ହଂକଂର ଲଜ୍ଜାଜନକ ପରାଜୟ, ରବିବାର ଭାରତ-ପାକିସ୍ତାନ ମହାମୁକାବିଲା

Published By : Prameya-News7 Bureau | September 02, 2022 IST

ସାରଜା: ଏସିଆ କପର ଗୁରୁତ୍ଵପୂର୍ଣ୍ଣ ମୁକାବିଲାରେ ପାକିସ୍ତାନ ଦୁର୍ବଳ ହଂକଂକୁ ୧୫୫ ରନର ବିଶାଳ ବ୍ୟବଧାନରେ ହରାଇଛି। ଏହି ବିଜୟ ସହ ପାକିସ୍ତାନ ଚତୁର୍ଥ ଦଳ ଭାବେ ଏସିଆ କପ୍‌ର ସୁପର ୪ରେ ପ୍ରବେଶ କରିଛି। ଆଶା ମୁତାବକ ସେପ୍ଟେମ୍ବର ୪ ରବିବାର ଭାରତ ଏବଂ ପାକିସ୍ତାନ ମଧ୍ୟରେ ପୁଣି ଏକ ହାଇଭୋଲଟେଜ୍ ମୁକାବିଲା ଦେଖିବାକୁ ମିଳିଛି। ସୁପରସଣ୍ଡେରେ ପୁଣି ଏକ ରୋମାଞ୍ଚକର ମୁକାବିଲାର ମଜା ଉଠାଇବେ ସାରା ବିଶ୍ଵର କ୍ରିକେଟ୍ ପ୍ରେମୀ। ପାକିସ୍ତାନ ଦ୍ଵାରା ଧାର୍ଯ୍ୟ ବିଶାଳ ୧୯୪ ରନର ବିଜୟ ଲକ୍ଷ୍ୟକୁ ପିଛା କରି ହଂକଂ ଅତ୍ୟନ୍ତ ଦୟନୀୟ ବ୍ୟାଟିଂ କରି ୧୦.୪ ଓଭରେ ମାତ୍ର ୩୮ ରନରେ ଅଲଆଉଟ୍ ହୋଇଛି। ଦଳର ଜଣେ ହେଲେ ବ୍ୟାଟସମ୍ୟାନ ଦୁଇ ଅଙ୍କ ଛୁଇଁ ପାରି ନାହାନ୍ତି। ଏସିଆ କପ୍‌ ଇତିହାସର ହଂକଂ ନାଁରେ ଏକ ଅଲୋଡା ରେକର୍ଡ ରହି ଯାଇଛି। ପାକିସ୍ତାନ ପକ୍ଷରୁ ଶାଦବ ଖାନ ମାତ୍ର ୮ ରନ ଦେଇ ୪ ସଫଳତା ପାଇଛନ୍ତି। ମହମ୍ମଦ ନଓ୍ଵାଜ ୫ ରନ ଦେଇ ୩ଟି ଓ୍ଵିକେଟ୍ ଏବଂ ନସୀମ ଶାହ ୭ ରନ ଦେଇ ୨ଟି ଓ୍ଵିକେଟ୍ ନେଇଛନ୍ତି।

ଟସ୍ ହାରି ପ୍ରଥମେ ବ୍ୟାଟିଂ କରିଥିବା ପାକିସ୍ତାନ ମହମ୍ମଦ ରିଜଓ୍ଵାନ ଏବଂ ଫକର ଜମାନଙ୍କ ବିସ୍ଫୋରକ ଅର୍ଦ୍ଧଶତକ ବଳରେ ନିର୍ଦ୍ଧାରିତ ଓଭରରେ ପାକିସ୍ତାନ ୨ ଓ୍ଵିକେଟ୍ ହରାଇ ୧୯୩ ରନ କରିଥିଲା। ଏହି ମ୍ୟାଚ୍ ଜିତି ସୁପର ୪ରେ ପହଞ୍ଚିବାକୁ ହେଲେ ହଂକଂ ସମ୍ମୁଖରେ ଥିଲା ୧୯୪ ରନର ବିଜୟ ଲକ୍ଷ୍ୟ। ମହମ୍ମଦ ରିଜଓ୍ବା ୫୭ ବଲରୁ ୬ ଚୌକା ଏବଂ ୧ ଛକା ବଳରେ ଅପରାଜିତ ୭୮ ରନର ବଡ ଇନିଂସ ଖେଳିଥିବା ବେଳେ ଫକର ଜମାନ ୪୧ ବଲ୍‌ରୁ ୫୩ ରନ କରିଛନ୍ତି। ଖୁସଦିଲ ଶାହଙ୍କ ମାତ୍ର ୧୫ ବଲରୁ ୫ ଛକା ସହ ୩୫ ରନର ବିସ୍ଫୋରକ ବ୍ୟାଟିଂ ବଳରେ ଏହି ସ୍କୋର କରି ପାରିଥିଲା ପାକିସ୍ତାନ। ରିଜଓ୍ଵାନ ଏବଂ ଫକର ଜମାନ ଦ୍ଵିତୀୟ ଓ୍ଵିକେଟ୍‌ରେ ୧୧୬ ରନର ଶତକୀୟ ଭାଗିଦାରୀ ଯୋଡିଥିଲେ। ଅଧିନାୟକ ବାବର ଆଜମ ୯ ରନ କରି ସଅଳ ଆଉଟ୍ ହୋଇଥିଲେ।

ଜବାବରେ ହଂକଂର ଜଣେ ହେଲେ ବ୍ୟାଟସମ୍ୟାନ ପାକିସ୍ତାନର ଘାତକ ବୋଲିଂ ଆଗରେ ତିଷ୍ଠି ପାରିନଥିଲେ। କ୍ଲବସ୍ତରୀୟ ମ୍ୟାଚ୍‌ଠୁ ବି ହୀନ ପ୍ରଦର୍ଶନ କରିଥିଲା ହଂକଂ। ଜଣେ ହେଲେ ବ୍ୟାଟସମ୍ୟାନ ଦୁଇ ଅଙ୍କ ଛୁଇଁ ପାରିନଥିଲେ। ନିୟମିତ ବ୍ୟବଧାନରେ ଓ୍ଵିକେଟ୍ ହରାଇ ୧୦.୪ ଓଭରରେ ମାତ୍ର ୩୮ ରନରେ ଅଲଆଉଟ୍ ହୋଇଛି ହଂକଂ। ଅଧିନାୟକ ନିଜାକତ ଖାନ ଦଳ ପକ୍ଷରୁ ସର୍ବାଧିକ ୮ ରନ କରିଥିଲେ। ଏବେ ରବିବାର ଭାରତ ଏବଂ ପାକିସ୍ତାନ ମଧ୍ୟରେ ଆଉ ଏକ ହାଇଭୋଲଟେଜ୍ ମୁକାବିଲା ଖେଳାଯିବ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.