ଆଧାର ସହ ପାନ୍ କାର୍ଡ ଲିଙ୍କ୍ କଲେଣି କି ? ତେବେ ତୁରନ୍ତ କରିଦିଅନ୍ତୁ, ନହେଲେ ରଦ୍ଦ ହେବ ପାନ କାର୍ଡ
24/12/2022 at 9:25 PM

ନୂଆଦିଲ୍ଲୀ: ଆପଣ ନିଜ ଆଧାର କାର୍ଡକୁ ପାନ୍ କାର୍ଡ ସହିତ ଲିଙ୍କ୍ କଲେଣି କି ? ଯଦି ଲିଙ୍କ୍ କରି ନାହାନ୍ତି ତେବେ ତୁରନ୍ତ କରିଦିଅନ୍ତୁ। କାରଣ ୨୦୨୩ ମାର୍ଚ୍ଚ ମାସ ସୁଧା ଆଧାର-ପାନ ଲିଙ୍କ୍ ନ ହେଲେ ତେବେ ଆପଣଙ୍କ ପାନ୍ କାର୍ଡ ରଦ୍ଦ ହୋଇଯିବ। ଆୟକର ବିଭାଗ ଆଜି(ଡିସେମ୍ବର ୨୪ ) ଏକ ନିର୍ଦ୍ଦେଶନାମା ଜାରି କରି ଏପରି ଚେତାବନୀ ଦେଇଛି। ଏନେଇ ବିଭାଗ ପକ୍ଷରୁ କହୁଯାଇଛି “ଏହା ବାଧ୍ୟତାମୂଳକ। କାରଣ ଏହା ଖୁବ୍ ଆବଶ୍ୟକୀୟ। ତେଣୁ ବିଳମ୍ବ କରନ୍ତୁ ନାହିଁ।”
ଜାରି ହୋଇଥିବା ନିର୍ଦ୍ଦେଶନାମାରେ କୁହାଯାଇଛି “ ଆୟକର ଆଇନ୍ ୧୯୬୧ ଅନୁସାରେ, ସମସ୍ତ ପାନକାର୍ଡ ଧାରୀଙ୍କ ପାଇଁ ଏହା ବାଧ୍ୟତାମୁଳକ। ଏଥିରେ କାହାରିକୁ ବାଦ ଦିଆଯିବ ନାହିଁ। ତେଣୁ ୩୧.୩.୨୦୨୩ ସୁଧା ଆଧାର-ପାନ କାର୍ଡ ଲିଙ୍କ୍ କରିଦିଅନ୍ତୁ। ନହେଲେ ୧.୪.୨୦୨୩ରେ ଆପଣଙ୍କ ପାନ୍ କାର୍ଡ ରଦ୍ଦ ହୋଇଯିବ।”
୨୦୧୭ ମେ ମାସରେ କେନ୍ଦ୍ର ଅର୍ଥମନ୍ତ୍ରାଳୟ ଜାରି କରିଥିବା ନିର୍ଦ୍ଦେଶନାମା ଅନୁସାରେ, ଯେଉଁମାନେ ଆସାମ, ଜାମ୍ମୁ-କାଶ୍ମୀର ଓ ମେଘାଳୟରେ ରହୁଥିବେ ସେମାନେ ଲିଙ୍କ କରିବେ ନାହିଁ। ସେହିପରି ଅଣଭାରୀତୟଙ୍କୁ ଏପରି କରିବାକୁ ପଡ଼ିବ ନାହିଁ ବୋଲି କେନ୍ଦ୍ର ସରକାର କହିଥିଲେ।
ତେବେ ଯଦି ପାନ୍ କାର୍ଡ ଲିଙ୍କ ନହେଲା ତେବେ ଏହାକୁ ଇନ୍ଭାଲିଡ୍ କରିଦିଆଯିବ। ଫଳରେ ଉପଭୋକ୍ତା ଉକ୍ତ ପାନ୍ କାର୍ଡକୁ ବ୍ୟବହାର କରି ଆଇଟି ରିଟର୍ଣ୍ଣ କରିପାରିବେ ନାହିଁ। ସେହିପରି ପେଣ୍ଡିଂ ଥିବା ରିଫଣ୍ଡ ମଧ୍ୟ ଇଶୁ କରାଯାଇପାରିବ ନାହିଁ। ତା ଛଡ଼ା ଗ୍ରାହକ ବ୍ୟାଙ୍କିଂ କାର୍ଯ୍ୟ ଭଳି ଅନ୍ୟାନ୍ୟ ଆର୍ଥିକ କାରବାରରେ ସମସ୍ୟା ସାମ୍ନା କରିବେ।