କେଜରିୱାଲଙ୍କ ସମର୍ଥନରେ ପାକିସ୍ତାନୀ ନେତା ଫବାଦ ଚୌଧୁରୀଙ୍କ ବୟାନ, ଜାଣନ୍ତୁ ଉତ୍ତରରେ କ’ଣ କହିଲେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ?

Published By : Prameya-News7 Bureau | May 25, 2024 IST

ନୂଆଦିଲ୍ଲୀ ୨୫।୫: ପାକିସ୍ତାନର ପୂର୍ବତନ ମନ୍ତ୍ରୀ ତଥା ଇମ୍ରାନ ଖାନଙ୍କ ପାର୍ଟିର ନେତା ଚୌଧୁରୀ ଫବାଦ ହୁସୈନ ପୁଣି ଥରେ ଭାରତୀୟ ଲୋକସଭା ନିର୍ବାଚନ ୨୦୨୪କୁ ନେଇ ଟିପ୍ପଣୀ କରିଛନ୍ତି। ପୂର୍ବରୁ କଂଗ୍ରେସ ନେତା ରାହୁଲ ଗାନ୍ଧିଙ୍କୁ ପ୍ରଶଂସା କରି ଚର୍ଚ୍ଚା ସାଉଁଟିଥିବା ଫବାଦ ଏବେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲଙ୍କ ପ୍ରତି ସହାନୁଭୂତି ଦେଖାଇଛନ୍ତି। ସେ କେଜରିୱାଲଙ୍କ ଏକ ଫଟୋ ଉପରେ ରିପ୍ଲାଇ ଦେଇ ଲେଖିଛନ୍ତି ଯେ ଶାନ୍ତି ଓ ସଦଭାବ ଘୃଣା ଓ ଉଗ୍ରବାଦ ଶକ୍ତିକୁ ପରାସ୍ତ କରୁ।  

ଫବାଦଙ୍କ ଏହି ପୋଷ୍ଟରେ ଅରବିନ୍ଦ କେଜରିୱାଲ ରିପ୍ଲାଇ ଦେଇଛନ୍ତି। କହିଛନ୍ତି ‘ଚୌଧୁରୀ ସାହିବ ମୁଁ ଓ ମୋ ଦେଶର ଲୋକେ ନିଜ ପ୍ରସଙ୍ଗ ସମ୍ଭାଳିବାକୁ ସମ୍ପୂର୍ଣ୍ଣ ସକ୍ଷମ। ଆପଣଙ୍କ ଟ୍ୱିଟ୍‌ର ଆବଶ୍ୟକତା ନାହିଁ। ବର୍ତ୍ତମାନ ପାକିସ୍ତାନର ଅବସ୍ଥା ବହୁତ ଖରାପ। ଆପଣ ଆପଣଙ୍କ ଦେଶକୁ ସମ୍ଭାଳନ୍ତୁ’। ଉଲ୍ଲେଖଯୋଗ୍ୟ ଯେ ଫବାଦ ଚୌଧୁରୀ ଚଳିତ ମାସରେ ଦୁଇଥର ରାହୁଲ ଗାନ୍ଧିଙ୍କୁ ତାରିଫ କରିଛନ୍ତି। ତାଙ୍କର ଏପରି ତାରିଫ ପରେ କଂଗ୍ରେସ ଓ ରାହୁଲ ଗାନ୍ଧିଙ୍କୁ ବିଜେପି ଟାର୍ଗେଟ୍ କରିଥିଲା। 


ଫବାଦ ହୁସୈନ ଏକ୍ସ ରେ ଲେଖିଥିଲେ ଯେ ‘ରାହୁଲ ଗାନ୍ଧିଙ୍କଠାରେ ତାଙ୍କ  ଅଜାଙ୍କ ଭଳି ସମାଜବାଦୀ ଭାବନା ରହିଛି। ବିଭାଜନର ୭୫ ବର୍ଷ ପରେ ବି ଭାରତ ଓ ପାକିସ୍ତାନର ସମସ୍ୟା ଏକା ଭଳି। ରାହୁଲ ସାହେବ ତାଙ୍କ ଶେଷ ଭାଷଣରେ କହିଥିଲେ ୩୦ ଅଥବା ୫୦ ପରିବାର ଭାରତର ୭୦ ପ୍ରତିଶତ ଧନର ମାଲିକ। ଧନ ତ ପାକିସ୍ତାନରେ ବି ଅଛି, ଯେଉଁଠି କେବଳ ପାକ୍ ବିଜନେସ୍ କାଉନସିଲ ନାମକ ଏ ବିଜନେସ୍ କ୍ଲବ ଓ କିଛି ରିୟେଲ ଇଷ୍ଟେଟ୍ ସେଠ୍ ଙ୍କ ପାଖରେ ପାକିସ୍ତାନ ଧନର ୭୫ ପ୍ରତିଶତ ରହିଛି’। 


ରାହୁଲ କହିଥିଲେ ଯେ ଧନର ଉଚିତ ବିତରଣ ପୁଞ୍ଜିବାଦ ନିମନ୍ତେ ସବୁଠୁ ବଡ଼ ଆହ୍ୱାନ। ଏହି ପୋଷ୍ଟ ପୂର୍ବରୁ ବି ଫବାଦ ଅନେକ ଥର ରାହୁଲ ଗାନ୍ଧିଙ୍କୁ ପ୍ରଶଂସା କରିଥିଲେ। ଇମ୍ରାନ ଖାନଙ୍କ ସରକାରରେ ମନ୍ତ୍ରୀ ଥିଲେ ଫବାଦ ଚୌଧୁରୀ, ସେ ଅନର୍ଗଳ ଭାରତ ବିରୋଧୀ ବୟାନବାଜୀ କରୁଥିଲେ। ଭାରତକୁ ଯେତେବେଳେ ଚନ୍ଦ୍ରଯାନ-୩ର ସଫଳତା ମିଳିଥିଲା ସାରା ବିଶ୍ୱ ଭାରତର ଉଚ୍ଚ ପ୍ରଶଂସା କରିଥିବା ବେଳେ ସେ ହିଁ ଏକା ଭାରତ ବିରୋଧରେ ଉଲ୍ଲେଖ କରିଥିଲେ। ଇମ୍ରାନ ପାକିସ୍ତାନ ପ୍ରଧାନମନ୍ତ୍ରୀ ଥିବା ବେଳେ ଫବାଦ ଅନେକ ଥର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ପ୍ରତି ମଧ୍ୟ ଟିପ୍ପଣୀ କରୁଥିଲେ, ଯାହାର ଦେଶରେ ସମାଲୋଚନା ହେଉଥିଲା। 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.