ବିଦେଶରେ ଭାରତୀୟଙ୍କୁ ଅପହରଣ କରୁଛନ୍ତି ପାକିସ୍ତାନୀ

Published By : Prameya-News7 Bureau | May 22, 2024 IST

indiatoday

ନୂଆଦିଲ୍ଲୀ: ବିଦେଶରେ ଭାରତୀୟଙ୍କୁ ଟାର୍ଗେଟ୍ କରୁଛନ୍ତି ପାକିସ୍ତାନୀ। ଭାରତୀୟଙ୍କୁ ଅପହରଣ କରି ବନ୍ଧକ ରଖୁଛନ୍ତି, ଓ ପରିବାରକୁ ଟଙ୍କା ମାଗୁଛନ୍ତି। ନିକଟରେ ଏଭଳି ଘଟଣା ତୁର୍କିଏ ଓ କାମ୍ବୋଡ଼ିଆରେ ଦେଖିବାକୁ ମିଳିଛି। ତୁର୍କିଏରେ ୩ ପାକିସ୍ତାନୀ ଶରଣାର୍ଥୀ ଜଣେ ଭାରତୀୟଙ୍କୁ ଅପହରଣ କରି ତାଙ୍କ ପରିବାର ଲୋକଙ୍କୁ ଫୋନ୍ କରି ୨୦ ଲକ୍ଷ ଟଙ୍କା ମାଗିଥିଲେ। ଘଟଣା ସାମ୍ନାକୁ ଆସିବା ପରେ ପୁଲିସ ତଦନ୍ତ କରି ଅଭିଯୁକ୍ତଙ୍କୁ ଗିରଫ କରିଥିଲା।

ମେ ମାସ ଆରମ୍ଭରେ ଏଭଳି ଘଟଣା ଘଟିଥିବା ବେଳେ କାମ୍ବୋଡ଼ିଆରେ ମଧ୍ୟ ସମାନ ଘଟଣା ଘଟିଥିଲା। ଏଠାରେ ପାକିସ୍ତାନୀର ଦୁଇ ନାଗରିକ ଦୁଇ ଭାରତୀୟଙ୍କୁ ଅପହରଣ କରି ସେମାନଙ୍କ ପରିବାରକୁ ଟଙ୍କା ମାଗିଥିଲେ। ତେବେ ସମସ୍ତ ପାକିସ୍ତାନୀ ଅଭିଯୁକ୍ତଙ୍କୁ ଗିରଫ କରାଯାଇଛି। ଏହି ମାମଲାରେ ତୁର୍କିଏ ପୁଲିସ ୩ ଜଣ ପାକିସ୍ତାନୀଙ୍କୁ ଗିରଫ କରିଛି।

ରବିବାର(ମେ ୨୦) ତୁର୍କିଏ ପୁଲିସ କହିଛି ଯେ ଭାରତୀୟ ନାଗରିକଙ୍କୁ ଅପହରଣ କରିଥିବା ୩ ପାକିସ୍ତାନୀ ନାଗରିକଙ୍କୁ ଗିରଫ କରାଯାଇଛି। ଏମାନଙ୍କୁ ତୁର୍କିଏର ଏଦିର୍ନେ ସହରରୁ ଗିରଫ କରାଯାଇଛି ବୋଲି ଖାମା ନ୍ୟୁଜ୍‌ ପୋର୍ଟାଲ୍‌ରେ ଖବର ପ୍ରକାଶ ପାଇଛି। ଭାରତର ରାଧାକୃଷ୍ଣନ ଇସ୍ତାନବୁଲର ଏକ ରେସ୍ତୋରାଁରେ କାମ କରୁଥିଲେ। ଅଭିଯୁକ୍ତ ପାକିସ୍ତାନୀ ରାଧାକୃଷ୍ଣଙ୍କୁ ପ୍ରଶଂସା କରିବା ସହିତ ତାଙ୍କୁ ଏକ ଚାକିରି ଦେବାକୁ କହି ଅପହରଣ କରି ନେଇଥିଲେ। ଏହାପରେ ରାଧାକୃଷ୍ଣଙ୍କ ହାତ-ପାଦକୁ ବାନ୍ଧି ଦେଇଥିଲେ। ଅଭିଯୁକ୍ତମାନେ ରାଧାକୃଷ୍ଣଙ୍କ ପରିବାର ଲୋକଙ୍କୁ ଫୋନ୍ କରି ୨୦ ଲକ୍ଷ ଟଙ୍କା ଦାବି କରିଥିବା ନେଇ ଖାମାରେ ଖବର ପ୍ରକାଶ ପାଇଥିଲା। ମାମଲାରେ ଅପହରଣକାରୀମାନଙ୍କ ଠାରୁ ପୁଲିସ ପିସ୍ତଲ ଜବତ କରିଛି। 

କାମ୍ବୋଡିଆରେ ମଧ୍ୟ ଭାରତୀୟଙ୍କୁ ୩ ସପ୍ତାହ ଧରି ଅପହରଣ କରିଥିବା ଅଭିଯୋଗରେ ରାଜଧାନୀ ଫନୋମ ପେହ୍ନ ପୁଲିସ ଦୁଇ ପାକିସ୍ତାନୀଙ୍କୁ ଗିରଫ କରିଛି। ଏପ୍ରିଲ ୨୫ ତାରିଖରେ ଗିରଫ ହୋଇଥିବା ଦୁଇ ଭାରତୀୟ ହେଲେ ମହମ୍ମଦ ସାଦ ଓ ସୁଦୀପ କୁମାର। ଅପହରଣକାରୀଙ୍କୁ ପୁଲିସ ଧରିବା ପରେ ମେ ୧୬ ତାରିଖରେ ଦୁଇ ଭାରତୀୟଙ୍କୁ ମୁକ୍ତ କରିଦିଆଯାଇଛି। ଦୁଇ ଭାରତୀୟଙ୍କୁ ଅପହରଣ କରି ନିର୍ଯାତନା ଦିଆଯାଇଥିବା ଅଭିଯୋଗ ହୋଇଛି।

ପାକିସ୍ତାନୀ ନାଗରିକ ସବ୍‌ତେନ୍‌ ବିନ ନଶୀର ଏବଂ ସାୟଦ ଅଲି ହୁସେନ୍ ଭାରତୀୟ ନାଗରିକଙ୍କୁ ମିଟିଂ ପାଇଁ ଡାକିଥିଲେ। ଭାରତୀୟ ରେସ୍ତୋରାଁ ଖୋଲିବାକୁ ଜାଗା ଦେବାକୁ ପ୍ରତିଶ୍ରୁତି ଦେଇଥିଲେ। ଏହାପରେ ତାଙ୍କୁ ଗିରଫ କରି ନିଆଯାଇଥିଲା। ଦୁଇ ଭାରତୀୟଙ୍କ ବଦଳରେ ପରିବାର ବର୍ଗକୁ ୧୦ ହଜାର ଡଲାର ଓ ୨୦ ହଜାର ଡଲାର ମାଗିଥିଲେ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.