ପାକିସ୍ତାନ ସେନା ଏବଂ ଗୁଇନ୍ଦା ଏଜେନ୍ସି ବିରୋଧରେ ସଙ୍ଗୀନ ଅଭିଯୋଗ, ହନିଟ୍ରାପ୍‌ରେ ଫସୁଥିଲେ ରାଜନେତା

Published By : Prameya-News7 Bureau | January 04, 2023 IST

ଇସ୍‌ଲାମାବାଦ ୦୪/୦୧: ପାକିସ୍ତାନର ସେନା ଏବଂ ଗୁଇନ୍ଦା ଏଜେନ୍ସି ଆଇଏସ୍‌ଆଇ ବିରୋଧରେ ଏକ ସଙ୍ଗିନ ଅଭିଯୋଗ ଆସିଛି । ପାକ୍‌ର ନାମୀଦାମୀ ଅଭିନେତ୍ରୀ ଓ ମଡେଲ୍‌ଙ୍କ ସହାୟତାରେ ଦେଶର ରାଜନେତାମାନଙ୍କୁ ଟାର୍ଗେଟ୍‌ କରାଯାଉଥିଲା । ‘ହନିଟ୍ରାପ୍‌’ ଦ୍ୱାରା ସେମାନଙ୍କୁ ଫସାଇ ବ୍ଲାକ୍‌ମେଲ୍‌ କରାଯାଉଥିଲା । ଦେଶର ସୁରକ୍ଷା ଦାୟିତ୍ୱ ବୁଝୁଥିବା ସେନା ଓ ଆଇଏସ୍‌ଆଇର ଏଭଳି କାର୍ଯ୍ୟ ବିଶ୍ୱବ୍ୟାପୀ ଚର୍ଚ୍ଚାର ଖୋରାକ ଯୋଗାଇଛି । ପୂର୍ବତନ ସେନା ମୁଖ୍ୟ କମର୍‌ ଜାଭେଦ ବାଜୱା ଏବଂ ପୂର୍ବତନ ଆଇଏସ୍‌ଆଇ ମୁଖ୍ୟ ଫୈଜ ହମିଦ ଏଥିରେ ସାମିଲ ଥିବା ଜଣାପଡ଼ିଛି ।

ପାକ୍‌ ସେନାର ପୂର୍ବତନ ମେଜର ଆଦିଲ ରଜା ଏହି ଅଭିଯୋଗ ଆଣିଛନ୍ତି । ତାଙ୍କ ମୁତାବକ ରାଜଧାନୀ ଇସ୍‌ଲାମାବାଦ ସମେତ ଦେଶର ଅନ୍ୟ ପ୍ରମୁଖ ସ୍ଥାନରେ ସେନା ଏବଂ ଆଇଏସ୍‌ଆଇର ‘ସେଫ୍‌ ହାଉସ୍‌’ ରହିଛି । ଏହିଠାକୁ ନେତାମାନଙ୍କୁ ଡକାଯାଇ ଆପ୍ୟାୟିତ କରାଯାଉଥିଲା । ଏଠାରେ ଅଭିନେତ୍ରୀ ଓ ମଡେଲ୍‌ମାନେ ନେତାମାନଙ୍କର ଶଯ୍ୟା ସଙ୍ଗିନୀ ସାଜୁଥିଲେ । ଏହି ସମୟରେ ସେମାନଙ୍କର ଅଶ୍ଳୀଳ ଭିଡିଓ ଉତ୍ତୋଳନ ହେଉଥିଲା । ପରେ ନେତାମାନଙ୍କୁ ଭିଡିଓ କ୍ଲିପ୍‌ ପଠାଇ ବ୍ଲାକ୍‌ମେଲ୍‌ କରାଯାଉଥିଲା ।

ଆଦିଲ୍‌ ରଜା ୪ ଜଣ ଅଭିନେତ୍ରୀଙ୍କ ନାମ ସ୍ପଷ୍ଟ ଭାବେ ଖୁଲାସା କରିନାହାନ୍ତି । ସେମାନଙ୍କ ନାମର ପ୍ରାରମ୍ଭିକ ଅକ୍ଷରକୁ ବ୍ୟବହାର କରିଛନ୍ତି । ସେମାନେ ହେଲେ ଏମ୍‌ଏଚ୍‌ , ଏମ୍‌କେ, କେକେ ଏବଂ ଏସ୍‌ଏ । ପାକିସ୍ତାନୀ ଗଣମାଧ୍ୟମ ଏମାନଙ୍କୁ ଯଥାକ୍ରମେ ମେହୱିଶ ହୟାତ୍‌, ମାହିରା ଖାନ୍‌, କୁବ୍ରା ଖାନ୍‌ ଏବଂ ସଜଲ୍‌ ଅଲୀ ବୋଲି ଦର୍ଶାଉଛନ୍ତି । କିଛି ଅଶ୍ଳୀଳ ଭିଡିଓ ବି ଲିକ୍‌ ହୋଇଛି । ଏହି ୪ ଜଣ ଅଭିନେତ୍ରୀଙ୍କ ମଧ୍ୟରୁ ଦୁଇଜଣ ଆଦିଲ୍‌ ରଜାଙ୍କ ଅଭିଯୋଗକୁ ଖଣ୍ଡନ କରିଛନ୍ତି । ସେମାନେ ଏହାକୁ ଭିତ୍ତିହୀନ ଦର୍ଶାଇବା ସହ ଆଇନଗତ ପଦକ୍ଷେପ ନେବାକୁ ଚେତାବନୀ ଦେଇଛନ୍ତି ।

ସଜଲ ଅଲୀ ସଫେଇ ଦେଇ କହିଛନ୍ତି, ଆମ ଦେଶର ନୈତିକତା ଉପରେ ବି ପ୍ରହାର କରାଯାଉଛି । ଦେଶ କେଉଁଆଡ଼େ ଯାଉଛି କିଛି ବୁଝାପଡୁ ନାହିଁ । ଲୋକଙ୍କ ସମ୍ମାନ ସହ ଖେଳାଯାଉଛି । ରଜାଙ୍କ ନାମ ନ ନେଇ ସେ ତାଙ୍କ ବିରୋଧରେ କୋର୍ଟଙ୍କ ଦ୍ୱାରସ୍ଥ ହେବେ ବୋଲି କହିଛନ୍ତି । କୁବ୍ରା ଖାନ୍‌ ଆଦିଲ ରଜାଙ୍କୁ ୩ ଦିନ ମଧ୍ୟରେ କ୍ଷମା ପ୍ରାର୍ଥନା କରିବାକୁ କହିଛନ୍ତି । ଅନ୍ୟଥା ତାଙ୍କ ବିରୋଧରେ ମାନହାନି ମକଦ୍ଦମା କରିବା ନେଇ ଚେତାବନୀ ଦେଇଛନ୍ତି । ତେବେ ମାହିରା ଖାନ୍‌ ଓ ମେହୱିଶ୍‌ ହୟାତ୍‌ ନିଜ ପକ୍ଷ ସ୍ପଷ୍ଟ କରିନାହାନ୍ତି ।

ପୂର୍ବତନ ମେଜର ଆଦିଲ ରଜା ନିଜ ସୋସିଆଲ ମିଡିଆ ଆକାଉଣ୍ଟରେ ଏକ ଭିଡିଓ ମେସେଜ୍‌ ଜାରି କରିଛନ୍ତି । ଏଥିରେ ସେ କହିଛନ୍ତି, ପାକିସ୍ତାନୀ ସେନା ନିଜ ଦେଶର ନେତାଙ୍କୁ ହନିଟ୍ରାପ୍‌ ଦ୍ୱାରା ଫସାଉଛି । ବାଜୱା ଓ ଲେଫ୍ଟନାଣ୍ଟ ଜେନେରାଲ ହମିଦ ମଧ୍ୟ ଏଥିରେ ସମ୍ପୃକ୍ତ । ଏମାନେ ଦୁହେଁ ଇମ୍ରାନ୍‌ ଖାନ୍‌ଙ୍କୁ ଜିତାଇଥିଲେ । କିନ୍ତୁ ସମ୍ପର୍କ ବିଗିଡ଼ିବା ପରେ ତାଙ୍କୁ ଗାଦିଚ୍ୟୁତ କରିଥିଲେ । ଉଲ୍ଲେଖନୀୟ, ଆଦିଲ ରଜା ଇମ୍ରାନ୍‌ଙ୍କର ଘନିଷ୍ଠ ଥିଲେ । ଇମ୍ରାନ୍‌ଙ୍କ କହିବା ପରେ ରଜା ପାକିସ୍ତାନର ନାଗରିକତା ଛାଡ଼ି ବ୍ରିଟେନ୍‌ ସ୍ଥାନାନ୍ତର ହୋଇଥିଲେ । ସେଠାରୁ ସେ ଇମ୍ରାନ୍‌ଙ୍କ ସପକ୍ଷ ଏବଂ ବିରୋଧୀଙ୍କ ବିପକ୍ଷରେ ପ୍ରୋପାଗଣ୍ଡା ଭିଡିଓ ଜାରି କରୁଛନ୍ତି ।

ପାକିସ୍ତାନରେ ଖୁବଶୀଘ୍ର ବିକୃତ ରାଜନୀତିର ଆଉ ଏକ ଯୁଗ ଆରମ୍ଭ ହେବାକୁ ଯାଉଛି । ଏହା ପୂର୍ବରୁ ପାକ୍‌ର ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ୍‌ ଖାନ୍‌ଙ୍କ ଏବଂ ପତ୍ନୀ ବୁଶ୍‌ରା ବିବିଙ୍କର ଦୁଇଟି ଅଡିଓ ଲିକ୍‌ ହୋଇଥିଲା । ଦୁଇ ମହିଳାଙ୍କ ସହ ଇମ୍ରାନ୍‌ କଥା ହେଉଥିଲେ । ସେମାନେ ଏଭଳି ଭାଷା ପ୍ରୟୋଗ କରିଥିଲେ, ଯାହାକୁ ଲେଖିବା କିମ୍ବା ଶୁଣିବା ଅସମ୍ଭବ ଥିଲା । ଆଗାମୀ ଦିନରେ କିଛି ଭିଡିଓ ଟେପ୍‌ ବି ଲିକ୍‌ ହୋଇପାରେ । କିନ୍ତୁ ଇମ୍ରାନ୍‌ ଏବଂ ତାଙ୍କ ଦଳ ପାକିସ୍ତାନ ତେହରିକ୍‌-ଏ-ଇନ୍‌ସାଫ (ପିଟିଆଇ) ଅଡିଓ ଟେପ୍‌କୁ ନକଲି ଦର୍ଶାଇଛନ୍ତି । ଆଗକୁ ପାକ୍‌ର ଜାତୀୟ ରାଜନୀତି ସାଙ୍ଘାତିକ ମୋଡ଼ ନେବ ବୋଲି ଅନୁମାନ କରାଯାଉଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.