ପାକିସ୍ତାନର ପାଲଟା ଆକ୍ରମଣରେ ଇରାନ୍‌ରେ ୯ ମୃତ; କାହିଁକି ଆଟାକ୍ କଲ ? ଜବାବ ମାଗିଲା ତେହରାନ

Published By : Prameya-News7 Bureau | January 18, 2024 IST

ତେହରାନ: ଇରାନ ଉପରେ ପାକିସ୍ତାନର ଜବାବୀ ଆକ୍ରମଣକୁ କଡ଼ା ନିନ୍ଦା କରିଛି ଇରାନ ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ। ପାକିସ୍ତାନ ଏହି ଆକ୍ରମଣ କାହିଁକି କଲା ତା’ର ଜବାବ ରଖିବାକୁ ଇରାନ ତେହରାନ୍ ଥିବା ପାକିସ୍ତାନ ରାଷ୍ଟ୍ରଦୂତଙ୍କୁ ସମନ କରିଛି।

ଏହା ପୂର୍ବରୁ ବୁଧବାର ଇରାନ ପାକିସ୍ତାନ ପୋଷିତ ଜୈଶ ଅଲ୍ ଅଦିଲ ଠିକଣା ଉପରେ ଏୟାର୍ ଷ୍ଟ୍ରାଇକ୍ କରିଥିଲା। ଯାହାକୁ ନେଇ ପାକିସ୍ତାନ ଅସନ୍ତୋଷ ପ୍ରକାଶ କରିବା ସହ ଦୃଢ଼ ଜବାବ ଦେବ ବୋଲି କହିଥିଲା। ଯାହାର ପରିଣାମ ସ୍ୱରୂପ ପାକିସ୍ତାନ ଗୁରୁବାର ଇରାନ ବର୍ଡର ଏରିଆରେ ଭୋର ସମୟରେ ଏୟାରଷ୍ଟ୍ରାଇକ୍‌ କରିଥିଲା। ଘଟଣାରେ ୯ ଇରାନୀ ନାଗରିକଙ୍କର ମୃତ୍ୟୁ ହୋଇଛି।

ଏନେଇ ଇରାନ ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ ପ୍ରବକ୍ତା ନାସେର କନାନୀ କହିଛନ୍ତି ଯେ ଘଟଣାରେ ପାକିସ୍ତାନ ରାଷ୍ଟ୍ରଦୂତଙ୍କୁ ସମନ କରାଯାଇ ଜବାବ ମଗାଯାଇଛି।

ପ୍ରବକ୍ତା କହିଛନ୍ତି “ପାକିସ୍ତାନ ଇରାନ୍‌ର ସିସ୍ତାନ ବଲୁଚିସ୍ତାନ ରାଜ୍ୟରେ ସୀମାରେ ଆକ୍ରମଣ କରିବା ପରେ ଘଣ୍ଟାକ ଭିତର ତେହରାନ୍‌ରେ ଥିବା ପାକିସ୍ତାନର ବରିଷ୍ଠ ରାଷ୍ଟ୍ରଦୂତଙ୍କୁ ସମନ କରି ଏ ନେଇ ଜବାବ ମଗାଯାଇଛି।”

ସେପଟେ ଇରାନ୍‌ର ଆକ୍ରମଣ ପରେ ବର୍ତ୍ତମାନ ପାକିସ୍ତାନର ଅସ୍ଥାୟୀ ପ୍ରଧାନମନ୍ତ୍ରୀ ଅନୱାର ଉଲ-ହକ୍ କାକର ଡାଭସରେ ହେବାକୁ ଥିବା ବିଶ୍ୱ ଆର୍ଥିକ ସମ୍ମିଳନୀ ଗସ୍ତରେ ପରିବର୍ତ୍ତନ କରିପାରନ୍ତି। ସେହିପରି କାର୍ଯ୍ୟକାରୀ ବୈଦେଶିକ ମନ୍ତ୍ରୀ ଜଲିଲ ଆବ୍ବାସ ଜିଲାନୀ ମଧ୍ୟ ବିଦେଶ ଗସ୍ତ କାଟ କରିଛନ୍ତି ବୋଲି ପାକିସ୍ତାନ ବୈଦେଶିକ ମନ୍ତ୍ରଣାଳୟ କହିଛି।

ସୂଚନା ଥାଉକି, ଇରାନ ଆକ୍ରମଣର ଦିନକ ପୂର୍ବରୁ ପାକିସ୍ତାନ ଇରାନ ଉପରେ ଷ୍ଟ୍ରାଇକ୍ କରିଥିଲା। ଏନେଇ ପାକ୍ ବୈଦେଶିକ ମନ୍ତ୍ରଣାଳୟ ସୂଚନା ଦେଇଥିଲେ। ଇରାନରେ ସକ୍ରିୟ ଆତଙ୍କୀ ସଂଗଠନ ଉପରେ ପାକିସ୍ତାନ ଆଟାକ୍ କରିଥିଲା ବୋଲି ପାକିସ୍ତାନ ଦାବି କରିଥିବା ବେଳେ ଇରାନ ମଧ୍ୟ ସମାନ ଦାବି କରିଥିଲା।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.