ଜାତିସଂଘ ଅଧିକାର ପରିଷଦରେ ପାକିସ୍ତାନର ଉପସ୍ଥିତିକୁ ‘ଅସହନୀୟ’ କହିଲେ ଏନଜିଓ UN Watch
8/11/2020 at 7:22 PM

ଜେନେଭା: ଜାତିସଂଘ ମାନବାଧିକାର ପରିଷଦରେ ପାକିସ୍ତାନର ଉପସ୍ଥିତି ଅସହନୀୟ। ଏହା କହିଛି ଜେନେଭାସ୍ଥିତ ଏନଜିଓ ୟୁଏନ୍ ୱଚ୍। ମିଳିତ ଜାତିସଂଘଙ୍କ କାର୍ଯ୍ୟକାରିତା ଉପରେ ନଜର ରଖୁଥିବା ଏନଜିଓର ଏପରି ପ୍ରତିକ୍ରିୟା ଫ୍ରାନ୍ସରେ ଇସ୍ଲାମ ଆତଙ୍କବାଦୀଙ୍କ ଦ୍ୱାରା ଜନୈକ ଫରାସୀ ଶିକ୍ଷକଙ୍କ ମୁଣ୍ଡକାଟ ଘଟଣାକୁ ନେଇ ପାକିସ୍ତାନର ମନ୍ତବ୍ୟ ପରେ ଆସିଛି। ପ୍ରସଙ୍ଗରେ ପାକିସ୍ତାନ ଅଭିବ୍ୟକ୍ତିର ସ୍ୱତନ୍ତ୍ରତା ନାମର ଈଶ୍ୱର ନିନ୍ଦା କେବେବି କ୍ଷମଣୀୟ ନୁହେଁ ବୋଲି କହିଛି।
ଦକ୍ଷିଣ ଏସିୟଦେଶରେ ଧାର୍ମିକ ସଂଖ୍ୟାଲଘୁମାନେ ସାମ୍ପ୍ରଦାୟିକ ଭେଦଭାବ, ସାମ୍ପ୍ରଦାୟିକ ହିଂସା ଓ ଜୋରଜବରଦସ୍ତ ଧର୍ମାନ୍ତରଣ ଭଳି ସମସ୍ୟାରେ ଗ୍ରସିତ ବୋଲି ୟୁଏନ ୱାଚ୍ କହିଛି। ଏଥିରେ ପାକିସ୍ତାନ ଜାତିସଂଘ ମାନବାଧିକାର ପରିଷଦ ଭଳି ଅନୁଷ୍ଠାନରେ ଥାଇ ବି ଦେଶର ନେତାଙ୍କ ଆଚରଣରେ ସାମାନ୍ୟ ପରିବର୍ତ୍ତନ ମଧ୍ୟ ନାହିଁ ବୋଲି ଏନଜିଓ କହିଛି।
ମୈଳବାଦ ଇସ୍ଲାମ ଓ ପୈଗମ୍ବର ମହମ୍ମଦଙ୍କ ରେଖାଚିତ୍ରକୁ ନେଇ ଉପୁଜିଥିବା ପରିସ୍ଥିତିରେ ଫ୍ରାନ୍ସ ରାଷ୍ଟ୍ରପତି ଇମାନୁଏଲ ମେକ୍ରନ୍ ଏବେ ମୁସଲମାନ ବହୁଳ ଦେଶମାନଙ୍କ ଶରବ୍ୟ ହୋଇଛନ୍ତି। ପ୍ରସଙ୍ଗରେ ମେକ୍ରନଙ୍କ ମନ୍ତବ୍ୟ ପାକିସ୍ତାନ ପ୍ରଧାନମନ୍ତ୍ରୀଙ୍କ ହଜମ ହୋଇପାରିନଥିଲା। ଏଣୁ ଇମ୍ରାନ ଖାନ୍ ପ୍ରସଙ୍ଗରେ ଦେଇଥିବା ପ୍ରତିକ୍ରିୟାକୁ ନେଇ ୟୁଏନ ୱାଚ୍ ଜାତିସଂଘ ମାନବାଧିକାର ପରିଷଦରେ ଆପଣଙ୍କ ଉପସ୍ଥିତି ଅସହନୀୟ ବୋଲି କହିଛନ୍ତି।
ପାକିସ୍ତାନ ଗତ ଅକ୍ଟୋବର ମାସରେ ପୁଣି ଥରେ ଜାତିସଂଘ ମାନବାଧିକାର ପରିଷଦକୁ ମନୋନୀତ ହୋଇଛି। ତେବେ ସଦସ୍ୟତାକୁ ୟୁଏନ ୱାଚ୍ ପ୍ରଥମରୁ ବିରୋଧ କରିଆସିଛି। ପାକିସ୍ତାନ ବିଶ୍ୱର ଏକମାତ୍ର ଦେଶ ଯିଏ ‘ବ୍ଲାସଫେମି’ ବୋଲି ଏକ ଆଇନ କାର୍ଯ୍ୟକାରୀ କରୁଛି ଓ ତାହା ବି କେବଳ ଖ୍ରୀଷ୍ଟିଆନ ଓ ଅନ୍ୟ ସଂଖ୍ୟାଲଘୁ ସମ୍ପ୍ରଦାୟଙ୍କ ବିରୋଧରେ ଇସ୍ଲାମ ଆକ୍ରୋସ ସୁଝାଇବାକୁ ବୋଲି କହିଛି ସଂସ୍ଥା। ପାକିସ୍ତାନ ସୃଷ୍ଟି ପରଠାରୁ ଇତିହାସ ଦେଖିଲେ ଏପରି ଶହଶହ ମାମଲା ଭରି ରହିଥିବା ୟୁଏନ ୱାଚ୍ କହିଛି।
ରିପୋର୍ଟର ସାନ୍ସ ଫ୍ରଣ୍ଟିୟର୍ସ (ଆରଏସଏଫ୍) ବିଶ୍ୱ ପ୍ରେସ ସ୍ୱାଧୀନତା ସୂଚକାଙ୍କରେ ପାକିସ୍ତାନ ୨୦ ପ୍ରତିଶତ ତଳେ ରହିଛି। ଏଥିରେ ପାକିସ୍ତାନ ଜାତିସଂଘ ମାନବାଧିକାର ପରିଷଦକୁ ନିର୍ବାଚିତ ହେବା କେତେଦୂର ସମିଚୀନ ବୋଲି ସଂସ୍ଥା ପ୍ରଶ୍ନ କରିଛି। ଯେଉଁଦେଶରେ ନାଗରିକଙ୍କ ଅଧିକାର ହିଁ ନାହିଁ, ସର୍ବାଧିକ ଶିଶୁ ଶୋଷଣର ଅଭିଯୋଗ ବାରମ୍ବାର ହେଉଛି ସେପରି ଦେଶ ଏପରି ସମ୍ମାନଜନକ ସ୍ଥାନରେ ବାସ୍ତବିକ ଅସହନୀୟ ବୋଲି କହିଛି ୟୁଏନ ୱାଚ୍।