ଦିନ ଥିଲା ଆଇସିସିର ବେଷ୍ଟ ଅମ୍ପାୟର ଥିଲେ, ଆଜି ଭରଣପୋଷଣ ପାଇଁ ବିକୁଛନ୍ତି ଜୋତା ଏବଂ ପୋଷାକ
24/06/2022 at 7:02 PM

ନୂଆଦିଲ୍ଲୀ: ଦିନ ଥିଲା ପାକିସ୍ତାନର ଜଣେ ଅମ୍ପାୟର ଅନ୍ତର୍ଜାତୀୟ କ୍ରିକେଟରେ ବେଶ ଖ୍ୟାତି ଅର୍ଜନ କରିଥିଲେ। ତାଙ୍କ ଅମ୍ପାୟରିଂ ବେଶ ଉଚ୍ଚକୋଟିର ଥିଲା। ସେଥିପାଇଁ ଆଇସିସି ତାଙ୍କୁ ବଡ ବଡ ମୁକାବିଲାରେ ଅମ୍ପାୟରିଂ ପାଇଁ ନିଯୁକ୍ତି କରିଥିଲା ସେ ଅମ୍ପାୟର ହେଉଛନ୍ତି ଅସଦ ରାଉଫ। ତେବେ ରାଉଫ ବର୍ତ୍ତମାନ ଜୋତା ଏବଂ କପଡା ଦୋକାନ ଚଲାଉଛନ୍ତି। ୨୦୦୦ରୁ ୨୦୧୩ ମଧ୍ୟରେ ୧୭୦ ଅନ୍ତର୍ଜାତୀୟ ମ୍ୟାଚରେ ଅମ୍ପାୟରିଂ କରିଥିବା ରାଉଫଙ୍କୁ ପରବର୍ତ୍ତୀ ସମୟରେ ବାସନ୍ଦ କରାଯାଇଥିଲା। । ସେ ଅମ୍ପାୟରିଂର ଏଲିଟ୍ ପ୍ୟାନେଲରେ ଥିଲେ। ସେ ବିଶ୍ଵ କପ୍, ଆଇପିଏଲରେ ଅମ୍ପାୟରିଂ କରିଛନ୍ତି। ଏବେ ଅସଦଙ୍କ କ୍ରିକେଟ୍ ପ୍ରତି ରୁଚି ନାହିଁ।
ଅସଦ କହିଛନ୍ତି, ସେ ଏହି କାମ ନିଜ ପାଇଁ ନୁହେଁ ବରଂ ତାଙ୍କ ଷ୍ଟାଫ ପାଇଁ କରୁଛନ୍ତି। ଅସଦ ପାକ୍ ଟିଭିକୁ ଦେଇଥିବା ସାକ୍ଷାତକାରରେ କହିଛନ୍ତି ଏହି କାମ ମୋ ପାଇଁ କରୁ ନାହିଁ। ଏହା ମୋ ଷ୍ଟାଫଙ୍କ ସାହାଯ୍ୟ ପାଇଁ କରୁଛି। ମୁଁ ନିଜ ଜୀବନରେ ଅନେକ ମ୍ୟାଚରେ ଅମ୍ପାୟରିଂ କରିଛି। ଏବେ ମୋତେ କେହି ଦେଖିବାର ଲୋକ ନାହାନ୍ତି। ମୁଁ ୨୦୧୩ରୁ ଖେଳରୁ ଦୂରରେ ରହିଛି କାରଣ ଥରୁଟିଏ ଯେଉଁ କାମ ଛାଡି ଦିଏ ତାକୁ ସଂପୂର୍ଣ୍ଣ ଭାବେ ଛାଡି ଦିଏ।
ଅସଦକୁ ବିସିସିଆଇ ୨୦୧୬ରେ ବ୍ୟାନ କରିଥିଲା କାରଣ ସେ ଭ୍ରଷ୍ଟାଚାରରେ ଲିପ୍ତ ଥିବା ଜଣା ପଡିଥିଲା। ତାଙ୍କ ନାମ ଆଇପିଏଲ ୨୦୧୩ ସ୍ପଟ୍ ଫିକ୍ସିଂ ସ୍କାଣ୍ଡାଲରେ ସାମ୍ନାକୁ ଆସିଥିଲା। ବୁକିଂଙ୍କଠୁ ସେ ଉପହାର ନେଉଥିବା ଅଭିଯୋଗ ହୋଇଥିଲା। ରାଉଫଙ୍କ ବିରୋଧରେ ଜଣେ ମୋଡେଲ୍ ଯୌନ ଉତ୍ପୀଡନର ଅଭିଯୋଗ ଲଗାଇଥିଲେ। ମୁମ୍ବାଇର ଏହି ମୋଡେଲ୍ କହିଥିଲେ ରାଉଫ ତାଙ୍କୁ ବିବାହ କରିବାକୁ ପ୍ରତିଶ୍ରୁତି ଦେଇଥିଲେ, ହେଲେ ପରବର୍ତ୍ତୀ ମସୟରେ କଥାରୁ ଓହରି ଯାଇଥିଲେ।
ରାଉଫ କହିଛନ୍ତି ସେ ଦୋକାନ ଚଲାଇବା ନେଇ ଖୁସି ଅଛନ୍ତି। ତାଙ୍କର କୌଣସି ଆର୍ଥିକ ସମସ୍ୟା ନାହିଁ। ମୋର ଗୋଟିଏ ଅଭ୍ୟାସ ଯାହା ବି କରେ ତାର ଶୀର୍ଷକୁ ପହଞ୍ଚିବାକୁ ଚେଷ୍ଟା କରିଥାଏ। ମୁଁ ପ୍ରଥମେ ଦୋକାନୀ ଭାବେ କାମ କରିବା ଆରମ୍ଭ କରିଥିଲି ଏବଂ ଏହି କ୍ଷେତ୍ରରେ ମଧ୍ୟ ସଫଳତାର ଶୀର୍ଷ ଛୁଇଁଛି। ମୁଁ କ୍ରିକେଟ୍ ଖେଳିଛି ଏବଂ ଅମ୍ପାୟର ଭାବେ ସଫଳତା ଅର୍ଜନ କରିଛି। ମୋ ମନରେ କୌଣସି ପ୍ରକାରର ଲୋଭ ନାହିଁ। ମୁଁ ବହୁତ ପଇସା ଦେଖିଛି ଏବଂ ଦୁନିଆ ବି ଦେଖିଛି ବୋଲି କହିଛନ୍ତି ଅସଦ ରାଉଫ।