ପାକିସ୍ତାନୀ ଅଭିନେତ୍ରୀ ସବା କମରଙ୍କ ବିରୋଧରେ ମାମଲା ରୁଜୁ : ମସଜିଦ ଭିତରେ ସୁଟ୍ କରିଥିଲେ ଭିଡିଓ
17/08/2020 at 11:59 AM

ନୂଆଦିଲ୍ଲୀ ୧୭/୮: ବର୍ଷୀୟାନ୍ ଅଭିନେତା ଇରଫାନ୍ ଖାନଙ୍କ ସହ ଫିଲ୍ମ ହିନ୍ଦୀ ମିଡିୟମରେ କାମ କରି ସାରିଥିବା ପାକିସ୍ତାନୀ ଅଭିନେତ୍ରୀ ସବା କମର ବିବାଦରେ ରହିଛନ୍ତି। ଲାହୋର ପୋଲିସ୍ ସବା କମର ଏବଂ ଗାୟକ ବିଲାଲ ସଇଦଙ୍କ ବିରୋଧରେ ମାମଲା ରୁଜୁ କରିଛି। ସବା ଏବଂ ବିଲାଲ ଲାହୋରର ବଜିର ଖାନ୍ ମସଜିଦ ଭିତରେ ଏକ ମ୍ୟୁଜିକ୍ ଭିଡିଓ ସୁଟ୍ କରିଥିଲେ। ଏହି ମ୍ୟୁଜିକ୍ ଭିଡିଓର ଏକ ସର୍ଟ କ୍ଲିପ୍ ସୋସିଆଲ ମିଡିଆରେ ଭାଇରାଲ୍ ହେଉଛି। ଏହି କ୍ଲିପରେ ନିକାହର ସିନ୍ ଦେଖାଯାଇଛି ଯାହାକୁ ନେଇ ପାକିସ୍ତାନର ଧାର୍ମିକ ଏବଂ ରାଜନୈତିକ କ୍ଷେତ୍ରରେ ତୀବ୍ର ପ୍ରତିକ୍ରିୟା ସାମନାକୁ ଆସିଛି।

ସୋସିଆଲ ମିଡିଆରେ କେତେକ ୟୁଜର୍ସଙ୍କ କହିବା ଅନୁସାରେ ସବା କମର ଏବଂ ବିଲାଲ ସଇଦଙ୍କ ବିରୋଧରେ ଈଶ୍ବର ନିନ୍ଦାର ମାମଲା ହେବା ଉଚିତ୍ କାରଣ ସେମାନେ ବଜିର ଖାନ୍ ମସଜିଦର ପବିତ୍ରତାର ଅନାଦର କରିଛନ୍ତି। ଏହି ଅଭିଯୋଗକୁ ଆଡଭୋକେଟ୍ ସରଦାର ଫରହତ ମଞ୍ଜୁର ଖାନ୍ ଅଗଷ୍ଟ ୧୩ତାରିଖରେ ପାକିସ୍ତାନ ପେନାଲ କୋଡର ସେକ୍ସନ ୨୯୫ ଅନୁସାରେ ଫାଇଲ କରିଥିଲେ। ଏହି ମାମଲା ସବାଙ୍କ ବ୍ୟତୀତ ବିଲାଲ ଏବଂ ଏହି ମ୍ୟୁଜିକ୍ ଭିଡିଓ ବିରୋଧରେ ରୁଜୁ କରାଯାଇଛି।
ଏହି ମାମଲାରେ ସବା କମର ମଧ୍ୟ ନିଜ ରାୟ ରଖିଛନ୍ତି। ସେ ଟ୍ବିଟରରେ ଲେଖିଛନ୍ତି- ଯେଉଁ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ୍ ହେଉଛି ତାହା କେବଳ ଏକ ସର୍କୁଲାର ମୁଭମେଣ୍ଟ ଥିଲା ଯାହା ଦ୍ବାରା ଆମେ ଏହାକୁ ମ୍ୟୁଜିକ୍ ଭିଡିଓର ପୋଷ୍ଟର ପାଇଁ ଫଟୋ ଉଠାଇ ପାରିବୁ। ଏହି ଭିଡିଓରେ ଏକ ବିବାହିତ ଦମ୍ପତ୍ତିଙ୍କୁ ତାଙ୍କ ନିକାହର ଠିକ୍ ପରେ ଦେଖାଯାଇଛି। ଏହା ସତ୍ବେ ଯଦି ସେମାନେ ଅଜାଣତରେ କାହା ଭାବନାକୁ ଆଘାତ ପହଞ୍ଚାଇଛନ୍ତି ତେବେ ସେମାନେ ହୃଦୟରୁ କ୍ଷମା ମାଗୁଛନ୍ତି। ସମସ୍ତଙ୍କୁ ପ୍ରେମ ଏବଂ ଶାନ୍ତି।

ଏହି ମ୍ୟୁଜିକ୍ ଭିଡିଓର ନାଁ କୁବୁଲ ହେ ଏବଂ ଏହା ଅଗଷ୍ଟ ୧୧ତାରିଖରେ ରିଲିଜ ହୋଇଥିଲା। ଏହି ଭିଡିଓରେ ବିବାଦୀୟ ସିନକୁ ହଟାଇ ଦିଆଯାଇଛି। ଲାହୋର ସେସନ କୋର୍ଟ ସବା ଏବଂ ବିଲାଲଙ୍କୁ ଅନ୍ତରୀଣ ଜାମିନ ଦେଇଛନ୍ତି।
