ପଠାନ ଫିଲ୍ମର ‘ବେସରମ ରଙ୍ଗ’ ଗୀତ କପି ହୋଇଥିବା ଅଭିଯୋଗ: ପାକିସ୍ତାନୀ ଗାୟକ କହିଲେ ମୁଁ ଏଭଳି କେବେ କହି ନାହିଁ
5/01/2023 at 11:10 PM

ନୂଆଦିଲ୍ଲୀ: ଶାହରୁଖ ଖାନ୍ଙ୍କ ‘ପଠାନ’ ଫିଲ୍ମର ଗୀତ ବେସରମ ରଙ୍ଗ ଭାରତରେ ଗେରୁଆ ବସ୍ତ୍ର ପାଇଁ ବିବାଦରେ ରହିଛି। ଗେରୁଆ ବସ୍ତ୍ର ପିନ୍ଧି ଦୀପିକା ଅଶ୍ଲୀଳତା ପ୍ରଦର୍ଶନ କରିଛନ୍ତି ବୋଲି ଅଭିଯୋଗ ହେଉଛି। ଏଥିପାଇଁ ଫିଲ୍ମକୁ ବ୍ୟାନ୍ କରିବାକୁ ଦାବି ଉଠୁଥିବା ବେଳେ ଏବେ ଏହି ଗୀତ ସହିତ ଆଉ ଏକ ବିବାଦ ଛନ୍ଦି ହୋଇଯାଇଛି।
ବେସରମ ରଙ୍ଗ ଗୀତଟି ପାକିସ୍ତାନୀ ଗାୟକ ସାଜଦ ଅଲ୍ଲୀଙ୍କ ଏକ ଗୀତର କପି ବୋଲି ଚର୍ଚ୍ଚା ଜୋର ଧରିଛି। ଏନେଇ ସୋସିଆଲ୍ ମିଡିଆରେ ପ୍ରବଳ ହୋହଲ୍ଲା ହେଉଛି। ପ୍ରକୃତ କଥା ହେଲା କିଛିଦିନ ତଳେ ସଜଦ ଅଲୀ ଏକ ଭିଡିଓ ପୋଷ୍ଟ କରି ତାଙ୍କର ଏକ ଗୀତର କପି ହୋଇଛି ବୋଲି ପରୋକ୍ଷରେ କହିଥିଲେ। ସେ କହିଥିଲେ ଯେ ଏବେ ରିଲିଜ୍ ହୋଇଥିବା ଏକ ଗୀତ ମୋର ୨୬ ବର୍ଷ ତଳର ଏକ ପୁରୁଣା ‘ଅବ୍ କେ ହମ ବିଛଡ଼େ’ ଗୀତକୁ ମନେ ପକାଇ ଦେଉଛି। ତେବେ ସେ ଏଥିରେ ନା କେଉଁ ଗୀତ କଥା କହିଥିଲେ ନା କେଉଁ ଗାୟକ କିମ୍ବା ଗୀତିକାରର ନାଁ ନେଇଥିଲେ।
Take it easy guys….. pic.twitter.com/ZdqBOoqjBX
— Sajjad Ali (@sajjad_official) January 3, 2023
ହେଲେ ସଜଦଙ୍କର ଏହି ବୟାନକୁ ଶାହରୁଖ ଖାନ୍ଙ୍କ ଫିଲ୍ମ ପଠାନର ବେସରମ ରଙ୍ଗ ସହ ଯୋଡ଼ି ଦିଆଯାଇଥିଲା। ଏହି ଗୀତର କିଛି ଟ୍ୟୁନ୍ ସଜଦଙ୍କ ଗୀତ ସହ ମେଳ ଖାଉଛି ବୋଲି କହି ଇଣ୍ଟରନେଟ୍ରେ ହୋହଲ୍ଲା ହୋଇଥିଲା। ଘଟଣା ସମ୍ନାକୁ ଆସିବା ପରେ ଏବେ ପ୍ରତିକ୍ରିୟା ରଖିଛନ୍ତି ପାକିସ୍ତାନୀ ଗାୟକ ସଜଦ ଅଲ୍ଲୀ। ବେସରମ ରଙ୍ଗ ଗୀତ ତାଙ୍କ ଗୀତର କପି ବୋଲି ସେ ଆଦୌ କହିନଥିବା ଅଲ୍ଲୀ କହିଛନ୍ତି।
ଟ୍ୱିଟରେ ଏକ ଭିଡିଓ ପୋଷ୍ଟ କରି ସଜାଦ ଅଲ୍ଲୀ କହିଛନ୍ତି “ ଲୋକେ ଗୀତ ଶୁଣିବା ପରେ କହୁଛନ୍ତି ଯେ ସଜାଦ ଅଲ୍ଲୀ କହୁଛନ୍ତି ମୋ ଗୀତକୁ ନକଲ କରାଯାଇଛି। ସଜାଦ ଅଲ୍ଲୀ ଏମିତି କେବେ କହିଲେ ? ମୋର ସେ ଭିଡିଓ ଦେଖନ୍ତୁ। ସେଥିରେ ନାଁ ମୁଁ କେଉଁ ଗାୟକର ନାଁ ନେଇଛି ନା କୌଣସି ଗୀତର ନା କୌଣସି ମ୍ୟୁଜିକ୍ ଡାଇରେକ୍ଟର ନାଁ ନେଇଛି।”
ଅଲ୍ଲୀ କହିଛନ୍ତି ଯେ ମୁଁ ଏଭଳି କୌଣସି କଥା କହେନି। ନା ଏହି ଗୀତ ମୋର ନା ମୋର ଗୀତର କପି ହୋଇଛି। ମୋତେ ଶସ୍ତା ଲୋକପ୍ରିୟତା ଦରକାର ନାହିଁ ବୋଲି ସେ କହିଛନ୍ତି। ଏହାପରେ ସୋସିଆଲ୍ ମିଡିଆରେ ଟ୍ରୋଲରଙ୍କୁ ଉଚିତ ଜବାବ ଦେଇଛନ୍ତି ସଜାଦ ଅଲ୍ଲୀ। ସେ କହିଛନ୍ତି ଯେ ଇଏ ହେଉଛି ଗୀତ। ଶୁଣ ଆଉ ଏନ୍ଜୟ କର। ଲଢ଼େଇର ଆବଶ୍ୟକତା ନାହିଁ। ଭିଡିଓରେ ଶୁଣନ୍ତୁ କଣ କହିଛନ୍ତି ସଜାଦ।