ଡେଡ୍ଲାଇନ୍ ପରେ ବି ଜଳିଲାନି ବିଜୁଳି; ପାକିସ୍ତାନରେ ବତୀ ଗୁଲ୍, ଅନ୍ଧାରରେ ୨୨କୋଟି ଲୋକ
24/01/2023 at 12:50 PM

ଇସଲାମାବାଦ: ଆର୍ଥିକ ସଂକଟରେ ଜୁଝି ହେଉଥିବା ପାକିସ୍ତାନର ବତୀ ଗୁଲ୍ । ପ୍ରାୟ ୨୨ କୋଟିରୁ ଅଧିକ ଲୋକ ଏବେବି ଅନ୍ଧାରରେ । ଶରିଫ୍ ସରକାରଙ୍କ ଦ୍ବାରା ଦିଆଯାଇଥିବା ସମୟ ସୀମା ପାର୍ ହୋଇଯାଇଥିଲେ ମଧ୍ୟ ଏଯାଏଁ ଅନ୍ଧାରରେ ରହିଛି ପଡୋଶୀ ଦେଶ । ଗତକାଲି ରାତି ୧୦ ସୁଦ୍ଧା ଦେଶରେ ବିଜୁଳି ସେବା ଯୋଗାଇ ଦିଆଯିବ ବୋଲି ପ୍ରତିଶ୍ରୁତି ଦେଇଥିଲେ ସରକାର ।
ଜିଓ ନ୍ୟୁଜ୍ ରିପୋର୍ଟ ଅନୁଯାୟୀ, ଇସଲାମାବାଦରେ ପ୍ରବଳ ଶୀତ ଅନୁଭୂତ ହେଉଥିବା ସମୟରେ ବିଜୁଳି ସରବରାହ ବନ୍ଦ ହୋଇଯାଇଛି। ଇସଲାମାବାଦରେ ସର୍ବନିମ୍ନ ତାପମାତ୍ରା ୪ଡିଗ୍ରୀ ସେଲସିୟସ ରହିଛି । ସେହିପରି କରାଚିରେ ପାରଦ ୮ ଡିଗ୍ରକୁ ଖସିଆସିଛି । ଫଳରେ ବିଦ୍ୟୁତ ବିନା ବନ୍ଧାରରେ ଜୁଝି ହେଉଛନ୍ତି ଲୋକ ।
ଦେଶରେ ବିଜୁଳି ସେବା ବନ୍ଦ ହେବା ନେଇ ମୁହଁ ଖୋଲିଛନ୍ତି ପାକିସ୍ତାନ ଉର୍ଜା ମନ୍ତ୍ରୀ ଖୁର୍ମ ଦସ୍ତଗିରି ଖାନ୍ । ଭୋଟେଜ୍ ତଳ ଉପର ହେଉଥିବାରୁ ତିନି ମାସରେ ଦ୍ବିତୀୟ ଥର ପାଇଁ ଗ୍ରୀଡ୍ ଫେଲ୍ ମାରିଛି । ଫଳରେ ପୂରା ଦେଶରେ ବିଦ୍ୟୁତ୍ ବ୍ଲକ୍ ଆଉଟ ହୋଇଯାଇଛି ବୋଲି ଉର୍ଜା ମନ୍ତ୍ରୀ କହିଛନ୍ତି । ରାତି ୧୦ଟା ପୂର୍ବରୁ ଧୀରେ ଧୀରେ ବିଦ୍ୟୁତ ସେବା ଯୋଗାଇ ଦିଆଯିବ ବୋଲି ଟ୍ବିଟରରେ ପୋଷ୍ଟ କରିଥିଲେ ।
ଆର୍ଥିକ ସଂକଟ ସାଙ୍ଗକୁ ବିଜୁଳି ବିନା ଅନ୍ଧାରରେ ଛଟପଟ ହେଉଛନ୍ତି ପାକିସ୍ତାନବାସୀ । ଏପେଟ ବିଦ୍ୟୁତ ସେବା ବନ୍ଦ ହୋଇଥିବାରୁ ଟେକ୍ସଟାଇଲ୍ ମିଲ୍ ଗୁଡ଼ିକରେ ଉତ୍ପାଦନ ମଧ୍ୟ ବନ୍ଦ ହୋଇଛି । ଫଳରେ ଦେଶରେ ୬୦ ମିଲିୟନ ଡଲାର କ୍ଷତି ହୋଇଥିବା ମିଲ୍ ମାଲିକ ସଂଘର ସଭାପତି କହିଛନ୍ତି । ଅନ୍ୟପଟେ ବିଜୁଳି ବିଭ୍ରାଟ ନେଇ ଯାଞ୍ଚ ନିର୍ଦ୍ଦେଶ ଦେଇଛନ୍ତି ପ୍ରଧାନମନ୍ତ୍ରୀ ଶେହବାଜ ସରିଫ୍ ।