ନୂଆଦିଲ୍ଲୀ ୨୮।୧୧: ଚାଲିଛି ବିବାହ ଋତୁ । ସମସ୍ତେ ନିଜ ବିବାହକୁ ଟ୍ରେଣ୍ଡିଂ କରିବାକୁ ଆପଣାଇଥାନ୍ତି ଭିନ୍ନ ଉପାୟ । ଏବେ ଏପରି ବିଚିତ୍ର କରି ଖୁବ୍ ଚର୍ଚ୍ଚାରେ ପାକିସ୍ତାନର ଜଣେ ଯୁବକ । ନିକଟରେ ତାଙ୍କର ହୋଇଛି ବିବାହ । ସେ ନିଜ ବିବାହ ଦିନ ସଂପୂର୍ଣ୍ଣ ନୋଟ୍ରେ ତିଆରି ଏକ ବରମାଳା ପିନ୍ଧିଥିଲେ । ଯାହା ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିଥିଲା ।
ଯୁବକ ଜଣକ ୩୫ ଫୁଟ ଲମ୍ବା ଏକ ବରମାଳା ପିନ୍ଧିଥିଲେ । ବର ପାକିସ୍ତାନର ପଞ୍ଜାବ ପ୍ରଦେଶର କୋଟଲା ଜାମ୍ ଅଞ୍ଚଳର ବାସିନ୍ଦା । ବରମାଳାକୁ ତାଙ୍କର ଭାଇ ତାଙ୍କୁ ଉପହାର ଭାବେ ଦେଇଥିଲେ । ଏହି ମାଳ ୫୦ ଓ ୭୫ ଟଙ୍କିଆ ନୋଟ୍ରେ ତିଆରି ହୋଇଥିଲା । ୩୫ ଫୁଟ ଲମ୍ବା ବରମାଳାକୁ ୬-୭ ଜଣ ଲୋକ ଧରି ତାଙ୍କ ନିକଟରେ ପହଞ୍ଚାଇଥିଲେ । ପରେ ତାକୁ ତାଙ୍କ ବେକରେ ଲମ୍ବା ଯାଇଥିଲା ।
ଏହି ସମୟରେ ଅତିଥିମାନେ ବରମାଳାକୁ ଆଶ୍ଚର୍ଯ୍ୟ ହୋଇ ଦେଖୁଥିଲେ । ଏହି ମାଳରେ ଲାଗିଥିଲା ୨୦୦୦ଟି ନୋଟ୍ । ସେହି ନୋଟର ମୂଲ୍ୟ ପାକିସ୍ତାନୀ ମୁଦ୍ରାରେ ପ୍ରାୟ ୧ ଲକ୍ଷ ହେବ । ତେବେ ଏହା ପ୍ରଥମ ଘଟଣା ନୁହେଁ ପୂର୍ବରୁ ପଞ୍ଜାବର ଆଉ ଜଣେ ବର ନୋଟ୍ରେ ତିଆରି ୩୦ ଫୁଟର ଏକ ବରମାଳା ପିନ୍ଧିଥିଲେ । ତାର ମୂଲ୍ୟ ପ୍ରାୟ ୫ ଲକ୍ଷ ଥିଲା ।