ଶୀତଋତୁ ପୂର୍ବରୁ ଆତଙ୍କବାଦୀ ଅନୁପ୍ରବେଶ ପ୍ରଚେଷ୍ଟାରେ ପାକିସ୍ତାନ: ସ୍ଥଳସେନା ମୁଖ୍ୟ

Published By : Prameya-News7 Bureau | October 15, 2020 IST

ଶ୍ରୀନଗର ୧୫/୧୦: ଜମ୍ମୁ-କାଶ୍ମୀରରେ ଥିବା ନିୟନ୍ତ୍ରଣ ରେଖାରେ ବାରମ୍ବାର ଅନୁପ୍ରବେଶ କରିବାକୁ ଚେଷ୍ଟା କରିଆସୁଛି ପାକିସ୍ତାନ। ଏଲଓସିରେ ଆତଙ୍କବାଦୀଙ୍କୁ ଭାରତକୁ ପଠାଇବାକୁ ହୀନ ଚକ୍ରାନ୍ତ କରୁଥିବା ପାକିସ୍ତାନର ସମସ୍ତ ଯୋଜନା ପଣ୍ଡ ମଧ୍ୟ କରୁଛି ଭାରତୀୟ ସେନା। ଜମ୍ମୁ-କାଶ୍ମୀର ଗସ୍ତରେ ଯାଇଥିବା ସ୍ଥଳସେନା ମୁଖ୍ୟ ମନୋଜ ମୁକୁନ୍ଦ ନରଓ୍ବାଣେ କହିଛନ୍ତି, ଶୀତଦିନ ଆରମ୍ଭ ହେବା ପୂର୍ବରୁ ପାକିସ୍ତାନ ପକ୍ଷରୁ ଆତଙ୍କବାଦୀ ଅନୁପ୍ରବେଶ କରାଯାଇଛି। ତେବେ ପାକିସ୍ତାନ ଏଭଳି ଚେଷ୍ଟା ଆଗକୁ ଆହୁରି କରିପାରେ । ପାକିସ୍ତାନର ଏଭଳି ହୀନ ଚକ୍ରାନ୍ତକୁ ପ୍ରଭାବୀ ଢ଼ଙ୍ଗରେ ସେନା ମୁକାବିଲା କରୁଛି।

ଜମ୍ମୁ-କାଶ୍ମୀରରେ ଆତଙ୍କବାଦ ବିରେଧୀ ଅଭିଯାନ ସମ୍ପର୍କରେ ଟିପ୍ପଣୀ ଦେଇ ନରଓ୍ବାଣେ କହିଛନ୍ତି,‘ସୁରକ୍ଷାବଳ ଦ୍ବାରା ସୀମାରେ କାବୁ କରାଯାଇଥିବା ଆତଙ୍କବାଦୀଙ୍କ ସଂଖ୍ୟା ଓ ଅନୁପ୍ରବେଶରୁ ଏହା ସ୍ପଷ୍ଟ ଯେ କେମିତି ପାକିସ୍ତାନ ଭାରତକୁ ଆତଙ୍କବାଦୀଙ୍କୁ ପଠାଇବାକୁ ଚେଷ୍ଟା କରୁଛି। ଆମର ଆତଙ୍କବାଦ ବିରୋଧୀ ଗ୍ରୀଡ୍‌ ଅତ୍ୟନ୍ତ ପ୍ରଭାବଶାଳୀ।’ ୨୪ ସେପ୍ଟେମ୍ବରରୁ ୧୫ ଅକ୍ଟୋବର ପର୍ଯ୍ୟନ୍ତ ୧୭ ଆତଙ୍କବାଦୀ ସେନା ଗୁଳିରେ ନିହତ ହୋଇଛନ୍ତି। ସେମାନଙ୍କ ମଧ୍ୟରେ ପାକିସ୍ତାନ ନାଗରିକଙ୍କ ସମେତ ବିଦେଶୀ ଆତଙ୍କବାଦୀ ସାମିଲ ଥିଲେ।

୧୪ ଅକ୍ଟୋବରରେ ଉତ୍ତର କାଶ୍ମୀର କୁପଓ୍ବାଡା ଜିଲ୍ଳାରେ ପାକିସ୍ତାନ ପକ୍ଷରୁ କରାଯାଇଥିବା ହମଲାକୁ ବିଫଳ କରିଥିଲା ସେନା। ପାକିସ୍ତାନର ବର୍ଡର ଆକ୍ସନ୍‌ ଟିମ୍‌(ବ୍ୟାଟ୍‌) ହମଲା ଆଳରେ ଆତଙ୍କବାଦୀଙ୍କୁ ଭାରତ ପଠାଇବା ପାଇଁ ଉଦ୍ୟମ କରିଥିଲା। ଏହି ଘଟଣା ପରେ ଏଲଓସିରେ ସୁରକ୍ଷା କଡ଼ାକଡ଼ି କରିଦିଆଇଛି ବୋଲି ନରଓ୍ବାଣେ କହିଛନ୍ତି।

ପାକିସ୍ତାନ ପକ୍ଷରୁ ଆତଙ୍କବାଦକୁ ସମର୍ଥନ କରାଯାଉଥିବା ନେଇ ନରଓ୍ବାଣେ କହିଛନ୍ତି, ଚଳିତ ମାସ ଶେଷ ସୁଦ୍ଧା ଏଫଏଟିଏଫ ଦ୍ବାରା ହେବାକୁ ଯାଉଥିବା ବୈଠକରେ ପାକିସ୍ତାନ ପ୍ରସଙ୍ଗ ଉଠିବ। ପାକିସ୍ତାନ ଲଗାତର ଆତଙ୍କବାଦ କାର୍ଯ୍ୟକଳାପକୁ ସମର୍ଥନ କରୁଥିବା ବେଳେ ଏହାକୁ ରୋକିବା ବର୍ତ୍ତମାନ ପରିସ୍ଥିତରେ ଅଧିକ ଗୁରୁତ୍ବପୂର୍ଣ୍ଣ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.