନଭେମ୍ବର ୨୦୨୩ରେ ରାଜ ପଞ୍ଚକ ୨୦ ନଭେମ୍ବର ସୋମବାର ସକାଳ ୧୦ଟା ୭ ମିନିଟ୍ରୁ ଆରମ୍ଭ ହେବାକୁ ଯାଉଛି। ଏହା ୨୪ ନଭେମ୍ବର ଶୁକ୍ରବାର ଅପରାହ୍ନ ୪ଟା ୧ ମିନିଟରେ ସମାପ୍ତ ହେବ। ତେବେ ପଞ୍ଚକ ସମୟରେ ଅବଲମ୍ବନ କରିବାକୁ ଥିବା ସତର୍କତା ମଧ୍ୟରେ ଏହି କାଳରେ ଦକ୍ଷିଣ ଦିଗକୁ ଯାତ୍ରା କରିବା ଅଶୁଭ ମନେ କରାଯାଏ। ସେହିପରି ଏହି ସମୟରେ ଗୃହ ନିର୍ମାଣ ଆରମ୍ଭ କରିବା ବା ଛାତ ପକାଇବା ମଧ୍ୟ ଅଶୁଭ ହୋଇଥାଏ। ପଞ୍ଚକ କାଳରେ ମୃତ୍ୟୁକୁ ମଧ୍ୟ ଅଶୁଭ ମନେ କରାଯାଏ। ଏଣୁ ବିଶେଷ ବିଧିରେ ଶବ ଅନ୍ତିମ ସଂସ୍କାର କରିବାକୁ ହୋଇଥାଏ। ଏଥିରେ ଅଟା ଅଥବା କୁଶର ୫ଟି ପୁତ୍ତଳିକା କରି ଶବ ସହ ଦହନ କରିବାକୁ ହୋଇଥାଏ। ଏହା ପ୍ରତୀକ ରୂପେ କରାଯାଏ। କାରଣ ଯେଉଁ ଘରେ ପଞ୍ଚକରେ କାହାର ମୃତ୍ୟୁ ହୁଏ ସେହି ଘରର ୫ଜଣଙ୍କ ଉପରେ ମୃତ୍ୟୁ ଭଳି କଷ୍ଟ ନଚେତ ଜୀବନ ଉପରେ ଆଞ୍ଚ ଆସିଥାଏ।