ଚୀନ ମିସାଇଲ ବିଫଳ ହେବା ପରେ ପାକିସ୍ତାନ ଏବେ ଆମେରିକା ଶରଣରେ !

Published By : Prameya-News7 Bureau | July 03, 2025 IST

ନୂଆଦିଲ୍ଲୀ : ଚାଇନା ଏୟାର ଡିଫେନ୍ସ ଓ ମିସାଇଲର ଭରସାରେ ଭାରତକୁ ଟକ୍କର ଦେବାର ସ୍ୱପ୍ନ ଦେଖିଥିବା ପାକିସ୍ତାନକୁ, ଗତ ମେ ମାସରେ ଶକ୍ତ ଧକ୍କା ଲାଗିଛି। ଭାରତ ସଠିକ୍‌ କାର୍ଯ୍ୟାନୁଷ୍ଠାନରେ ପାକିସ୍ତାନର ଅନେକ ଏୟାରବେସକୁ ଧ୍ୱଂସ କରିବା ସହ ଭାରତୀୟ ସଶସ୍ତ୍ର ବାହିନୀ ଲାହୋରରେ ପଶି ପାକ୍‌ର ଏୟାର ଡିଫେନ୍ସ ସିଷ୍ଟମକୁ ମଧ୍ୟ ଧ୍ୱଂସବିଧ୍ୱଂସ କରି ଦେଇ ଥିଲା। ଭାରତୀୟ ଏୟାର ଡିଫେନ୍ସ ସିଷ୍ଟମର ଆଗରେ ଚାଇନା ମିସାଇଲ ମଧ୍ୟ ସଂପୂର୍ଣ୍ଣ ରୂପେ ଫେଲ୍‌ ହୋଇଥିଲା। ଏହାପରେ ଏବେ ପାକିସ୍ତାନର ଚିନ୍ତା ବଢି ଯାଇଛି ଏବଂ ସେ ଚୀନକୁ ଛାଡ଼ି ଆମେରିକାର ଶରଣରେ। ନିକଟରେ ପାକିସ୍ତାନର ବାୟୁସେନା ପ୍ରମୁଖ ୱାଶିଂଟନରେ ପହଞ୍ଚିଛନ୍ତି।

ଗତ କିଛିଦିନରେ ପାକିସ୍ତାନର ଅନେକ ଉଚ୍ଚପଦସ୍ଥ ଅଧିକାରୀମାନେ ଆମେରିକା ଗସ୍ତ କରିଛନ୍ତି। ଜେନେରାଲ ଆସିମ ମୁନିର ନିକଟରେ ଆମେରିକୀୟ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ସହ ଲଞ୍ଚ କରିବାକୁ ପହଞ୍ଚି ଥିଲେ। ମୁନିରଙ୍କର ଗସ୍ତ ମାସ ଭିତରେ ପାକିସ୍ତାନ ବାୟୁ ସେନା ପ୍ରମୁଖ ଜହିର ଅହମ୍ମଦ ବାବର ସିଦ୍ଧୁ ଆମେରିକାର ଗସ୍ତରେ ଆସିଛନ୍ତି। ବିଶେଷ କଥା ଏହା ଯେ, ଏହି ଗସ୍ତ ଏକ ଦଶକରୁ ଅଧିକ ସମୟରେ କୌଣସି ବି ପାକିସ୍ତାନ ଏୟାରଫୋର୍ସ ପ୍ରମୁଖଙ୍କ ପ୍ରଥମ ଗସ୍ତ।

ଉକ୍ତ ଗସ୍ତରେ ଏୟାର ମାର୍ଶଲ,  ଆମେରିକୀୟ ବାୟୁସେନାର ଚିଫ୍‌ ଅଫ୍‌ ଷ୍ଟାଫ୍‌ ଜେନେରାଲ ଡେଭିଡ୍ ଆଲଭିନଙ୍କ ସହ ଆହୁରି ବରିଷ୍ଠ ଆମେରିକୀୟ ସେନା ଅଧିକାରୀଙ୍କୁ ସାକ୍ଷାତ୍‌ କରିଛନ୍ତି। ପାକିସ୍ତାନ ବାୟୁସେନା ବୁଧବାର ଏକ ବୟାନ ଜାରି କରି କହିଛି, ପାକିସ୍ତାନ ବାୟୁସେନା ପ୍ରମୁଖ ଏୟାର ଚିଫ୍‌ ମାର୍ଶଲ ଜହିର ଅହମ୍ମଦ ବାବର ସିଦ୍ଧୁ ଆମେରିକାର ଅଫିସିଆଲି ଗସ୍ତରେ ଅଛନ୍ତି। ଏହି ଉଚ୍ଚ ସ୍ତରୀୟ ଯାତ୍ରା ପାକ୍‌-ଆମେରିକା ପ୍ରତିରକ୍ଷା ସହଭାଗୀତାରେ ଏକ ମାଇଲଖୁଣ୍ଟ। ବୟାନରେ ଆହୁରି କୁହାଯାଇଛି ଯେ, ସିଦ୍ଧୁ ଆମେରିକା ଯାତ୍ରା ବେଳେ ଦେଶର ଶୀର୍ଷ ସେନା ଓ ରାଜନୀତିକ ନେତୃତ୍ୱଙ୍କ ସହ ଅନେକ ମହତ୍ତ୍ୱପୂର୍ଣ୍ଣ ବୈଠକ କରିଛନ୍ତି। 

ସୂତ୍ରାନୁସାରେ, ଚାଇନା ଅସ୍ତ୍ର ଫେଲ୍‌ ହେବା ପରେ ଏବେ ପାକିସ୍ତାନ ଆମେରିକା ଠାରୁ ପ୍ରତିରକ୍ଷା ସହଯୋଗ ବୃଦ୍ଧି କରିବାକୁ ଚେଷ୍ଟା କରୁଛି। ମିଡ଼ିଆ ରିପୋର୍ଟ ମୁତାବିକ, ଗତ ଏକ ଦଶକରେ ପାକିସ୍ତାନ ଚୀନ ସହ ଯେଉଁପରି ନିକଟତର ବଢାଇଛି, ଏଥିରେ ଆମେରିକୀୟ ନେତୃତ୍ୱ ଓ ସେନା ଅଧିକାରୀ ଖୁସି ନାହାନ୍ତି। ଏବେ ପାକିସ୍ତାନର ଟପ୍ ସେନା ଅଧିକାରୀ ଚାଇନା ଉପକରଣ ଗୁଡ଼ିକ ଉପରେ ନିଜର ନିର୍ଭରତା ହ୍ରାସ କରି ଆମେରିକା ଓ ଚୀନ ମଧ୍ୟରେ ବାଲାନ୍ସ କରିବାକୁ ଚେଷ୍ଟା କରୁଛନ୍ତି। ଉଲ୍ଲେଖନୀୟ ଯେ, ଅପରେସନ ସିନ୍ଦୂର ବେଳେ ଚାଇନା ଏୟାର ଡିଫେନ୍ସ ସିଷ୍ଟମର ଧ୍ୱଂସବିଧ୍ୱଂସ ହେବା ପରେ ଏବେ ପାକିସ୍ତାନର ନଜର ଆମେରିକାର ଏୟାର ଡିଫେନ୍ସ ସିଷ୍ଟମ ଉପରେ ।

 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.