ପେଶାଓ୍ବରରେ ଭୟଙ୍କର ବିସ୍ଫୋରଣରେ ୪୬ ମୃତ, ମସଜିଦ୍ରେ ପ୍ରାର୍ଥନା ପାଇଁ ଏକାଠି ହୋଇଥିଲେ ଶତାଧିକ
30/01/2023 at 3:51 PM

ନୂଆଦିଲ୍ଲୀ, ୩୦/୦୧: ପାକିସ୍ତାନ ପେଶାଓ୍ବରର ଏକ ମସଜିଦ୍ରେ ଭୟଙ୍କର ବିସ୍ଫୋରଣ। ଏହି ଭୟଙ୍କର ବିସ୍ଫୋରଣରେ ୧୫୦ ରୁ ଅଧିକ ଆହତ ହୋଇଥିବା ବେଳେ ୪୬ ଜଣଙ୍କ ମୃତ୍ୟୁ ହୋଇଛି। ସ୍ଥାନୀୟ ପୋଲିସ୍ ଅଧିକାରୀଙ୍କ ସୂଚନା ଅନୁଯାୟୀ ସମସ୍ତଙ୍କୁ ସ୍ଥାନୀୟ ଏକ ହସ୍ପିଟାଲରେ ଭର୍ତ୍ତି କରାଯାଇଛି।
ପୋଲିସ୍ର ସୂଚନା ଅନୁଯାୟୀ, ସୋମବାର ବହୁ ସଂଖ୍ୟାରେ ଲୋକେ ପ୍ରାର୍ଥନା କରିବା ପାଇଁ ମସଜିଦ୍ରେ ଏକାଠି ହୋଇଥିବାବେଳେ ଏହି ବିସ୍ପୋରଣ ହୋଇଥିଲା। ଫଳରେ ଏତେ ମାତ୍ରାରେ ଲୋକ ମୃତାହତ ହୋଇଛନ୍ତି। ଏହି ବିସ୍ଫୋରଣରେ ମସଜିଦ୍ର ଏକ କାନ୍ଥ ଭୁଷୁଡ଼ି ପଡ଼ିଛି। ଏହା ତଳେ ଅନେକ ଲୋକ ଚାପି ହୋଇ ରହିଥିବା ଆଶଙ୍କା କରାଯାଉଛି। ପୋଲିସର ସୂଚନା ଅନୁଯାୟୀ, ଏହା ମାନବ ବୋମା ବିସ୍ଫୋରଣ। ପ୍ରାୟ ୨୦୦ ରୁ ଅଧିକ ଲୋକ ପ୍ରାର୍ଥନା ପାଇଁ ଏକତ୍ର ହୋଇଥିଲେ।
ପାକିସ୍ତାନ ପ୍ରଧାନମନ୍ତ୍ରୀ ଘଟଣାକୁ ନେଇ ନିନ୍ଦା କରିଛନ୍ତି। ଏହା ସହ ଆହତଙ୍କୁ ଉତ୍ତମ ଚିକିତ୍ସା ଯୋଗାଇଦେବାକୁ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ଏହା ସହ ଏହି ବିସ୍ଫୋରଣ ପଛରେ ଥିବା ବ୍ୟକ୍ତିଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନେବାକୁ କହିଛନ୍ତି।
ସେପଟେ ତେହେରିକ୍-ଏ-ତାଲିବାନ୍ ପାକିସ୍ତାନର ଉମର ଖାଲିଦ ଖୁରାସାନି ଆକ୍ରମଣ ପାଇଁ ନିଜକୁ ଦାୟୀ କରିଛି। ଗତ ବର୍ଷ ଅଗଷ୍ଟରେ ଆଫଗାନିସ୍ତାନରେ ଭାଇର ମୃତ୍ୟୁ ପ୍ରତିଶୋଧ ବୋଲି କହିଛି।
ପୂର୍ବରୁ ଜାନୁଆରୀ ୨୨ ରେ ପେଶାଓ୍ବରର ବାଦାବର ପୋଲିସ୍ ଷ୍ଟେସନ ଅଞ୍ଚଳରେ ଏକ ପୋଲିସ୍ କାର୍ ନିକଟରେ ବିସ୍ଫୋରଣ ହୋଇଥିଲା। ତେବେ ଏହି ଘଟଣାରେ କେହି ମୃତାହତ ହୋଇନଥିବା ନେଇ ଖବର ଆସିଥିଲା। ପୋଲିସ୍ ଅନୁଯାୟୀ ଏହି ବିସ୍ଫୋରଣ ରିମୋଟ୍ କଣ୍ଟ୍ରୋଲ ଦ୍ବାରା କରାଯାଇଥିଲା। ତେବେ ପୋଲିସ୍ ଏହି ଘଟଣାର ତଦନ୍ତ କରିବା ସହ ଘଟଣାସ୍ଥଳରୁ ପ୍ରମାଣ ସଂଗ୍ରହ କରିଥିଲା।