ପାକିସ୍ତାନ ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ୍ଙ୍କ ବିରୋଧରେ ଜାମିନ ବିହୀନ ଗିରଫ ପରୱାନା ଜାରି
24/07/2023 at 10:15 PM

ଇସ୍ଲାମାବାଦ: ପାକିସ୍ତାନ ପୂର୍ବତନ ପ୍ରଧାନମନ୍ତ୍ରୀ ତଥା ତେହେରିକ-ଇ-ଇନସାଫ (ପିଟିଆଇ) ଅଧ୍ୟକ୍ଷ ଇମ୍ରାନ ଖାନଙ୍କ ବିରୋଧରେ ଏକ ଜାମିନ ବିହୀନ ଗିରଫ ପରୁଆନା ଜାରି ହୋଇଛି। ଏକ ଅବମାନନା ମାମଲାରେ ପାକିସ୍ତାନର ନିର୍ବାଚନ ଆୟୋଗ (ଇସିପି) ସୋମବାର ଇମ୍ରାନଙ୍କ ବିରୋଧରେ ଏହି ୱାରେଣ୍ଟ ଜାରି କରିଛନ୍ତି।
ମଙ୍ଗଳବାର ପୂର୍ବରୁ ଇମ୍ରାନ୍ଙ୍କୁ ଗିରଫ କରି ନିର୍ବାଚନ କମିଶନଙ୍କ ପାଖରେ ଉପସ୍ଥିତ କରାଇବାକୁ ଇସିପି ଇସଲାମାବାଦ ପୋଲିସକୁ ନିର୍ଦ୍ଦେଶ ଦେଇଛି। ପାକିସ୍ତାନ ଖବରକାଗଜ ‘ଦ ଡନର’ ଏହି ଖବର ପ୍ରକାଶ ପାଇଛି।
ରିପୋର୍ଟ ଅନୁସାରେ, ପାକିସ୍ତାନ ମୁଖ୍ୟ ନିର୍ବାଚନ କମିଶନର ତଥା ନିର୍ବାଚନୀ ତଦାରଖକାରୀଙ୍କ ବିରୋଧରେ ଇମ୍ରାନ ଖାନ, ପୂର୍ବତନ ସୂଚନା ମନ୍ତ୍ରୀ ଫୱାଦ ଚୌଧୁରୀ ଏବଂ ଅନ୍ୟମାନଙ୍କ ସହ ‘ଅଶ୍ରାବ୍ୟ’ ଭାଷା ବ୍ୟବହାର କରିଥିବା ଅଭିଯୋଗ ହୋଇଥିଲା।
ଜାରି ହୋଇଥିବା ଆରେଷ୍ଟ ୱାରେଣ୍ଟ ଅନୁଯାୟୀ, ଇମ୍ରାନ ଖାନଙ୍କୁ ନିର୍ବାଚନ କମିଶନ ପୂର୍ବରୁ ଦୁଇଥର- ଜାନୁଆରେ ୧୬ ଓ ମାର୍ଚ୍ଚ ୨ରେ ନୋଟିସ୍ କରି ହାଜର ହେବାକୁ କହିଥିଲେ। ହେଲେ ନୋଟିସ୍ ସତ୍ତ୍ୱେ ବି ଇମ୍ରାନ କମିଶନଙ୍କ ଆଗରେ ହାଜର ହୋଇ ନଥିଲେ। ତେଣୁ ଏଥର ଚରମ ନିଷ୍ପତ୍ତି ନେଇଛି ଇସିପି।
ଜୁଲାଇ ୨୫ ତାରିଖ ସକାଳ ୧୦ ପୂର୍ବରୁ ଇମ୍ରାନ ଖାନଙ୍କୁ ଗିରଫ କରି ହାଜର କରାଇବା ପାଇଁ ଇସଲାମାବାଦ ଇନ୍ସପେକ୍ଟର ଜେନେରାଲଙ୍କୁ ଇସିପି ନିର୍ଦ୍ଦେଶ ଦେଇଛନ୍ତି।
ଗତବର୍ଷ ଇମ୍ରାନଙ୍କ ବିରୋଧରେ ଅବମାନନା ମାମଲା ରୁଜୁ କରିଥିଲା ନିର୍ବାଚନ କମିଶନ। ଚଳିତବର୍ଷ ଜାନୁଆରୀରେ ପାକିସ୍ତାନ ସୁପ୍ରିମକୋର୍ଟ ଇମ୍ରାନ ଓ ଫୱାଦ୍ ଚୌଧୁରୀଙ୍କ ବିରୋଧରେ ମାମଲା କରିବାକୁ ଇସିପିକୁ ଅନୁମତି ଦେଇଥିଲେ।