ଚୀନ୍ ସିନୋଫର୍ମା କରୋନା ଟିକାକୁ ନେଇ ଏପରି ମନ୍ତବ୍ୟ ଦେଲା ପାକ୍, ଜାଣନ୍ତୁ କହିଛି କ’ଣ?

Published By : Prameya-News7 Bureau | February 04, 2021 IST

ଇସ୍ଲାମାବାଦ : କରୋନା ଭାଇରସ ମହାମାରୀ ଏବେବି ପାକିସ୍ତାନରେ ପ୍ରକୋପ କରୁଛି। ପରିସ୍ଥିତିର ମୁକାବିଲା ଲାଗି ଚୀନ୍‌ ସିନୋ ଫାର୍ମା ପାକିସ୍ତାନକୁ କରୋନା ଟିକା ଦେଇଛି। ତେବେ ଏହା ୬୦ ବର୍ଷ ବୟସରୁ ଊର୍ଦ୍ଧ୍ୱ ବୟସ୍କଙ୍କ ଲାଗି ଉପଯୋଗୀ ହେଉ ନଥିବା କହିଛି ପାକ୍‌। ଚୀନ୍ ଟିକାରେ ପାକିସ୍ତାନ ଦେଶରେ କରୋନା ଟିକାକରଣ କାର୍ଯ୍ୟକ୍ରମ ହାତକୁ ନେଇଛି। ପ୍ରଥମ ଦିନ ଟିକାକରଣ ପରେ ପାକ୍‌ ପ୍ରଧାନମନ୍ତ୍ରୀଙ୍କ ସ୍ୱତନ୍ତ୍ର ସ୍ୱାସ୍ଥ୍ୟ ସହାୟକ ଏହା କହିଛନ୍ତି।

ସିନୋଫାର୍ମ ଭାକ୍ସିନର ଅଧ ନିୟୁତ ଡୋଜ ଟିକା ସୋମବାର ପାକିସ୍ତାନ ପହଞ୍ଚିଥିଲା।  ଦେଶରେ ଟିକାକରଣ କାର୍ଯ୍ୟକ୍ରମ ପୂର୍ବରୁ ଏକ୍ସପର୍ଟ କମିଟି ଏହାର ତଥ୍ୟ ସମୀକ୍ଷା କରି ଟିକା କେବଳ ୧୮ରୁ ୬୦ ବର୍ଷ ବୟସ୍କଙ୍କ ଲାଗି ଉପଯୋଗୀ ବୋଲି ଜାଣିବାକୁ ପାଇଥିବା ସ୍ୱତନ୍ତ୍ର ସ୍ୱାସ୍ଥ୍ୟ ସହାୟକ ଡା. ଫୈସଲ ଶୁଲତାନ କହିଛନ୍ତି। ଏଣୁ ଏକ୍ସପର୍ଟ କମିଟି ଦେଶରେ ୬୦ ବର୍ଷ ବୟସରୁ ଊର୍ଦ୍ଧ୍ୱ ବୟସ୍କଙ୍କୁ ଏହି ଟିକା ନଦେବାକୁ ସ୍ପଷ୍ଟ ନିର୍ଦ୍ଦେଶ ଦେଇଛନ୍ତି।

ମଙ୍ଗଳବାର ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ ରାଜଧାନୀ ଇସ୍ଲାମାବାଦରେ ଟିକାକରଣ କାର୍ଯ୍ୟକ୍ରମର ଉଦଘାଟନ କରିଥିଲେ। ଏହାର ଦିନକ ପରେ ସାରା ଦେଶରେ ବୁଧବାର କରୋନା ଟିକାକରଣ କାର୍ଯ୍ୟକ୍ରମ ଆୟୋଜିତ ହୋଇଛି।  ପ୍ରଧାନମନ୍ତ୍ରୀ ବୟସ୍କ ନାଗରିକଙ୍କ ସମେତ ପ୍ରଥମ ପର୍ଯ୍ୟାୟରେ ସ୍ୱାସ୍ଥ୍ୟ ବିଭାଗରେ କାର୍ଯ୍ୟରତ କର୍ମଚାରୀଙ୍କ ଟିକାକରଣ ସୁନିଶ୍ଚିତ କରିଛନ୍ତି।

ଏଥିରେ ଚୀନରୁ ମିଳିଥିବା ଟିକାରେ ୬୦ ବର୍ଷ ବୟସରୁ ଊର୍ଦ୍ଧ୍ୱ ବୟସ୍କଙ୍କ ଟିକାକରଣ ହୋଇପାରୁନଥିବାରୁ ସେମାନଙ୍କୁ ଏଥିଲାଗି ଆଉ କିଛି କାଳ ଅପେକ୍ଷା କରିବାକୁ ପଡିବ ବୋଲି କୁହାଯାଇଛି।  ପାକିସ୍ତାନ ସରକାର ଦେଶରେ ଚୀନ୍‌ର ସିନୋଫର୍ମା ଭେକ୍ସିନ ସମେତ ଋଷିଆର ସ୍ପୁଟିନିକ-୫ ଏବଂ ଅକ୍ସଫର୍ଡ ପ୍ରସ୍ତୁତ ଆଷ୍ଟ୍ରେଜେନିକାର ଭାରତୀୟ ଉତ୍ପାଦ କୋଭିଶିଲ୍ଡକୁ ଏମାର୍ଜେନ୍ସି ଉପଯୋଗ ଅନୁମତି ପ୍ରଦାନ କରିଛି। ଏଥିରେ ପାକ୍ ସିନୋ ଫାର୍ମା ଭେକ୍ସିନରେ ଟିକାକରଣ କାର୍ଯ୍ୟକ୍ରମ ଆରମ୍ଭ କରିଦେଇଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.