ଇସଲାମାବାଦ: ପାକିସ୍ତାନ ଉପରେ ଇରାନର ଏୟାର ଷ୍ଟ୍ରାଇକ୍ । ବେଲୁଚିସ୍ତାନ ସୀମାନ୍ତରେ ଥିବା ଆତଙ୍କବାଦୀ ସଂଗଠନ ଶିବିର ଉପରେ କ୍ଷେପଣାସ୍ତ୍ର ମାଡ଼ କରିଛି ଇରାନ । ଏହି ଆକ୍ରମଣରେ ଜୈଶ-ଅଲ୍-ଅଦଲର ବେସ୍ କ୍ୟାମ୍ପ ଧ୍ବସ୍ତ ହୋଇଛି । ଏହି ଏୟାରଷ୍ଟ୍ରାଇକରେ ୨ ଶିଶୁଙ୍କ ମୃତ୍ୟୁ ହୋଇଥିବା ବେଳେ ୩ଜଣ ଆହତ ହୋଇଛନ୍ତି । ତେବେ ହମଲା ଇରାନକୁ ମହଙ୍ଗା ପଡ଼ିବ ବୋଲି ପକିସ୍ତାନ କହିଛନ୍ତି ।
ଇରାନ ସରକାରୀ ଖବର ଏଜେନ୍ସି ରିପୋର୍ଟ ମୁତାବକ, ମଙ୍ଗଳବାର ପାକିସ୍ତାନରେ ହୋଇଥିବା କ୍ଷେପଣାସ୍ତ୍ର ମାଡ଼ରେ ଡ୍ରୋନ ବ୍ୟବହାର ହୋଇଥିଲା । ଇରାନର ଏକ ଇଂରାଜୀ ନ୍ୟୁଜ୍ ଚ୍ୟାନେଲ୍ କହିଛି, ଏହି ଡ୍ରୋନ୍ ହମଲା ଇରାନ ଆଇଆରଜିସି ପ୍ରାଇଭେଟ୍ ଆର୍ମି ଦ୍ବାରା ହୋଇଛି । ଏହି ସର୍ଜିକାଲ ଷ୍ଟ୍ରାଇକରେ ୩ ଆତଙ୍କୀ ଆଡ୍ଡା ସମ୍ପୂର୍ଣ୍ଣ ଧ୍ୱଂସ ହୋଇଛି । ପାକିସ୍ତାନ ସୀମାରେ ଆତଙ୍କବାଦୀ ଇରାକ ସୁରକ୍ଷା ବଳ ଉପରେ ପୂର୍ବରୁ ବାରମ୍ବାର ଆକ୍ରମଣ କରୁଛି । ତେଣୁ ଏହାର ଜବାବ ଦେବାକୁ ଯାଇ ପାକିସ୍ତାନ ସୀମାରେ ପଶି କ୍ଷେପଣାସ୍ତ୍ର ମାଡ଼ କରିଛି ।
ଇରାନର ଏହି ଆକ୍ରମଣ ପରେ କଡ଼ା ପ୍ରତିକ୍ରିୟା ରଖିଛି ପାକିସ୍ତାନ । ପାକ୍ ସରକାର ଚେତାବନୀ ଦେଇ କହିଛନ୍ତି, ଇରାନ ପାକିସ୍ତାନର ସର୍ବଭୌମ୍ୟତ୍ବାକୁ ଉଲ୍ଲଙ୍ଘନ କରିଛି । ଏହାକୁ କେବେ ବି ଗ୍ରହଣୀୟ ନୁହେଁ । ଏହି କାର୍ଯ୍ୟାନୁଷ୍ଠାନର ଦୃଢ଼ ଜବାବ ଦିଆଯିବ ବୋଲି ପାକିସ୍ତାନ କହିଛି । ଜଣେ ପାକିସ୍ତାନୀ ଅଧିକାରୀ କହିଛନ୍ତି ଯେ, ଆତଙ୍କବାଦ ସାରା ବିଶ୍ବ ବିପଦ । ତେଣୁ ଏହା ବିରୋଧରେ ମିଳିତି ଭାବେ କାର୍ଯ୍ୟା କରିବା ଉଚିତ୍ । ତେବେ ଏପରି ମିସାଇଲ୍ ଆକ୍ରମଣ ଭଲ ପଡ଼ୋଶୀ ହେବାର ପ୍ରମାଣ ଦେଉନାହିଁ । କୌଣସି କର୍ଯ୍ୟାନୁଷ୍ଠାନ ଦ୍ବିପାକ୍ଷିକ ବିଶ୍ବାସକୁ ଗମ୍ଭୀର ଭାବେ ପ୍ରଭାବିତ ବୋଲି ପାକିସ୍ତାନ ଅଧିକାରୀ କହିଛନ୍ତି ।