ଗିଲଗିଟ୍ ଓ ବାଲଟିସ୍ତାନରେ ବେଆଇନ୍ ଭାବେ ନିର୍ବାଚନ କରୁଛି ପାକ୍, ଭାରତ କହିଲା- ପାକିସ୍ତାନର ଅଧିକାର ନାହିଁ
15/11/2020 at 3:36 PM

ନୂଆଦିଲ୍ଲୀ, ୧୫।୧୧: ଭାରତ ବିରୋଧରେ ଲଗାତର ଭାବେ ଷଡଯନ୍ତ୍ର ରଚୁଥିବା ପାକିସ୍ତାନ ଏକ ନୂଆ ଚାଲ୍ ଚଳାଇଛି । ଗତ କିଛି ଦିନ ତଳେ ପାକିସ୍ତାନ ସରକାର ଗିଲଗିଟ୍ ଓ ବାଲଟିସ୍ତାନକୁ ଅସ୍ଥାୟୀ ରାଜ୍ୟର ମାନ୍ୟତା ପ୍ରଦାନ କରିବା ନେଇ ଚିନ୍ତା କରୁଥିଲେ । ଏବେ ଏହି ଅଞ୍ଚଳରେ ପାକିସ୍ତାନ ବେଆଇନ ଭାବେ ନିର୍ବାଚନ କରୁଛି । ଏହି ଦୁଇ ଅଞ୍ଚଳ ହେଉଛି ଭାରତର ଅଭିନ୍ନ ଅଙ୍ଗ । ଯାହାକୁ ପାକିସ୍ତାନ କବଜା କରି ରଖିଛି ।
ପାକିସ୍ତାନ ଏପରି କାର୍ଯ୍ୟକଳାପକୁ ଭାରତ ତୀବ୍ର ବିରୋଧ କରିଛି । ଭାରତ କହିଛି ଯେ, ଗିରଗିଟ୍ ଓ ବାଲଟିସ୍ତାନ ହେଉଛି ଜମ୍ମୁ-କାଶ୍ମୀରର ଗୁରୁତ୍ୱପୂର୍ଣ୍ଣ ଅଂଶ । ଏହାକୁ ପାକିସ୍ତାନ ବେଆଇନ ଭାବେ ଅଧିକୃତ କରି ରଖିଛି । ପାକିସ୍ତାନ ନଭେମ୍ବର ୧୫ରେ ଏହି ସ୍ଥାନରେ ନିର୍ବାଚନ କରୁଥିବା ନେଇ ରିପୋର୍ଟ ରହିଥି । ଏହି ନଷ୍ପତ୍ତିକୁ ବୈଦେଶିକ ମନ୍ତ୍ରାଳୟ ତୀବ୍ର ବିରୋଧ କରିଛି ।
ବୈଦେଶିକ ମନ୍ତ୍ରାଳୟ କହିଛି ଯେ, ଜମ୍ମୁ-କାଶ୍ମୀର ଓ ଲଦାଖ ସହ ଗିଲଗିଟ୍ ଓ ବାଲଟିସ୍ତାନ ୧୯୪୭ରୁ ଭାରତର ଅଭିନ୍ନ ଅଙ୍ଗ ହୋଇ ରହିଛି । ରବିବାର ପାକିସ୍ତାନ ଗିଲଗିଟ୍ ଓ ବାଲଟିସ୍ତାନରେ ବିଧାନସଭା ନିର୍ବାଚନ କରୁଛି । ଏପରିକି କିଛି ଦିନ ପୂର୍ବରୁ ଇମ୍ରାନ ଖାନ ଏଠାରେ ସାଧାରଣ ସଭା କରିଥିଲେ । ଏହାସହ ଏହି ଅଞ୍ଚଳକୁ ସ୍ୱତନ୍ତ୍ର ରାଜ୍ୟ ପାହ୍ୟା ପ୍ରଦାନ କରିବେ ବୋଲି ମଧ୍ୟ ଘୋଷଣା କରିଥିଲେ ।