ପାକିସ୍ତାନର ହୀନ ଚକ୍ରାନ୍ତ, ଭାରତର ପାଲଟା ଜବାବରୁ ବଞ୍ଚିବା ପାଇଁ ବେସାମରିକ ବିମାନକୁ କରିଥିଲା ଢାଲ

Published By : Prameya-News7 Bureau | May 09, 2025 IST

ନୂଆଦିଲ୍ଲୀ: ଭାରତ ଉପରେ ମିସାଇଲ୍ ଓ ଡ୍ରୋନ୍ ଆକ୍ରମଣ କରିବା ପରେ ପାକିସ୍ତାନ ଆଉ ଏକ ହୀନ ଉଦ୍ୟମ କରିଥିଲା । ଭାରତର ପ୍ରତି ଜବାବକୁ ରୋକିବା ପାଇଁ ବେସାମରିକ ବିମାନକୁ ଢାଲ କରିଥିଲା ପାକିସ୍ତାନ । ଏପରିକି ପାକିସ୍ତାନ ନିଜ ବେସାମରିକ ବିମାନ ଚଳାଚଳକୁ ବି ବନ୍ଦ କରିନଥିଲା । ଗୁରୁବାର ରାତିରେ ପାକିସ୍ତାନ ପଟୁ ହୋଇଥିବା ଡ୍ରୋନ୍ ଓ ମିସାଇଲ୍ ଆକ୍ରମଣ ବାବଦରେ ସୂଚନା ଦେଇ କର୍ଣ୍ଣେଲ କୁରେସୀ ଏହା କହିଛନ୍ତି । 

କର୍ଣ୍ଣେଲ କୁରେସୀ କହିଛନ୍ତି, 'ପାକିସ୍ତାନ ପଟୁ ଯେତେବେଳେ ଆକ୍ରମଣ କରାଗଲା, ସେତେବଳେ କରାଚୀ ଓ ଲାହୋର ପରି ବଡ଼ ସହରରେ ପାସେଞ୍ଜର ପ୍ଲେନ୍ ଉଡ଼ାଣ ଭରୁଥିଲେ । ଜାଣିଶୁଣି ସାଧାରଣ ନାଗରିକଙ୍କ ଜୀବନକୁ ବିପଦରେ ପକାଇଥିଲା ।' ଉଲ୍ଲେଖଯୋଗ୍ୟ, ବେସାମରିକ ବିମାନଙ୍କୁ ଢାଲ କରିବା ପଛରେ ପାକିସ୍ତାନ ହୀନ ରଣନୀତି ରହିଥିଲା । ଯଦି କୌଣସି ନାଗରିକ ବିମାନ ଆକ୍ରମଣର ଶିକାର ହୋଇଥାନ୍ତା, ତେବେ ଅନ୍ତରାଷ୍ଟ୍ରୀୟ ମଞ୍ଚରେ କୁମ୍ଭୀର କାନ୍ଦଣା କାନ୍ଦି ଭାରତକୁ ବଦମାନ କରିଥାନ୍ତା । 

କର୍ଣ୍ଣେଲ କୁରେସୀ କହିଛନ୍ତି ଯେ ଭାରତୀୟ ବାୟୁସେନାର ପ୍ରତିକ୍ରିୟା ଅତ୍ୟନ୍ତ ସୀମିତ ଥିଲା । ଭାରତର ପଲଟା ଜବାବରେ ପାକିସ୍ତାନ ସେନାକୁ ବଡ଼ କ୍ଷତି ପହଁଞ୍ଚିଛି । ଏହାର ସୈନ୍ୟ ଅଭିଯାନ ପାଇଁ ଏକ ବଡ଼ ଝଟକା । ସେନା ପକ୍ଷରୁ କୁହାଯାଇଛି ଯେ ପାକିସ୍ତାନ ଯଦିଓ ସାଧାରଣ ନାଗରିକଙ୍କୁ ଟାର୍ଗେଟ୍ କରିଥିଲା, କିନ୍ତୁ ଭାରତୀୟ ସୁରକ୍ଷା ବଳ ଏହି ପୂରା କାର୍ଯ୍ୟାନୁଷ୍ଠାନରେ ସଂଯମତା ରକ୍ଷା କରିଥିଲେ ।

ୱିଙ୍ଗ କମାଣ୍ଡର ବ୍ୟୋମିକା ସିଂହ କହିଛନ୍ତି ଯେ, ଆକ୍ରମଣର ଜବାବରେ ପାକିସ୍ତାନର ଚାରୋଟି ବାୟୁ ପ୍ରତିରକ୍ଷା ପ୍ରଣାଳୀ ଉପରେ ସଶସ୍ତ୍ର ଡ୍ରୋନ ମାଡ଼ କରାଯାଇଥିଲା । ଏହି ଡ୍ରୋନଗୁଡ଼ିକ ମଧ୍ୟରୁ ଗୋଟିଏ AD ରାଡାରକୁ ନଷ୍ଟ କରିବାରେ ସକ୍ଷମ ହୋଇଥିଲା । ପାକିସ୍ତାନ ମଧ୍ୟ ଭାରୀ-କ୍ୟାଲିବର ତୋପ ଏବଂ ସଶସ୍ତ୍ର ଡ୍ରୋନ ବ୍ୟବହାର କରି ନିୟନ୍ତ୍ରଣ ରେଖାରେ ଗୁଳିବର୍ଷା କରିଥିଲା । ଏଥିରେ କିଛି ଭାରତୀୟ ସୈନିକ ଆହତ ହୋଇଥିଲେ । ଏଥିରେ ଚାରି ଜଣ ଭାରତୀୟ ସୈନିକ ଆହତ ହୋଇଥିଲେ ଏବଂ ଦୁଇ ଜଣ ସ୍କୁଲ ପିଲା ପ୍ରାଣ ହରାଇଥିଲେ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.