ଇରାକ୍ ଯାଇଥିବା ୫୦ ହଜାର ପାକିସ୍ତାନୀ ତୀର୍ଥଯାତ୍ରୀ ନିଖୋଜ, ଜାଣନ୍ତୁ ଗଲେ କୁଆଡେ?

Published By : Prameya-News7 Bureau | July 28, 2024 IST

ଇସ୍ଲାମାବାଦ : ପାକିସ୍ତାନରୁ ଧାର୍ମିକ ଯାତ୍ରାରେ ଇରାକ୍ ଯାଇଥିବା ୫୦ ହଜାର ଲୋକ ନିଖୋଜ ହୋଇଯାଇଛନ୍ତି। ପାକିସ୍ତାନ ଧାର୍ମିକ ବ୍ୟାପାର ମନ୍ତ୍ରୀ ଚୌଧୁରୀ ସାଲିକ ହୁସୈନ ଏହି ସୂଚନା ଦେଇଛନ୍ତି। ଚାଧୁରୀ ଗତ ବୁଧବାର ଅନୁଷ୍ଠିତ ପାକିସ୍ତାନ ସିନେଟ ସମିତି ବୈଠକରେ ମାନିଛନ୍ତି ଯେ ଇରାକରୁ ଫେରିବାକୁ ଥିବା ପାକିସ୍ତାନୀ ତୀର୍ଥ ଯାତ୍ରୀ ଫେରି ନାହାନ୍ତି ଓ ସେମାନେ ସେଠାରେ ନିଖୋଜ ହୋଇଯାଇଛନ୍ତି। ତେବେ ଇରାକ ସରକାର କହିଛନ୍ତି ଯେ ସେହି ଲୋକେ ସେଠାରେ ଅବୈଧ ରୂପେ କାମ କରୁଛନ୍ତି। 

ସୂଚନା ଅନୁସାରେ ପ୍ରତି ବର୍ଷ ଲକ୍ଷଲକ୍ଷ ତୀର୍ଥ ଯାତ୍ରୀ ଇରାକ୍ ଯାଇଥାନ୍ତି। ବିଶେଷ କରି ଅରବାଇନ ଓ ଅସୁରା ଅବସରରେ ସିୟା ମୁସ୍ଲିମ ଇରାକ ଯାଆନ୍ତି। ସିୟା ମୁସ୍ଲିମଙ୍କ ନିମନ୍ତେ ଅରବାଇନ ତୀର୍ଥ ଯାତ୍ରାର ଖାସ ମହତ୍ୱ ରହିଛି। ପାକିସ୍ତାନର ସଂଖ୍ୟାଲଘୁ ସିୟା ନିୟମିତ ରୂପେ ଇରାକ ଯାଇ ତୀର୍ଥରେ ଅଂଶଗ୍ରହଣ କରନ୍ତି। ତେବେ ଲୋକେ ତୀର୍ଥରେ ଯାଇ ନ ଫେରିବା ଘଟଣାକୁ ପାକିସ୍ତାନ ସରକାର ଏବେ ଗୁରୁତ୍ୱର ସହ ଗ୍ରହଣ କରିଛନ୍ତି। 

ସେପଟେ ଇରାକରେ ଶ୍ରମ ଓ ସାମାଜିକ ବ୍ୟାପାର ମନ୍ତ୍ରୀ ଅହମଦ ଅଲଅସଦୀ ତାଙ୍କ ସରକାର ନିଖୋଜ ଲୋକଙ୍କ ଯାଞ୍ଚ କରିବେ ବୋଲି କହିଛନ୍ତି। ସେ କହିଛନ୍ତି ଯେ ଇରାକ ବିଶ୍ୱର ସବୁପର୍ଯ୍ୟଟକଙ୍କୁ ସ୍ୱାଗତ କରୁଛି। ତେବେ ସ୍ଥାନୀୟ ଆଇନ ଓ ନିୟମର ସମ୍ମାନ କରିବାର ଆବଶ୍ୟକତାକୁ ଗୁରୁତ୍ୱ ଦେଇଥାଏ। ଇରାକ ସରକାରଙ୍କ କହିବା କଥା ହେଉଛି ଗତଦିନରେ ବିଭିନ୍ନ ଦେଶରୁ ପର୍ଯ୍ୟଟକ ଦେଶକୁ ଆସିଛନ୍ତି, ଯେଉଁମାନଙ୍କ ମଧ୍ୟରେ ପାକିସ୍ତାନୀ ମଧ୍ୟ ଥିଲେ। ଏମାନଙ୍କ ମଧ୍ୟରୁ ଅନେକ ଆବଶ୍ୟକ ଆଇନଗତ ପରିମିଟ ବିନା ଏଠାରେ କାମ କରୁଛନ୍ତି। 

ଏହି ଘଟଣାରୁ ଉଭୟ ପାକିସ୍ତାନ ଓ ଇରାକ ସରକାର ସତର୍କ ହୋଇଯାଇଛନ୍ତି। ପାକିସ୍ତାନୀ ସରକାର ଏବେ ନିଖୋଜଙ୍କ ସନ୍ଧାନ ନିମନ୍ତେ ଦେଖରେଖ ପ୍ରଣାଳୀକୁ କଡ଼ାକଡ଼ି କରିଥିବା ବେଳେ ଇରାକ ସରକାର ଅବୈଧ ରୂପେ ରହି କାମ କରୁଥିବା ଲୋକଙ୍କ ବିରୋଧରେ କଡ଼ା ପଦକ୍ଷେପ ନେଇଛନ୍ତି। 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.