ଭୁବନେଶ୍ବର(ଅମର ପଟ୍ଟନାୟକ)୨୧|୮: ଆଜି ବିଲରେ ଚାଷ କାମ କରୁଥିବା ବେଳେ ବଜ୍ରପାତ ହେବାରୁ ଟଳି ପଡ଼ିଛନ୍ତି ୬ ଜଣ ଚାଷୀ। ଆଉ ୪ ଜଣ ଚାଷୀ ଗୁରୁତର ଆହତ ହୋଇଛନ୍ତି। ଆଜି ମଧ୍ୟାହ୍ନରେ ଏପରି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି କେନ୍ଦ୍ରପଡ଼ା ଓ ପୁରୀ ଜିଲ୍ଲାର ବିଭିନ୍ନ ଗାଁରେ । ପୂର୍ବ ଅପେକ୍ଷା ବିଲରେ କାମ କରୁଥିବା ଲୋକେ ଅଧିକ ସଂଖ୍ୟାରେ ବଜ୍ରାଘାତରେ ଆହତ ହେଉଛନ୍ତି ।
{"id":147108}ପୂର୍ବରୁ ରାଜ୍ୟର ପ୍ରତ୍ୟେକ ଅଞ୍ଚଳରେ ବହୁଳଭାବେ ତାଳ ଗଛ ଦେଖିବାକୁ ମିଳୁଥିଲା । ଲୋକେ ଗାଁରେ ଆମ୍ବ ତୋଟା ଭଳି ବ୍ୟାପକ ତାଳ ଗଛ ଲଗାଉଥିଲେ । ବିଶେଷ କରି ବିଲ ହିଡ ମାନଙ୍କରେ ତାଳ ଗଛ ଲଗାଇବା ଚାଷୀଙ୍କର ପାରମ୍ପରିକ ଅଭ୍ୟାସ ଥିଲା । ଲୋକେ ତାଳ ପତ୍ର, ତାଳ ବାହୁଙ୍ଗାର କେରଟ ବା ପଟି ଚାଳ ଛପର ଓ ବାଡ ବୁଜା କାମରେ ବହୁଳ ବ୍ୟବହାର କରୁଥିଲେ ।
{"id":147109,"width":590,"height":787}ଲୋକେ ତାଳ ସଜ ଖାଇବା ସହିତ ପାଚିଲା ତାଳକୁ ମଧ୍ୟ ସୁସ୍ୱାଦୁ ପିଠା କରି ଖାଉଥିଲେ । ତେବେ ତାଳ ଗଛର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଭୂମିକା ଥିଲା ଚାଷୀଙ୍କୁ ବଜ୍ରାଘାତରୁ ସୁରକ୍ଷା ଦେବା । ବଜ୍ରପାତ ଯୋଗୁଁ ପ୍ରତିବର୍ଷ କିଛି ତାଳଗଛ ଜଳିଯାଉଥିବା ବେଳେ ରକ୍ଷା ପାଇଯାଇଥାନ୍ତି ବିଲରେ କାମ କରୁଥିବା ଚାଷୀ ।
{"id":147110,"width":594,"height":446}ଅନ୍ୟ ଗଛ ଭଳି ତାଳ ଗଛ ଛାଇ ଦେଉନଥିବାରୁ ତାହା ଫସଲକୁ କ୍ଷତିଗ୍ରସ୍ତ କରେନାହିଁ । ଅନ୍ୟ ଗଛ ତୁଳନାରେ ଏହା ଅଧିକ ଡେଙ୍ଗା ହେଉଥିବାରୁ ବଜ୍ରପାତକୁ ପ୍ରଥମେ ସାମ୍ନା କରିଥାଏ ତାଳ ଗଛ । ତେଣୁ ପୁରୁଖା ଲୋକେ ସେମାନଙ୍କ ଜାଣତରେ ହେଉ କିମ୍ବା ଅଜାଣତରେ ତାଳ ଗଛ ଲଗାଇ ବଜ୍ରପାତ ଦାଉରୁ ଚାଷୀ ଓ କୃଷି ଶ୍ରମିକଙ୍କୁ ସୁରକ୍ଷା ଦେଉଥିଲେ ।
{"id":147111}ବର୍ତ୍ତମାନ ଅଧିକାଂଶ ଅଞ୍ଚଳରେ ଲୋକେ ତାଳଗଛ ହାଣି ନେବା ସହ ଆଉ ଅଧିକ ତାଳ ନଲଗାଇବା ଯୋଗୁଁ ଅଧିକରୁ ଅଧିକ କୃଷକ ବଜ୍ରପାତର ଶିକାର ହେଉଛନ୍ତି । ଏ ସଂପର୍କରେ ବିଶିଷ୍ଟ ପାଣିପାଗ ବିଜ୍ଞାନୀ ତଥା ନିର୍ଦ୍ଦେଶକ ସି.ଇ.ସି. ସୋଆ ଡକ୍ଟର ଶରତ ଚନ୍ଦ୍ର ସାହୁଙ୍କ ମତ ସ୍ପଷ୍ଟ । ପାରମ୍ପରିକ ଭାବେ ଚାଷ ଜମି ନିକଟରେ ପୂର୍ବରୁ ଲଗାଯାଉଥିବା ତାଳ ଗଛ ଚାଷୀ ଓ ସ୍ଥାନୀୟ ଲୋକଙ୍କ ପାଇଁ ବଜ୍ରପାତ ବେଳେ ସୁରକ୍ଷା କବଚ ଭାବେ କାମ କରିଥାଏ । ଏଭଳି ପାରମ୍ପରିକ ବ୍ୟବସ୍ଥାକୁ ଶ୍ରୀ ସାହୁ ସମର୍ଥନ କରିବା ସହିତ ଚାଷ ଜମି ଅଞ୍ଚଳରେ ଅଧିକରୁ ଅଧିକ ତାଳ ଗଛ ଲଗାଇବା ସପକ୍ଷରେ ମତ ଦେଇଛନ୍ତି ।
{"id":147112,"width":591,"height":339}