୩୭୦ଧାରା ଉଚ୍ଛେଦ ପ୍ରସଂଙ୍ଗରେ ଇମ୍ରାନଙ୍କ ଉପରେ ବର୍ଷିଲେ ପୂର୍ବତନ ପତ୍ନୀ ରେହମ ଖାନ୍, କହିଲେ ମୋଦିଙ୍କୁ କାହିଁକି ମିସ୍ କଲ ମାରୁଥିଲ ?
20/08/2019 at 1:51 PM

ଇସଲାମାବାଦ ୨୦/୮: କାଶ୍ମୀରକୁ ନେଇ ପାକ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ ସଉଦା କରୁଛନ୍ତି ବୋଲି ଇମରାନ ଖାନଙ୍କ ପୂର୍ବତନ ପତ୍ନୀ ରେହମ୍ ଖାନ ଅଭିଯୋଗ କରିଛନ୍ତି। ସେ କହିଛନ୍ତି ଯେ, କାଶ୍ମୀରରେ ନିକଟେ ଘଟିଥିବା ଘଟଣା କ୍ରମ ପାଇଁ ଇମ୍ରାନ ଖାନଙ୍କଠାରେ ନିଷ୍ପତ୍ତି ନେବା ଦକ୍ଷତାର ଅଭାବ ଦାୟୀ । ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଖୁସି କରିବାକୁ କେବଳ ଇମ୍ରାନ ଉଦ୍ୟମ କରୁଛନ୍ତି ବୋଲି ସେ କହିଛନ୍ତି।

ସେ ଏକ ସାକ୍ଷାତକାରରେ କହିଛନ୍ତି ‘ କାଶ୍ମୀରର ସୌଦା ହୋଇଛି। ପିଲାବେଳୁ ତାଙ୍କୁ ଧାରଣା ଦିଆଯାଇଥିଲା ଯେ, କାଶ୍ମୀର ଦିନେ ନା ଦିନେ ପାକିସ୍ତାନର ଏକ ଅଙ୍ଗ ହେବ… କିନ୍ତୁ ବର୍ତ୍ତମାନର ପରିସ୍ଥିତି ଦେଖିବାପରେ ନିରାଶ ହେବାକୁ ପଡୁଛି । ରେହମ୍ ଖାନଙ୍କର ଏହି ସାକ୍ଷାତକାର ସୋଶିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି।

ରେହମଙ୍କ ଅନୁସାରେ ଯେଉଁ ଦିନ (ଅଗଷ୍ଟ ୫) କାଶ୍ମୀରୁ ୩୭୦ ଧାରା ଉଚ୍ଛେଦ କଥା ଭାରତୀୟ ପାର୍ଲାମେଣ୍ଟକୁ ଆସିଲା , ସେହିଦିନ ତାଙ୍କ ଟିମର ଜଣେ ସଦସ୍ୟ ତାଙ୍କୁ ଫୋନ୍ କରି କହିଥିଲେ ଯେ ,ମ୍ୟାଡାମ୍,ଆପଣ ଯାହା କହିଥିଲେ ତାହା ସତ ହେଲା। ସେତେବେଳେ ଏପରି କିଛି ନହେଉ ବୋଲି ପ୍ରାର୍ଥନା କରିବା ଲାଗି ଫୋନରେ ସୂଚନା ଦେଇଥିବା ବ୍ୟକ୍ତିଙ୍କୁ ଉତ୍ତର ଦେଇଥିଲେ ବୋଲି ରେହମ କହିଛନ୍ତି । ‘ ମୋଦି ସେୟା କରିଥିଲେ ଯାହା ତାଙ୍କୁ କରିବାର ଥିଲା । ୩୭୦ ଧାରା ଉଚ୍ଛେଦ କରିବା ପାଇଁ ତାଙ୍କୁ ଜନାଦେଶ ମିଳିଥିଲା।’ ହେଲେ ପାକିସ୍ତାନ ପ୍ରଧାନମନ୍ତ୍ରକୀ ଇମ୍ରାନ ଖାନ କଣ କରୁଛନ୍ତି ବୋଲି ରେହମ ପ୍ରଶ୍ନ ଉଠାଇଛନ୍ତି ।

ନିକଟରେ କାଶ୍ମୀର ସମ୍ପର୍କରେ ଏକ ନୀତିଗତ ପ୍ରତିକ୍ରୀୟା ଦେବାବେଳେ ଇମ୍ରାନ କହିଥିଲେ ଯେ, ବାଲକୋଟ ଆକ୍ରମଣ ପରେ ମୋଦି ଏଭଳି ପଦକ୍ଷେପ ନେବେ ବୋଲି ସେ ଆଶଙ୍କା କରୁଥିଲେ । କେବଳ ସେତିକି ନୁହେଁ ବିମିଶକ ବୈଠକରେ ତାଙ୍କ ପ୍ରତି ମୋଦୀଙ୍କ ରୁକ୍ଷ ଆଚରଣରୁ ମଧ୍ୟ ଏମିତି କିଛି ଘଟିବାକୁ ଯାଉଛି ବୋଲି ଅନୁମାନ କରୁଥିଲେ ।

ଇମ୍ରାନଙ୍କ ଏହି ବୟାନ ଉପରେ ପ୍ରଶ୍ନ ଉଠାଇଛନ୍ତି ରେହମ । ସେ କହିଛନ୍ତି ଯେ, ସବୁ ଯଦି ଇମ୍ରାନ ଜାଣିଥିଲେ ଓ ଅନୁମାନ କରୁଥିଲେ ତାହେଲେ ପୂର୍ବରୁ କାହିଁକି ସତର୍କ ହେଲେନି ବା ପଦକ୍ଷେପ ନେଲେନି । ଇମ୍ରାନ କିଛି କରିପାରିଲେ ନାହିଁ କାରଣ ତାଙ୍କର ନିଷ୍ପତ୍ତି ନେବାର ଦକ୍ଷତା ଓ କ୍ଷମତା ନାହିଁ ବୋଲି ରେହମ କହିଛନ୍ତି । ରେହମ୍ ଖାନ୍ ଆହୁରି ପ୍ରଶ୍ନ କରିଛନ୍ତି ଯେ, ‘ଯଦି ଇମ୍ରାନ ଜାଣିଥିଲେ ଯେ ଏପରି ହେବାକୁ ଯାଉଛି ତେବେ ସେ କାହିଁକି ମୋଦିଙ୍କ ଆଡ଼କୁ ବନ୍ଧୁତାର ହାତ ବଢ଼ାଉଥିଲେ ଏବଂ ମିସ୍ କଲ୍ କରୁଥିଲେ। ଏଥିରୁ ସ୍ପଷ୍ଟ ଯେ, ଇମ୍ରାନ ଦୁର୍ବଳ ଏବଂ କିଛି କରିବାକୁ ଅସମର୍ଥ ।
