ଋଣଭାରରେ ଡୁବୁଛି ପାକିସ୍ତାନ: ଚୀନ, ଆଇଏମଏଫ୍‌ ପରେ ବିଶ୍ବ ବ୍ୟାଙ୍କରୁ ଆଣିଲା ୪୪୨ ମିଲିୟନ ଡଲାର

Published By : Prameya-News7 Bureau | June 20, 2021 IST

ଇସ୍ଲାମାବାଦ ୨୦/୬: ପାକିସ୍ତାନର ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ ଦେଶର ଆର୍ଥିକ ସୁଧାର ଆଣିବାକୁ ଏଥର ବିଶ୍ବ ବ୍ୟାଙ୍କ ପାଖରୁ ୪୪୨ ମିଲିୟନ ଡଲାର ଋଣ କରିଛନ୍ତି। ଭାରତୀୟ ମୂଦ୍ରାରେ ଏହି ଅର୍ଥ ରାଶି ୩୨ ଅରବ ଟଙ୍କାରୁ ଅଧିକ ହେବ। ଏହା ପୂର୍ବରୁ ପ୍ରତି ପାକିସ୍ତାନୀଙ୍କ ମୁଣ୍ଡ ଉପରେ ୧ ଲକ୍ଷ ୭୫ ହଜାର ଟଙ୍କା ଋଣ ଥିଲା। ପୁଣି ଥରେ ଋଣ ଆଣି ଇମ୍ରାନ୍‌ ଏହି ରାଶିକୁ ଆହୁରି ବଢ଼ାଇବାରେ ସହାୟତା କରିଛନ୍ତି।

ପଞ୍ଜାବ ସୁବେରେ ଥିବା ସବୁଠୁ ଗରିବ ଗାଁରେ ପାଣି ଏବଂ ସ୍ବଚ୍ଛତା କ୍ଷେତ୍ରରେ ନିବେଶ ପାଇଁ ପାକିସ୍ତାନକୁ ଏହି ଋଣ ଦେଇଛି ବିଶ୍ବ ବ୍ୟାଙ୍କ। ପାକିସ୍ତାନ କିଛି ଦିନ ପୂର୍ବରୁ ୨୦୨୧-୨୨ରେ ଆର୍ଥିକ ସର୍ଭେରେ କରୋନା ମହାମାରୀ ପାଇଁ ଦେଶରେ ଗରିବୀ ସ୍ଥିତି ବଢ଼ିବା ନେଇ ଆଶଙ୍କା କରିଥିଲା। ବିଶ୍ବ ବ୍ୟାଙ୍କରେ ବୋର୍ଡ ଅଫ ଡାଇରେକ୍ଟର୍ସ ପଞ୍ଜାବର ଗ୍ରାମାଞ୍ଚଳରେ ଜଳ ଯୋଗାଣ ଏବଂ ସ୍ବଚ୍ଛତା ଅଭିଯାନ ପାଇଁ ଏହି ଫଣ୍ଡ ଜାରି କରିଛି ।  ତେବେ ଦୁର୍ନୀତିରେ ବୁଡ଼ି ରହିଥିବା ପାକିସ୍ତାନ କେମିତି ଏହି ଟଙ୍କାକୁ କାର୍ଯ୍ୟରେ ଲଗାଇବ ତାହା ସମୟ କହିବ ।

ଚଳିତ ବର୍ଷ ଜାନୁଆରୀରୁ ମାର୍ଚ୍ଚ ମଧ୍ୟରେ ପାକିସ୍ତାନ ଅନ୍ତର୍ଜାତୀୟ ମୁଦ୍ରାକୋଷ ଏବଂ ବିଶ୍ବ ବ୍ୟାଙ୍କରୁ ପାଖାପାଖି ୧୩୦ ଅରବ ଟଙ୍କା ଋଣ ଆଣିଥିଲା। ମାର୍ଚ୍ଚରେ ଆଇଏମଏଫ ପାକିସ୍ତାନକୁ ୫୦୦ ମିଲିୟନ ଡଲାର ଲୋନ୍‌ ଦେବାକୁ ଘୋଷଣା କରିଥିଲା। ଏହା ପରେ ଚଳିତ ମାସ ପାକିସ୍ତାନ ଏବଂ ବିଶ୍ବ ବ୍ୟାଙ୍କ ମଧ୍ୟରେ ୧.୩ ବିଲିୟନ ଡଲାରର ନୂଆ ଋଣ ଉପରେ ସହମତି ହୋଇଛି ।  

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.