ଜଙ୍ଗଲର ରାଜାକୁ ପାଳିବା ପାଇଁ ଟଙ୍କା ନାହିଁ : ଚିଡିଆଖାନାର ସିଂହକୁ ବିକ୍ରି କରିଦେବ ପାକିସ୍ତାନ

Published By : Prameya-News7 Bureau | August 08, 2022 IST

ଲାହୋର,୦୮/୦୮: କାଙ୍ଗାଳ ହେବାକୁ ବସିଛି ପାକିସ୍ତାନ । ଏଠାରେ ଅର୍ଥାଭାବ ଏତେ ଯେ ଗାଈ-ମଇଁଷିଠୁ ବି କମ୍ ଦାମରେ ଏଠାରେ ବିକ୍ରି ହେଉଛି ସିଂହ । ଆର୍ଥିକ ବୋଝ ସମ୍ଭାଳି ନପାରି ବିଭିନ୍ନ ଚିଡିଆଖାନାରେ ଥିବା ସିଂହଙ୍କୁ ବିକିବା ଆରମ୍ଭ କରିଛନ୍ତି ପାକିସ୍ତାନ ସରକାର । ମାତ୍ର ଦେଢ ଲକ୍ଷ ଟଙ୍କାରେ ଜଙ୍ଗଲର ରାଜାକୁ ବିକ୍ରି କରାଯାଉଛି । ତେବେ ଅନଲାଇନ ମାର୍କେଟରେ ମଇଁଷି ସିଂହଠୁ ଅଧିକ ଦାମ୍ ବା ଦଶ ଲକ୍ଷ ଟଙ୍କାରେ ବିକ୍ରି ହେଉଛି ।

ଲାହୋର ଚିଡିଆଖାନାର ନିର୍ଦ୍ଦେଶକ କହିଛନ୍ତି ଯେ, ଏଠାରେ ଥିବା ୧୨ଟି ସିଂହ ବିକ୍ରି ପାଇଁ ନିଲାମ ଡକାଯିବ । ଏହା ଫଳରେ ଆର୍ଥିକ ସ୍ଥିତି ସୁଧୁରିବ । ଟଙ୍କା ଯୋଗାଡ କରାଯିବ । ସିଂହଙ୍କୁ ରଖିବା ପାଇଁ ସ୍ଥାନ ଓ ଅର୍ଥ ବ୍ୟୟ ହେଉଛି । ଯାହା ବୋଝ ସଦୃଶ ଅଟେ । ବିକ୍ରି ହେବାକୁ ଥିବା ସିଂହ ମଧ୍ୟରେ ତିନୋଟି ସିଂହି ରହିଛନ୍ତି । ସେମାନଙ୍କୁ ପଶୁପ୍ରେମୀଙ୍କୁ ବିକ୍ରି କରାଯିବ ।

ଦୋହଲି ଯାଇଛି ଆର୍ଥିକ ମେରୁଦଣ୍ଡ

ରିପୋର୍ଟ ଅନୁସାରେ, ଚିଡିଆଖାନାରେ ସିଂହଙ୍କ ରକ୍ଷଣାବେକ୍ଷଣ ଖର୍ଚ୍ଚ ବୃଦ୍ଧି ପାଇଛି । ତେଣୁ ଏମାନଙ୍କୁ ବିକ୍ରି କରାଯିବା ନେଇ ନିଷ୍ପତ୍ତି ନିଆଯାଇଥିଲା । ଲାହୋର ଚିଡିଆଖାନା ୧୪୨ ଏକର ଏରିଆରେ ପରିବ୍ୟାପ୍ତ । ତେବେ ଏଥିରେ ଥିବା ୪୦ ସିଂହଙ୍କୁ ଦେଖିବା ପାଇଁ ଲୋକେ ଆସିଥାନ୍ତି ।

ଗତବର୍ଷ ବିକ୍ରି ହୋଇଥିଲା ୧୪ ସିଂହ

ସିଂହଙ୍କୁ ପାଳନ କରିବା ଚିଡିଆଖାନା କର୍ତ୍ତୃପକ୍ଷଙ୍କ ପାଇଁ ଏବେ କଷ୍ଟକର ହୋଇଯାଇଛି । ତେଣୁ ସେମାନେ କିଛି ସିଂହ ବିକ୍ରି କରିବା ପାଇଁ ନିଷ୍ପତ୍ତି ନେଇଛନ୍ତି । ଆଗାମୀ ସପ୍ତାହରେ ଏମାନଙ୍କୁ ବିକ୍ରି କରାଯିବ । ଗତବର୍ଷ ମଧ୍ୟ କର୍ତ୍ତୃପକ୍ଷ ଏଠାରୁ ୧୪ଟି ସିଂହକୁ ବିକ୍ରି କରିଦେଇଥିଲେ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.