ବନ୍ଧୁକ ଛାଡି ଚାଷ କରିବ ପାକିସ୍ତାନ ସେନା! ୪୫ ହଜାର ଏକର ଜମି ଉପଲବ୍ଧ କଲେ ପଞ୍ଜାବ ସରକାର
17/03/2023 at 6:49 PM

ଇସ୍ଲାମାବାଦ ୧୭।୩: ପାକିସ୍ତାନ ଏବେ ଗୁରୁତର ଆର୍ଥିକ ସଂକଟ ଦେଇ ଗତି କରୁଛି। ଏଥିରେ ଦେଶରେ ଖାଦ୍ୟାଭାବ ନୂଆ ସମସ୍ୟା ଭାବେ ଉଭା ହୋଇଛି। ବିଦେଶରୁ ଖାଦ୍ୟ ଶସ୍ୟ ଆମଦାନୀ ଲାଗି ବୈଦେଶିକ ମୁଦ୍ରାଭଣ୍ଡାରରେ ଅର୍ଥ ନଥିବା ବେଳେ ଦେଶରେ ଖାଦ୍ୟ ପାଇଁ ଲୋକେ ମରାମରି ହେଉଛନ୍ତି। ଏଥିରେ ସେନା ବନ୍ଧୁକ ଛାଡି ଚାଷ କରିବାକୁ ନିଷ୍ପତ୍ତି ନେଇଛି। ଏଥି ପାଇଁ ପଞ୍ଜାବ ସରକାର ୪୫ ହଜାର ଏକର ଚାଷ ଜମି ଯୋଗାଇ ଦେଇଛନ୍ତି। ଏହି ଜମିରେ ସେନା ‘କର୍ପୋରେଟ ଏଗ୍ରିକଲଚର ଫାର୍ମିଂ’ କରିବ।
ପାକିସ୍ତାନୀ ସେନାକୁ କୃଷି ଭୂମିରେ ଉପଯୋଗ କରିବାକୁ ଏଥି ପାଇଁ ଅନୁମତି ମିଳିଛି ଯାହା ଦ୍ୱାରା ଦେଶର ଖାଦ୍ୟାଭାବ ଦୂର କରାଯାଇ ପାରିବ। ଏହି ପ୍ରକଳ୍ପ ଜଏଣ୍ଟ ଭେଞ୍ଚରରେ ହେବ। ସଶସ୍ତ୍ର ବଳ ସୂଚନା ଅନୁସାରେ ପ୍ରକଳ୍ପକୁ ସଫଳ କରିବା ପାଇଁ ସେନା ମ୍ୟାନେଜମେଣ୍ଟ ସ୍ତରରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରିବ। ଯୋଜନାରେ କୃଷି ଭୂମିର ମାଲିକାନା ପ୍ରାଦେଶିକ ସରକାରଙ୍କ ହାତରେ ରହିବ। ତେବେ କର୍ପୋରେଟ କୃଷିରୁ ମିଳିବାକୁ ଥିବା ରାଜସ୍ୱର କୌଣସି ଲାଭ ସେନାକୁ ମିଳିବ ନାହିଁ।

ରିପୋର୍ଟରୁ ମିଳୁଥିବା ସୂଚନା ଅନୁସାରେ ପଞ୍ଜାବ ସରକାରଙ୍କ ଭକ୍କର, ଖୁଶାବ ଓ ସାହିୱାଲ ଜିଲ୍ଲାରେ ସେନା ୪୫ହଜାର ୨୬୭ ଏକର ଜମିରେ କର୍ପୋରେଟ କୃଷି କରିବ। ବିଭିନ୍ନ ପର୍ଯ୍ୟାୟରେ ଏହି ପ୍ରକଳ୍ପ କାର୍ଯ୍ୟ ହେବ। ପାକିସ୍ତାନୀ ନ୍ୟୁଜ୍ ୱେବସାଇଟ୍ ଜିଓ ଟିଭି ଅନୁସାରେ ଖାଦ୍ୟ ସୁରକ୍ଷା ସୁନିଶ୍ଚିତ କରିବା ଓ କୃଷି ଭୂମିକୁ ପାଣି ଉପଲବ୍ଧ କରାଇବାରେ ସେନା ପ୍ରତିବର୍ଷ କାର୍ଯ୍ୟ କରିଥାଏ। ଅତୀତରେ ସେନା କାରାକୋରମ ରାଜମାର୍ଗ ନିର୍ମାଣ ଭଳି ଜାତୀୟ ଗୁରୁତ୍ୱ ପ୍ରକଳ୍ପର ଅଂଶ ଥିଲା। ଏଥିରେ ଏବେ ସେନା ଦେଶର କୃଷି ଉତ୍ପାଦନ ବଢାଇବା ପାଇଁ ଅଣ୍ଟା ଭିଡିଛି।
ସେନା ଏହି ପ୍ରକଳ୍ପରେ କେବଳ ଚାଷ ଲାଗି ସୁବିଧା ସୃଷ୍ଟି କରିବ। ତେବେ କୃଷି କାର୍ଯ୍ୟରେ ଦେଶର କର୍ପୋରେଟ କମ୍ପାନୀମାନେ ସାମିଲ ହେବେ। ପ୍ରକଳ୍ପରେ ପଞ୍ଜାବ ସରକାରଙ୍କ ଅନାବାଦୀ ଓ ଚାଷ ଅନୁପଯୁକ୍ତ ଜମିର ଉପଯୋଗ ହେବ। ଏଥିରେ ସ୍ଥାନୀୟ ଲୋକଙ୍କୁ ଆଧୁନିକ ଓ ମେସିନକୃତ ଚାଷ ନିମନ୍ତେ ବ୍ୟବହାର କରାଯିବ। ତେବେ ସେନାର ଏହି କାମକୁ ଏବେ କଷ୍ଟକର ବୋଲି କୁହାଯାଉଛି। କାରଣ ଜମିକୁ ଚାଷ ଉପଯୁକ୍ତ କରିବା ପାଇଁ ପାଣି ବ୍ୟବସ୍ଥା କରିବା ବହୁତ ବଡ କାମ ବୋଲି କୁହାଯାଉଛି। ତେବେ ଏଥିଲାଗି ମିଳିତ ଉଦ୍ୟମ ପ୍ରବନ୍ଧନ ବୁଝାମଣା ମାର୍ଚ୍ଚ ୮ ତାରିଖରୁ ସ୍ୱାକ୍ଷର ହୋଇସାରିଛି।