ପାକିସ୍ତାନକୁ ନୌସେନା ମୁଖ୍ୟଙ୍କ ସିଧା ଚେତାବନୀ, କହିଲେ- ବନ୍ଦ ହୋଇନି ‘ଅପରେସନ ସିନ୍ଦୂର’

NEWS7
pakistan-national-animal-who-can-eat-snake

ନୂଆଦିଲ୍ଲୀ ୭।୧୨: ଚିଫ ଅଫ ନାଭାଲ ଷ୍ଟାଫ ଆଡମିରାଲ ଦିନେଶ କେ.ତ୍ରିପାଠୀ ରବିବାର କହିଛନ୍ତି ଯେ ‘ଅପରେସନ ସିନ୍ଦୂର’ ଏବେବି ଜାରି ରହିଛି, ହୁଏତ ଏହାକୁ କିଛି ସମୟ ପାଇଁ ରୋକି ଦିଆଯାଇଛି। ଉଲ୍ଲେଖଯୋଗ୍ୟ ଯେ ନୌସେନା ମୁଖ୍ୟ ଦିଲ୍ଲୀରେ ଅନୁଷ୍ଠିତ ଆର୍ମଡ ଫୋର୍ସେସ ଫ୍ଲାଗ ଡେ ରେ ଯୋଗ ଦେଇଥିବା ବେଳେ ଏହା କହିଛନ୍ତି। ତ୍ରିପାଠୀ ଚେତାବନୀ ଦେଇଛନ୍ତି ଯେ ଯଦି କେହି ଦେଶ ଉପରେ ଆକ୍ରମଣ ଉଦ୍ୟମ କରନ୍ତି ତେବେ ଭାରତୀୟ ସେନା ଏହାର କଡ଼ା ଜବାବ ଦେବ, ଯେପରି ଅପରେସନ ସିନ୍ଦୂର ବେଳେ ଦିଆଯାଇଥିଲା।

ନୌସେନା ମୁଖ୍ୟ କହିଛନ୍ତି ଯେ ଯଦିଓ ଅପରେସନ ସିନ୍ଦୂରକୁ ବର୍ତ୍ତମାନ ପାଇଁ ରୋକି ଦିଆଯାଇଛି, ଏହା ଏବେବି ସମାପ୍ତ ହୋଇନି। ଆପଣ ସେତେବେଳେ ଭାରତ ସରକାର ଗ୍ରହଣ କରିଥିବା ପଦକ୍ଷେପ ସମ୍ପର୍କରେ ଜାଣିଥିବେ। ମୁଁ ଅନୁଭବ କରିଛି ଦେଶର ଜନତା ସେନାକୁ ନେଇ ଗର୍ବ କରନ୍ତି। ଏଥିରେ ଯଦି କେହି ଦେଶ ଉପରେ ଖରାପ ନଜର ପକାଇବାକୁ ଚେଷ୍ଟା କରେ ଆମେ ତାର ଜବାବ ଦେବୁ। ଆମେ ଏହା ଅପରେସନ ସିନ୍ଦୂରରେ ସାବ୍ୟସ୍ତ କରିଛୁ ଓ ଭବିଷ୍ୟତରେ ମଧ୍ୟ ସାବ୍ୟସ୍ତ କରିବୁ। ଉଲ୍ଲେଖଯୋଗ୍ୟ ଯେ ଅପରେସନ ସିନ୍ଦୂର ଏକ ମିଲେଟ୍ରି ଅପରେସନ ଥିଲା। ଏହାର ଉଦ୍ଦେଶ୍ୟ ପାକିସ୍ତାନରେ ଥିବା ଆତଙ୍କବାଦୀ ଆଡ୍ଡାକୁ ନଷ୍ଟ କରିବା। ଏହାକୁ ଏପ୍ରିଲ ୨୦୨୫ରେ ପହଲଗାମରେ ଆତଙ୍କବାଦୀ ଆକ୍ରମଣ ପରେ ଆରମ୍ଭ କରାଯାଇଥିଲା।

ଏହା ମଧ୍ୟରେ ୪ ଡିସେମ୍ବର ଗୁରୁବାର ଦିଲ୍ଲୀରେ ନୌସେନା ଦିବସ ଧୁମଧାମରେ ପାଳିତ ହୋଇଯାଇଛି। ଏଥିରେ ଭାରତର ଶୀର୍ଷ ମିଲେଟ୍ରି ଅଧିକାରୀମାନେ ‘ସମୁଦ୍ର ହିରୋ’ଙ୍କୁ ଶ୍ରଦ୍ଧାଞ୍ଜଳି ଦେଇଥିଲେ। ସିନିୟର ଅଧିକାରୀମାନେ ୧୯୭୧ ଭାରତ-ପାକ୍ ଯୁଦ୍ଧରେ ବଳିଦାନ ଦେଇଥିବା ନାବିକଙ୍କ ସମ୍ମାନରେ ପୁଷ୍ପ ଅର୍ପଣ କରାଯାଇଥିଲା। ନେଭି ଡେ ପ୍ରତି ବର୍ଷ ଡିସେମ୍ବର ୪ ତାରିଖରେ ‘ଅପରେସନ ଟ୍ରାଇଡେଣ୍ଟ’ ସ୍ମରଣରେ ପାଳିତ ହୋଇଥାଏ। ୧୯୭୧ ଯୁଦ୍ଧ କାଳରେ ଭାରତୀୟ ନୌସେନା ଏହି ଅପରେସନରେ କରାଚୀ ହାର୍ବର ଉପରେ ଆକ୍ରମଣ କରିଥିଲା।