ପାକିସ୍ତାନ ମତ୍ସ୍ୟଜୀବୀ ମାଲେମାଲ୍, ଜାଲରେ ପଡିଲେ ବିରଳ ମାଛ
14/11/2023 at 4:11 PM

ନୂଆଦିଲ୍ଲୀ ୧୪।୧୧: କାହାର ଭାଗ୍ୟ କେତେବେଳେ ବଦଳିଯିବ ତାହା କାହାକୁ ବି ଜଣାନଥାଏ । କଥାରେ ଅଛି ଭଗବାନ ଯେତେବେଳେ ବି ଦିଅନ୍ତି ଛପର ଫାଡି ଦିଅନ୍ତି । ଏପରି ଏକ ସମାନ ଘଟଣା ପାକିସ୍ଥାନର ଜଣେ ମତ୍ସ୍ୟଜୀବୀଙ୍କ ସହ ଘଟିଛି । ଏହି ମତ୍ସ୍ୟଜୀବୀଙ୍କ ଜାଲରେ ଏପରି କିଛି ମାଛ ଧରା ପଡିଥିଲେ, ଯାହାର ମୂଲ୍ୟ ଲକ୍ଷ ଲକ୍ଷ କୋଟି ଥିଲା । ଶୁଣି ଆଶ୍ଚର୍ଯ୍ୟ ଲାଗୁଛି ନା, କିନ୍ତୁ ଏହା ସତ । ମାଛ ଧରାଳୀ ଏବେ ହୋଇଯାଇଛନ୍ତି କୋଟିପତି ।

ପାକିସ୍ତାନର କରାଚିରେ ଇବ୍ରାହିମ ହୈଦରୀ ନାମକ ଏକ ଗାଁ ଅଛି । ଏହି ଗାଁର ହାଜି ବାଲୋଚ ସୋମବାର ଦିନ ଆରବ ସାଗରକୁ ତାଙ୍କ ସାଥୀଙ୍କ ସହ ଯାଇଥିଲେ ମାଛ ଧରିବାକୁ । ଆଉ ସେତେବେଳକୁ ହିଁ ତାଙ୍କ ଭାଗ୍ୟର ତାଲା ଖୋଲି ସାରିଥିଲା । ଆରବ ସାଗରରେ ଜାଲ ପକେଇଥିଲେ ହାଜି ବାଲୋଚ । ଆଉ ହଠାତ୍ ତାଙ୍କ ଜାଲରେ ଫସିଥିଲା ୧୦ଟି ବିରଳ ମାଛ । ଏଥିରେ କିଛି ଗୋଲ୍ଡେନ୍ ଫିସ୍ ଥିଲେ ଏବଂ ଆଉ କିଛି ସୋଓ୍ବା ଫିସ୍ ଥିଲେ ।

ତେବେ ଖାସ୍ କଥା ହେଉଛି ଏହି ମାଛ ଗୁଡିକର ବଜାର ଦାମ୍ ଆକାଶଛୁଆଁ । ଏହି ମାଛକୁ ନିଲାମ କରିଥିଲେ ହାଜି ବାଲୋଚ । ତାଙ୍କୁ ମୋଟ ୭ କୋଟି ଟଙ୍କା ମିଳିଥିଲା। ଖାସ୍ କଥା ହେଉଛି କେବଳ ଗୋଟିଏ ମାଛର ଦାମ୍ ୭୦ ଲକ୍ଷ ଟଙ୍କା ଥିଲା । ତେବେ ରାତାରାତି ସାରା ପାକିସ୍ତାନରେ ବ୍ୟାପିଗଲା ଏହି ଖବର । ବର୍ତ୍ତମାନ ସେହି ମାଛକୁ ଖୋଜୁଛନ୍ତି ଲୋକମାନେ ।

ଏବେ ପ୍ରଶ୍ନ ଆସୁଛି ଏହି ମାଛ ଏତେ ମହଙ୍ଗା କାହିଁକି ବିକ୍ରି ହୁଏ ? କୁହାଯାଏ କି ସୋଓ୍ବା ମାଛ ବହୁତ ଦୁର୍ଲଭ ଅଟେ । ଏହାର ଓଜନ ୨୦ ରୁ ୪୦ କିଲୋଗ୍ରାମ ଏବଂ ଏହାର ଲମ୍ବ ୧.୫ ମିଟର ପର୍ଯ୍ୟନ୍ତ ହୋଇଥାଏ । କିଛି ଲୋକ ବିଶ୍ବାସ କରନ୍ତି ଯେ ଏହି ସୋଓ୍ବା ମାଛ ପେଟରୁ କିଛି ଔଷଧୀୟ ପଦାର୍ଥ ବାହାରିଥାଏ । ଯାହାର ଆନ୍ତର୍ଜାତୀୟ ବଜାରରେ ବହୁ ଦାମ୍ ଅଟେ ।

ତେବେ ରିପୋର୍ଟ ଅନୁଯାୟୀ, ଏହା ପୂର୍ବରୁ ଜାପାନ ମାଛ ବଜାରରେ ୧୩ କୋଟି ଟଙ୍କାର ଏକ ମାଛ ବିକ୍ରି ହୋଇଥିଲା । ଏହି ମାଛର ଓଜନ ୨୭୬ କିଲୋଗ୍ରାମ ଥିଲା । ଏହି ମାଛଟି ଏକ ବ୍ଲୁ ଫିନ୍ ଟୁନା ମାଛ ଥିଲା । ଏହି ମାଛର ସାରା ବିଶ୍ୱରେ ରହିଛି ଖୁବ୍ ଚାହିଦା । ଏହି ମାଛକୁ ଚୀନ୍ ଏବଂ ଜାପାନ ପରି ଦେଶରେ ଅଧିକ ମାତ୍ରାରେ ଖିଆଯାଏ । ଲୋକମାନେ ଏହି ମାଛ ପାଇଁ ଅଧିକରୁ ଅଧିକ ମାତ୍ରାରେ ଟଙ୍କା ଦିଅନ୍ତି । କାରଣ ଲୋକଙ୍କର ବିଶ୍ୱାସ ରହିଛି ଯେ ଏହି ମାଛର ଅନେକ ଔଷଧୀୟ ଗୁଣ ଅଛି ।
You Can Read: